ଓଡ଼ିଶାଲାଇଭ୍ ବ୍ୟୁରୋ

ଅଙ୍ଗୁର ଚାଷ କରି ବର୍ଷକୁ ୪୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମହାରାଷ୍ଟ୍ରର ମହିଳା ଚାଷୀ ସଙ୍ଗୀତା।

ଦିନେ ତାଙ୍କ ଉପରେ ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କାର କରଜ ବୋଝ ଥିଲା। ହେଲେ ସେ କେବେ ବି ନିଜର ଆତ୍ମବିଶ୍ୱାସ ହରେଇନଥିଲେ। କଠିନ ପରିଶ୍ରମ ସହିତ ନିଜର କର୍ତ୍ତବ୍ୟ କରିଚାଲିଥିଲେ। ଯେଉଁ କାରଣରୁ ସେ ଆଜି ଚାଷ କରି ବର୍ଷକୁ ପ୍ରାୟ ୪୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି।

ଏ କାହାଣୀ ହେଉଛି ମହାରାଷ୍ଟ୍ରର ନାସିକ ଅଞ୍ଚଳରେ ଅଙ୍ଗୁର ଚାଷ କରୁଥିବା ୪୬ ବର୍ଷ ବୟସ୍କା ସଙ୍ଗୀତା ବୋରାସତେଙ୍କର। ନିଜକୁ ଜଣେ ସଫଳ ଅଙ୍ଗୁର ଚାଷୀ ଭାବେ ପ୍ରମାଣିତ କରିଥିବା ସଙ୍ଗୀତା, କଠିନ ପରିସ୍ଥିତିକୁ ସାମ୍ନା କରି ଆଜି ସଫଳତାର ସ୍ୱାଦ ଚାଖିଛନ୍ତି। ଯାହା ଅନ୍ୟମାନଙ୍କ ପାଇଁ ଏକ ସୁନ୍ଦର ଉଦାହରଣ ବୋଲି କୁହାଯାଇପାରିବ।ସଙ୍ଗୀତା କହନ୍ତି, “ଆଜିର ସମୟରେ ଆମ ଉତ୍ପାଦିତ ଅଙ୍ଗୁରରୁ ପାଖାପାଖି ଅଧା ବିଦେଶକୁ ପଠାଯାଉଛି। ଦେଶ ଭିତରେ ମଧ୍ୟ ଆମ ଅଙ୍ଗୁରର ବେଶ ଚାହିଦା ରହିଛି। ଯେଉଁଥିରୁ ଭଲ ଦାମ ମଧ୍ୟ ମିଳୁଛି, ହେଲେ ଏଥିପାଇଁ ମୋତେ ଅନେକ କଠିନ ପରିସ୍ଥିତିକୁ ସମ୍ମୁଖୀନ ହେବାକୁ ପଡ଼ିଛି।”

ସ୍ୱାମୀଙ୍କ ସହ ଆରମ୍ଭ କରିଥିଲେ ଚାଷ

ସଙ୍ଗୀତାଙ୍କ କହିବା ମୁତାବକ, ତାଙ୍କ ସ୍ୱାମୀ ଅରୁଣ ଗୋଟିଏ ବ୍ୟାଙ୍କରେ କାମ କରୁଥିଲେ। ଏହି ସମୟରେ ଘରୋଇ କଳି ହେତୁ ତାଙ୍କ ଭାଇମାନଙ୍କ ଭିତରେ ଜମି ଭାଗବଣ୍ଟା ହୋଇଗଲା। ଯେଉଁଥିରୁ ଅରୁଣଙ୍କୁ ୧୦ ଏକର ଜମି ମିଳିଥିଲା।

ଏହାପରେ ଅରୁଣ ଏହି ଜମିରେ ଚାଷ କରିବାକୁ ନିଷ୍ପତ୍ତି ନେଇ ଚାକିରି ଛାଡ଼ିଦେଇଥିଲେ। କିନ୍ତୁ ଚାଷବାସରେ ଅଭିଜ୍ଞତା ନଥିବାରୁ ତାଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। କ୍ଷତି ବଢ଼ିବାରୁ କରଜ ବୋଝ ମଧ୍ୟ ବଢ଼ିବାକୁ ଲାଗିଥିଲା। ଶେଷରେ ବାଧ୍ୟ ହୋଇ ଅରୁଣ ନିଜ ୧୦ ଏକର ଜମିରୁ ଅଢ଼େଇ ଏକର ଜମି ବିକ୍ରି କରିଥିଲେ।ଅରୁଣଙ୍କ ଅକାଳ ମୃତ୍ୟୁ

