ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ଣ୍ଣାଟକର ମାଙ୍ଗାଳୁରୁ ସହରରେ ବର୍ଜ୍ୟ ପ୍ଲାଷ୍ଟିକ୍‌ରୁ ସୁନ୍ଦର ଘର ତିଆରି କରିଛି ‘ପ୍ଲାଷ୍ଟିକ୍ ଫର୍ ଚେଞ୍ଜ୍’ ନାମକ ଏକ ସଂସ୍ଥା।

ଆଜିକାଲି ପୁନଃ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌କୁ ଟି-ସାର୍ଟ, ସ୍ଵେଟର, ବାସନ ଆଦି ତିଆରିରେ ବ୍ୟବହାର କରାଯାଉଥିବା ଆପଣ ଜାଣିଥିବେ। କିନ୍ତୁ ପ୍ଲାଷ୍ଟିକ୍ ଓ ଜରିକୁ ବ୍ୟବହାର କରି ଘର ତିଆରି ହେବା କଥା ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟା ସତ। କର୍ଣ୍ଣାଟକର ମାଙ୍ଗାଳୁରୁ ସହରରେ ମାତ୍ର ୧୦ ଦିନ ଭିତରେ ଏମିତି ଏକ ଘର ତିଆରି କରି ଚର୍ଚ୍ଚାକୁ ଆସିଛି ‘ପ୍ଲାଷ୍ଟିକ୍ ଫର୍ ଚେଞ୍ଜ୍’ ନାମକ ଏକ ସଂସ୍ଥା।

ଏହି ସଂସ୍ଥା ମାଙ୍ଗାଳୁରୁ ସହରରେ ବର୍ଜ୍ୟ ପ୍ଲାଷ୍ଟିକ୍ ଓ ଗୁଟ୍‌ଖା ଜରିରୁ ଏକ ସୁନ୍ଦର ଘର ତିଆରି କରିଛି। ଏହି ଘରେ ଏକ ବଡ଼ ବେଡ୍‌ରୁମ୍, ଷ୍ଟୋର ରୁମ୍, ଗାଧୁଆ ଘର, ରୋଷେଇ ଘର ଅଛି। ଏପରିକି ଘର ଆଗରେ ଅଗଣା ମଧ୍ୟ ରହିଛି। ଏହି ଘର ତିଆରି କରିବା ପାଇଁ ପାଖାପାଖି ୧,୫୦୦ କିଲୋଗ୍ରାମ ବର୍ଜ୍ୟ ପ୍ଲାଷ୍ଟିକ୍ ଏବଂ କିଛି ଗୁଟ୍‌ଖା ପ୍ୟାକେଟ୍ ବ୍ୟବହାର କରାଯାଇଛି।ଘରର ଚଟାଣରେ ସିମେଣ୍ଟ ଓ ଷ୍ଟିଲ୍ ବ୍ୟବହାର କରାଯାଇଛି। ସେହିପରି ସେରାମିକ୍ ଓ ଗ୍ରାନାଇଟ୍ ଟାଇଲ ଏବଂ ମାର୍ବଲ ପଥର ବ୍ୟବହୃତ ହୋଇଛି। ଘରର ଛାତ ଓ କାନ୍ଥରେ କମ୍‌ ଘନତ୍ଵବିଶିଷ୍ଟ ପ୍ଲାଷ୍ଟିକ୍ (ଏଲ୍‌ଡିପି) ଓ ବହୁସ୍ତରୀୟ ପ୍ଲାଷ୍ଟିକ୍ (ଏମ୍‌ଏଲ୍‌ପି) ଲାଗିଛି। ସବୁଠୁ ଖାସ୍ କଥା ହେଉଛି ଏହି ଘର ତିଆରି ପାଇଁ ମାତ୍ର ୧୦ ଦିନ ସମୟ ଲାଗିଥିଲା। ଜଣେ ଅସହାୟ ମହିଳାଙ୍କ ପାଇଁ ପ୍ଲାଷ୍ଟିକ୍ ଫର୍ ଚେଞ୍ଜ୍ ଫାଉଣ୍ଡେସନ ଏହି ଘର ତିଆରି କରିଥିଲା।

ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ସଂସ୍ଥା ବର୍ଜ୍ୟ ପ୍ଲାଷ୍ଟିକ୍‌ରୁ ୧୦୦ଟି ଘର ତିଆରି କରିବାକୁ ଯୋଜନା ରଖିଛି। ଏନେଇ ସଂସ୍ଥାର ମୁଖ୍ୟ ଇମ୍ପାକ୍ଟ ଅଫିସର ଶିଫରାହ ଜାକୁବ୍ କହିଛନ୍ତି, “ଏହା ହେଉଛି ଏକ କଠିନ ସମୟ। ଏପରି ସ୍ଥିତିରେ ଆମକୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସହିତ ଆଗକୁ ବଢ଼ିବାକୁ ପଡ଼ିବ, ଯାହାଦ୍ଵାରା ଗରିବ ଅସହାୟ ଲୋକମାନେ ଉପକୃତ ହୋଇପାରିବେ।”ପ୍ଲାଷ୍ଟିକ୍ ଫର୍ ଚେଞ୍ଜ୍ ଫାଉଣ୍ଡେସନ ସ୍ଥାନୀୟ ଏନ୍‌ଜିଓଗୁଡ଼ିକ ସହ ମିଶି ବର୍ଜ୍ୟ ପ୍ଲାଷ୍ଟିକ୍‌କୁ ବ୍ୟବହାର କରି ଘର ତିଆରି କରୁଛି। ଏହି ଘରଗୁଡ଼ିକୁ ସମାଜର ଗରିବ ଶ୍ରେଣୀର ଲୋକଙ୍କୁ କମ୍ ଟଙ୍କାରେ ଯୋଗାଇ ଦେବାକୁ ଏହି ସଂସ୍ଥା ଲକ୍ଷ୍ୟ ରଖିଛି। ଏହାଛଡ଼ା ଘର ତିଆରି ପାଇଁ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ୍‌କୁ କୌଣସି କମ୍ପାନି ନୁହେଁ, ବରଂ ବର୍ଜ୍ୟ ପ୍ଲାଷ୍ଟିକ୍ ସଂଗ୍ରହ କରୁଥିବା ଲୋକଙ୍କଠାରୁ କିଣାଯାଉଛି। ଫଳରେ ଏହି ଲୋକମାନଙ୍କୁ ରୋଜଗାର ମିଳିପାରୁଛି। ସଂସ୍ଥାର ଏଭଳି ଜନହିତକର ପ୍ରୟାସ ପାଇଁ ଏବେ ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟୁଛି।

Comment