ଓଡ଼ିଶାଲାଇଭ୍ ବ୍ୟୁରୋ

ପାରମ୍ପରିକ ଧାରାରୁ ବାହାରି ଡିଜିଟାଲ ପ୍ଲାଟଫର୍ମରେ ମାତୃଭାଷାରେ ପିଲାଙ୍କୁ ସୃଜନଶୀଳ ଶିକ୍ଷା ପ୍ରଦାନ କରିବା ଏକ ନୂଆ ରାସ୍ତା ନିଶ୍ଚୟ। ଏହି ରାସ୍ତାରେ ଚାଲିଛି “ଆଭେତି ଲର୍ଣ୍ଣିଂ’। ଓଡ଼ିଶାର ଗ୍ରାମାଞ୍ଚଳରେ ଏହି ସେବା ପହଂଚାଇବାକୁ ଅଣ୍ଟା ଭିଡ଼ିଛି ଏହି ସଂସ୍ଥା।

ଆଭେତି ଲର୍ଣ୍ଣିଂ ପଛରେ ରହିଛି ଦୁଇ ଜଣ ଓଡ଼ିଆଙ୍କ ହାତ। ସେମାନେ ହେଲେ ବିଶ୍ୱଜିତ ନାୟକ ଓ ସୁଶାନ୍ତ ମହାପାତ୍ର। ଆଭେତିର ସିଏଓ ଥିବା ସୁଶାନ୍ତ ଜଣେ ଶିକ୍ଷକ। ବିଶ୍ୱଜିତ ହେଉଛନ୍ତି ଆଭେତି ପଛରେ ଥିବା ମାଷ୍ଟର ମାଇଣ୍ଡ ଓ ଏହାର ସିଇଓ। ଉଭୟ ଅନେକ ବର୍ଷ ଧରି ଏଭଳି ଏକ ମଡେଲ ଉପରେ କାମ କରିଆସୁଥିଲେ, ଯାହା ଓଡ଼ିଶାର ଅବହେଳିତ ପିଲାଙ୍କୁ ପାରମ୍ପରିକ ପାଠପଢ଼ା ପଦ୍ଧତି ଛାଡ଼ି ଟ୍ୟାବଲେଟ୍ ମାଧ୍ୟମରେ ଡିଜିଟାଲ ଶିକ୍ଷା ଦେଇପାରିବ।

ଡିଜିଟାଲ ପ୍ଲାଟଫର୍ମରେ ଶିକ୍ଷାଦାନ ପରିକଳ୍ପନା ନେଇ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିଥିଲା ଆଭେତି। ଏହାର ସ୍ମାର୍ଟ କ୍ଲାସ ପିଲାଙ୍କ ପାଇଁ ଆନନ୍ଦଦାୟକ ହେଉଥିଲା। କିନ୍ତୁ କରୋନା ଯୋଗୁଁ ସ୍କୁଲ ବନ୍ଦ ରହିଛି। ଏବେ ଆଭେତି ଦ୍ୱାରା ପ୍ରସ୍ତୁତ ଭିଡିଓ ଏବଂ ଏକ୍ସରସାଇଜ୍ ଯୋଗୁଁ ପିଲାମାନେ ଘରେ ରହି ମଧ୍ୟ ପାଠ ପଢ଼ି ପାରୁଛନ୍ତି।

“ଆମେ ଯେଉଁ କଥା ବ୍ଲାକବୋର୍ଡରୁ ବୁଝିପାରୁ ନଥିଲୁ, ସେଇଟା ଭିଡିଓ ଦେଖି ବୁଝିପାରୁଛୁ। ଏଥିରେ ଆମର ଭଲ ମାର୍କ ମଧ୍ୟ ଆସିବ ବୋଲି ଆଶା କରୁଛି। ସ୍ମାର୍ଟ କ୍ଲାସ ଦ୍ୱାରା ଯେଉଁମାନେ ବୁଝିପାରୁ ନ ଥିଲେ, ନର୍ଭସ ହେଉଥିଲେ, ପ୍ରାକ୍ଟିକାଲ ଭିଡିଓ ଦେଖି ସେମାନେ ସବୁ ଭଲଭାବେ ବୁଝିପାରୁଛନ୍ତି”, କହିଛନ୍ତି ଭୁବନେଶ୍ୱର ୟୁନିଟ୍‌-୮ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର ଜାନୁ ମାର୍ଣ୍ଡି।

ଆଭେତି ଲର୍ନିଂ ଆପ୍‌ରେ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟାୟ ୱାରି ଶିକ୍ଷାଦାନର ବ୍ୟବସ୍ଥା ରହିଛି। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଡିଜିଟାଲାଇଜ୍ କରାଯାଇ ମୋବାଇଲ ଆପ୍‌ରେ ମଧ୍ୟ ଛଡ଼ାଯାଉଛି।‘ମୋ’ ସ୍କୁଲ’ ସହ ଆଭେତି ଲର୍ଣ୍ଣିଂ ଯୋଡ଼ି ହୋଇଛି। ପୁରାତନ ଛାତ୍ରଛାତ୍ରୀଙ୍କ ଆର୍ଥିକ ସହଯୋଗ ବଳରେ ରାଜ୍ୟର କେତେକ ସ୍କୁଲରେ ସ୍ମାର୍ଟ କ୍ଲାସ ସ୍ଥାପନ କରାଯାଉଛି। ଭୁବନେଶ୍ୱରର ବାଣୀବିହାର, ୟୁନିଟ୍‌-୮, ୟୁନିଟ୍‌-୯, ୟୁନିଟ୍‌-୧ ଏହିପରି ୪ଟି ସ୍କୁଲରେ କାମ କରୁଛି ଆଭେତି। ସେଠାରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍ମାର୍ଟ କ୍ଲାସର ସୁବିଧା ଦିଆଯାଉଛି।

“ଆଭେତିର ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଆନିମେଟେଡ୍ ଭିଡିଓ ଓ ଥ୍ରିଡି ପ୍ରୋଗ୍ରାମ ଆଦି ବ୍ୟବହାର କରାଯାଉଥିବାରୁ ପିଲାମାନେ ଭଲରେ ବୁଝିପାରୁଛନ୍ତି। ପାଠରେ ବହୁ ପଛରେ ଥିବା ପିଲାଙ୍କର ମଧ୍ୟ ଆଗ୍ରହ ବଢୁଛି। ଶିକ୍ଷକମାନଙ୍କୁ ପାଠପଢ଼ାରେ ମଧ୍ୟ ସହଜ ହେଉଛି”, କହିଛନ୍ତି ଭୁବନେଶ୍ୱର ୟୁନିଟ୍‌-୮ ସରକାରୀ ବାଳକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୈଳାଧୀ ରାଜକନ୍ୟା ଶତପଥୀ।

“ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ିଛି ଆଭେତି। ଯେଉଁ ପିଲାମାନଙ୍କ ପାଖରେ ବିଶେଷ ସୁଯୋଗ ନାହିଁ, ସେମାନଙ୍କ ପାଖରେ ପହଞ୍ଚୁଛି ଆଭେତି” କହିଛନ୍ତି ଏହାର ସିଇଓ ବିଶ୍ୱଜିତ ନାୟକ।

(ସୌଜନ୍ୟ: ‘ମୋ ସ୍କୁଲ୍ ଅଭିଯାନ’ ସୂଚନାପତ୍ର, ନଭେମ୍ବର ୨୦୨୦)

Comment