ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷେ ତଳେ ଚୀନରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ସାରା ବିଶ୍ଵକୁ ଗଭୀର ଭାବେ ପ୍ରଭାବିତ କରିଛି। ଏଭଳି ସ୍ଥିତିରେ କରୋନା ଟିକା ହିଁ ଏକ ମାତ୍ର ଆଶା ଭରସା ପାଲଟିଛି। କିନ୍ତୁ ଭାରତ ପକ୍ଷରୁ ଜନସଂଖ୍ୟା ତୁଳନାରେ ଯଥେଷ୍ଟ କମ୍ ଟିକା ବରାଦ ଦିଆଯାଇଛି, ଯାହାକି ଆଗଧାଡ଼ିର କରୋନା ଯୋଦ୍ଧା, ଜରୁରୀ ସେବା ପ୍ରଦାନକାରୀ ବ୍ୟକ୍ତି ଓ ଗୁରୁତର ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ। ତେଣୁ ଜଣେ ସାଧାରଣ ଲୋକ ପାଖରେ ଏହି ଟିକା କେବେ ପହଞ୍ଚିବ ସେନେଇ ଅନିଶ୍ଚିତତା ଦେଖାଦେଇଛି।

ବର୍ତ୍ତମାନ କରୋନା ଟିକା ଦୌଡ଼ରେ ଆଷ୍ଟ୍ରାଜେନିକା, ଫାଇଜର, ମଡର୍ନା, ରୁଷ ଓ ଚାଇନା ଆଗରେ ଅଛନ୍ତି। ଅନ୍ୟପଟେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶଗୁଡ଼ିକ ଟିକା ବାହାରିବା ଆଗରୁ କୋଟି କୋଟି ଡୋଜ୍‌ର କରୋନା ଟିକା ଅର୍ଡର କରିସାରିଲେଣି। ତେବେ ଟିକା ଅର୍ଡର ଦୃଷ୍ଟିରୁ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଦ୍ଵାରା ପ୍ରସ୍ତୁତ ଆଷ୍ଟ୍ରାଜେନିକା ସବୁଠୁ ଆଗରେ ରହିଛି। ଏହି ଟିକା ପାଇଁ ସର୍ବାଧିକ ୧.୫ ବିଲିୟନ ଡୋଜ୍‌ର ଅର୍ଡର ମିଳିଛି। ଆମେରିକା ଓ ୟୁରୋପୀୟ ୟୁନିଅନ୍ ଆଷ୍ଟ୍ରାଜେନିକା ଟିକା ପାଇଁ ୭୦୦ ମିଲିୟନ ଲେଖାଏଁ ଡୋଜ୍ ବରାଦ ଦେଇଛନ୍ତି। ଏହି ତାଲିକାରେ ୫୦୦ ମିଲିୟନ୍ ଟିକା ବରାଦ ସହ ଭାରତ ତୃତୀୟ ସ୍ଥାନରେ ଅଛି।ତେବେ କେତେ ପରିମାଣର କରୋନା ଟିକା ବରାଦ ଦିଆଯାଇଛି ତାହା ଗୁରୁତ୍ଵପୂର୍ଣ୍ଣ ନୁହେଁ। ବରଂ ଏହି ଟିକା ଦେଶର ସମୁଦାୟ ଜନସଂଖ୍ୟାକୁ ପର୍ଯ୍ୟାପ୍ତ କି ନୁହେଁ ତାହା ଦେଖିବାର କଥା। କାରଣ କରୋନା ଭୂତାଣୁକୁ ପ୍ରତିହତ କରିବାକୁ ହେଲେ ଜଣେ ଲୋକକୁ ଦୁଇଥର ଟିକା ନେବାକୁ ପଡ଼ିବ। ତେଣୁ ସେହି ଦୃଷ୍ଟିରୁ ଦେଖିଲେ ଭାରତ ପକ୍ଷରୁ ଯେଉଁ ୫୦୦ ମିଲିୟନ ବା ୫୦ କୋଟି ଆଷ୍ଟ୍ରାଜେନିକା ଟିକା ପାଇଁ ବରାଦ ଦିଆଯାଇଛି ତାହା ଦେଶର ମୋଟ ଜନସଂଖ୍ୟାର ୨୦ ପ୍ରତିଶତରୁ କମ୍ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ହେବ। ଏପରି ସ୍ଥିତିରେ କେବଳ ୨୫ ପ୍ରତିଶତ ଲୋକ କରୋନା ଟିକା ପାଇପାରିବେ।

ପର୍ଯ୍ୟାପ୍ତ ଟିକା ନ ଥିବାରୁ ପ୍ରଥମେ ଆଗଧାଡ଼ିର କରୋନା ଯୋଦ୍ଧା, ପୋଲିସ, ସୁରକ୍ଷା କର୍ମୀ, ଜରୁରୀ ସେବା ପ୍ରଦାନକାରୀ ବ୍ୟକ୍ତି, ଗୁରୁତର ଅସୁସ୍ଥ ରୋଗୀ କରୋନା ଟିକା ପାଇବେ। ଏହି ବର୍ଗର ଲୋକମାନେ ଟିକା ପାଇବା ପରେ ଯାଇ ଅନ୍ୟମାନଙ୍କୁ ଟିକା ମିଳିବ ବୋଲି ଆଶା କରାଯାଇପାରେ।ଆମେରିକା, କାନାଡ଼ା ଓ ୟୁରୋପ ନିଜ ଜନସଂଖ୍ୟାଠାରୁ ଯଥେଷ୍ଟ ଅଧିକ ପରିମାଣର ଟିକା ଅର୍ଡର କରିଛନ୍ତି। ଏଥିସହ ତିନୋଟି ଆଗଧାଡ଼ିର ଟିକା ଯଥା ଫାଇଜର, ଆଷ୍ଟ୍ରାଜେନିକା ଓ ମଡର୍ନା ପାଇଁ ବରାଦ ଦେଇଛନ୍ତି। କିନ୍ତୁ ଭାରତ କେବଳ ଆଷ୍ଟ୍ରାଜେନିକା ଟିକା ପାଇଁ ବରାଦ ଦେଇଛି, ତାହା ପୁଣି ମୋଟ ଜନସଂଖ୍ୟାର ୨୦ ପ୍ରତିଶତରୁ କମ୍।

ସେପଟେ ଆଷ୍ଟ୍ରାଜେନିକା ଟିକାକୁ ନେଇ ଏବେ ବିବାଦ ଦେଖାଦେଇଛି। ଏହି ଟିକା ପରୀକ୍ଷଣ ପରେ ଶରୀରରେ ପାର୍ଶ୍ଵ ପ୍ରତିକ୍ରିୟା ହୋଇଥିବା ଅଭିଯୋଗ କରି ତାମିଲନାଡ଼ୁର ଜଣେ ବ୍ୟକ୍ତି କୋର୍ଟରେ ମାମଲା ରୁଜୁ କରିଛନ୍ତି। ତେଣୁ ଏଭଳି ସ୍ଥିତିରେ ଜଣେ ସାଧାରଣ ଲୋକ ପାଖରେ କରୋନା ଟିକା କେବେ ପହଞ୍ଚିବ ସେନେଇ ଆଶଙ୍କା ସୃଷ୍ଟି ହୋଇଛି।

Comment