“୨୦୧୪ ମସିହାରେ ଆମର ଚାଷ ବେଶ ଭଲ ହୋଇଥିଲା। ସେ ବର୍ଷ ଆମର ଭଲ ରୋଜଗାର ହେବ ବୋଲି ମଧ୍ୟ ଆମେ ଭାବିଥିଲୁ। ହେଲେ ଏ ସମୟରେ ଅରୁଣଙ୍କ ଅକାଳ ବିୟୋଗ ହୋଇଯାଇଥିଲା। ସେତେବେଳକୁ ଆମ ଉପରେ ଆହୁରି ୩୦ ଲକ୍ଷ ଟଙ୍କା କରଜ ଥାଏ”,କହିଛନ୍ତି ସଙ୍ଗୀତା।

କରଜ ବୋଝ ଥିଲେ ମଧ୍ୟ ସେ ଏଥିରେ ବ୍ୟସ୍ତ ହୋଇନଥିଲେ ସଙ୍ଗୀତା। ବଂର ନିଜ ଚାଷ ବଢ଼ାଇବାକୁ କଠିନ ପରିଶ୍ରମ ଜାରି ରଖିଥିଲେ। ତେବେ ଚାଷରେ ସେପରି କିଛି ଅଭିଜ୍ଞତା ନଥିବାରୁ ସଙ୍ଗୀତାଙ୍କୁ ମଧ୍ୟ କ୍ଷତି ସହିବାକୁ ପଡ଼ିଥିଲା; କିନ୍ତୁ ସେ ନିଜର ସାହାସ ହରେଇନଥିଲେ।ସଫଳ ଚାଷୀ ହେଲେ ସଙ୍ଗୀତା

କିଛି ବର୍ଷ ଅଙ୍ଗୁର ଚାଷରେ କ୍ଷତି ସହିବା ପରେ ଧିରେ ଧିରେ ଚାଷବାସ ବିଷୟରେ କିଛିଟା ଜ୍ଞାନ ଅର୍ଜନ କରିପାରିଥିଲେ ସଙ୍ଗୀତା। ଏହାପରେ ସେ ମୂଲିଆମାନଙ୍କୁ ନେଇ ସେ ଜୋରସୋରରେ ଚାଷ କାମ ଆଗେଇଥିଲେ। ତେବେ ଏହାରି ଭିତରେ ତାଙ୍କୁ ଅନେକ ଖରାପ ପରିସ୍ଥିତିର ମଧ୍ୟ ସାମନା କରିବାକୁ ପଡ଼ିଥିଲା।

“ପ୍ରତିବର୍ଷ କିଛି ନା କିଛି କାରଣରୁ କ୍ଷତି ସହିବାକୁ ପଡ଼େ। ପାଣିପାଗ ହେତୁ ରାତି ରାତି ଅନିଦ୍ରା ରହି କାମ କରିବାକୁ ପଡ଼େ। ହେଲେ ପରିଶ୍ରମ ଜାରି ରଖିଲେ ସଫଳତା ନିଶ୍ଚୟ ମିଳିବ। ତେବେ ସହାଦ୍ରୀ ଫାର୍ମ ଯୋଗୁଁ ହିଁ ମୁଁ ଆଜି ଏହି ସଫଳତା ପାଇପାରିଛି। ଅଙ୍ଗୁର ଚାଷ କରି ଏହାକୁ କିଭଳି ବଜାରରେ ଭଲ ଦାମରେ ବିକ୍ରି କରିହେବ ତାହା ଏହି ଫାର୍ମ ହିଁ ମୋତେ ଶିଖେଇଛି”, କହିଛନ୍ତି ଅଙ୍ଗୁର ଚାଷୀ ସଙ୍ଗୀତା।ବର୍ଷକୁ ଆୟ କରୁଛନ୍ତି ୪୦ ଲକ୍ଷ

ଅଙ୍ଗୁର ଚାଷରୁ ସଙ୍ଗୀତା ଏବେ ବର୍ଷକୁ ପ୍ରାୟ ୪୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଯେଉଁଥିରୁ ୧୫ ଲକ୍ଷ ଟଙ୍କା ଲାଭାଂଶ ବୋଲି ସେ କୁହନ୍ତି। ଅଙ୍ଗୁର ଚାଷ ସମୟରେ ଏହାର ରକ୍ଷଣାବେକ୍ଷଣାରେ ହିଁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ଲୋକଙ୍କୁ ଉନ୍ନତମାନର ଅଙ୍ଗୁର ଯୋଗାଇବା ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି କୁହନ୍ତି ସଙ୍ଗୀତା।

ବର୍ତ୍ତମାନ ସଙ୍ଗୀତା ତାଙ୍କର ପୁରୁଣା କରଜକୁ ସୁଝିବା ସହିତ ଦୁଇ ଝିଅଙ୍କର ବାହାଘର ମଧ୍ୟ କରିସାରିଲେଣି। ବେଳେବେଳେ ଚାଷରେ କ୍ଷତି ହେଉଥିଲେ ବି ତାଙ୍କର ଆତ୍ମବିଶ୍ୱାସ ତାଙ୍କୁ ସବୁବେଳେ ଆଗରେ ରଖିଛି ବୋଲି ସେ କୁହନ୍ତି।

Comment