ଓଡ଼ିଶାଲାଇଭ୍ ବ୍ୟୁରୋ

ପରୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ଏବେ କଂଗ୍ରେସରେ କଳି।

ନୟାଗଡ଼ର କୁନି ଝିଅ ପରୀର ମୃତ୍ୟୁକୁ ନେଇ ଏବେ ଜୋର୍ ଧରିଛି ରାଜନୀତି। ବିଜେପି ଏହାକୁ ପ୍ରସଙ୍ଗ କରି ସରକାରକୁ ଘେରୁଥିବାବେଳେ ସିବିଆଇ ତଦନ୍ତ ପାଇଁ ଦାବି କରୁଛି। ଅନ୍ୟପଟେ କଂଗ୍ରେସରେ କିନ୍ତୁ ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଛି।

ଯେବେଠାରୁ ନୟାଗଡ଼ର କୁନି ଝିଅ ପରୀର ମୃତ୍ୟୁ ଘଟଣା ଗଣମାଧ୍ୟର ଶିରୋନାମା ପାଲଟିଲା ସେବେଠୁ ବିଜେପି ଏହାକୁ ନେଇ ମୁଖ୍ୟ ପ୍ରସଙ୍ଗ କରିଛି। ପ୍ରଥମେ ବିଧାନସଭା ଭିତରେ ହୋ ହଲ୍ଲା କରିବା ସହ ବିଜେପି ରାଜରାସ୍ତାରେ ମଧ୍ୟ ବିକ୍ଷୋଭ କରିଛି। ଶନିବାର ଦଳର ନେତାମାନେ ନୟାଗଡ଼ ଯାଇ ‘ପରୀ’ର ବାପା ମା’କୁ ମଧ୍ୟ ଭେଟିଛନ୍ତି। ଯାହା ଦଳକୁ ଫାଇଦାରେ ରଖିବ ବୋଲି କୁହାଯାଉଛି।

ଅନ୍ୟପଟେ କଂଗ୍ରେସର ନେତାମାନେ କିନ୍ତୁ ଏ ପ୍ରସଙ୍ଗରେ ଭିନ୍ନ ଭିନ୍ନ କଥା କହି ପରସ୍ପରକୁ ଦୋଷ ଠେଲିଛନ୍ତି। କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏସ୍ଆଇଟି ତଦନ୍ତକୁ ଐତିହାସିକ ବୋଲି କହୁଥିବାବେଳେ ତାଙ୍କରି ଦଳର ଅନ୍ୟ ବିଧାୟକ କିନ୍ତୁ ଏହାକୁ ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି। ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ସୁର ରାଉତରାୟ ତାଙ୍କ ନେତାଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ଯାହାଫଳରେ କଂଗ୍ରେସରେ ଏବେ କଳି ପୁଣି ଆରମ୍ଭ ହୋଇଯାଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ କହିବା ମୁତାବକ, କଂଗ୍ରେସ ଏହି ପ୍ରସଙ୍ଗକୁ ପ୍ରଥମେ ବିଧାନସଭାରେ ଉଠାଇଥିଲା। ହେଲେ ସରକାର ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାପରେ କଂଗ୍ରେସ ଶାନ୍ତ ହୋଇଯାଇଥିଲା। କଂଗ୍ରେସ ବିଧାୟକ ଦଳର ନେତା ତାଙ୍କୁ ଯାହା କହିଲେ ସେମାନେ ସେଇଆ କଲେ ବୋଲି ସେ କହିଛନ୍ତି। ଏଥିସହ ବିଧାୟକ ଦଳର ନେତାଙ୍କ ନିଷ୍ପତ୍ତିରେ ସେ ସନ୍ତୁଷ୍ଟ ନଥିବା ନେଇ ଗଣମାଧ୍ୟମ ଆଗରେ କହିଛନ୍ତି।ସେହିପରି ପୁଣି ଜଣେ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ସେହି ସମାନ କଥା ଉଠାଇଛନ୍ତି। ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ର କଥାବାର୍ତ୍ତା ହୋଇ ପରୀ ପ୍ରସଙ୍ଗକୁ ଚପାଇ ଦେଇଛନ୍ତି। ତାଙ୍କ ନିଷ୍ପତ୍ତି ଅନୁସାରେ ଅନ୍ୟ କଂଗ୍ରେସ ନେତାମାନେ ଚୁପ୍ ବସିଛନ୍ତି। ନିରଞ୍ଜନ ଓ ନରସିଂହଙ୍କ ନିଷ୍ପତ୍ତିକୁ ନେଇ ସେ ମଧ୍ୟ ଖପ୍ପା ଥିବା କହିଛନ୍ତି।

ସୂଚନାଯୋଗ୍ୟ ଯେ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ନୟାଗଡ଼ ପରୀ ମୃତ୍ୟୁ ଘଟଣାକୁ ନେଇ ଏସ୍ଆଇଟି ତଦନ୍ତ ଦାବି କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣାର ଏସ୍ଆଇଟି ତଦନ୍ତ ପାଇଁ ଅନୁମତି ଦେଇଥିଲେ। ଯାହାପରେ କଂଗ୍ରେସ ଆଉ ‘ପରୀ’ ମୃତ୍ୟୁ ପ୍ରସଙ୍ଗରେ ମୁହଁ ଖୋଲୁନି। ତେବେ ନିରସିଂହଙ୍କ ଏହି ନିଷ୍ପତ୍ତିରେ ଦଳର ଅନ୍ୟ ବିଧାୟକ କିନ୍ତୁ ନାରାଜ ଅଛନ୍ତି।ଅନ୍ୟପଟେ ପରୀ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଏବେ ମାଇଲେଜ୍ ନେବାରେ ବ୍ୟସ୍ତ ବିଜେପି। ଲଗାତାର ଏହି କଥାକୁ ଉଠାଇ ବିଜେପି ଗୃହରେ ହଟ୍ଟଗୋଳ କରିବା ସହିତ ନ୍ୟାୟ ଦାବି କରିଛି। ତା ସହିତ ଏସ୍ଆଇଟି ବଦଳରେ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଛି ଦଳ। ସରକାରକୁ ସବୁବେଳେ ଘେରିବାକୁ ଲକ୍ଷ୍ୟ ରଖିଥିବା ବିଜେପିକୁ ପରୀ ମୃତ୍ୟୁ ପ୍ରସଙ୍ଗ ଏକ ଭଲ ସୁଯୋଗ ବୋଲି କୁହାଯାଉଛି।

ସୋମବାର ବିଜେପିର ପ୍ରତିନିଧି ଦଳ ପରୀର ବାପା ମା’କୁ ଦେଖା କରିବା ସହିତ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି। ସେପଟେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ଏହି ଘଟଣାକୁ ନେଇ ଦିଲ୍ଲୀରେ ଓଡ଼ିଶା ଭବନ ଘେରାଉ କରିଛନ୍ତି। ବିଜେପି ଏହି ଘଟଣାକୁ କେନ୍ଦ୍ର କରି ହୋ ହଲ୍ଲା କରୁଥିବାବେଳେ କଂଗ୍ରେସର ବିଧାୟକ କାଇଁ ଚୁପ୍ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

Comment