ଓଡ଼ିଶାଲାଇଭ୍ ବ୍ୟୁରୋ

ପରୀ ମୃତ୍ୟୁ ଘଟଣାରେ ରାଜ୍ୟ କଂଗ୍ରେସର କଳିକୁ ସ୍ଵୀକାର କରିଛନ୍ତି ପ୍ରଭାରୀ ଚେଲ୍ଲା କୁମାର।

“ପରୀ ପ୍ରସଙ୍ଗରେ କଂଗ୍ରେସ ମଧ୍ୟରେ ମତଭେଦ ରହିଛି। ଭୁଲ ବୁଝାମଣା ହେତୁ ଏପରି ଦ୍ଵନ୍ଦ୍ଵ ସୃଷ୍ଟି ହୋଇଛି। କିନ୍ତୁ ଏ ପ୍ରସଙ୍ଗକୁ ନେଇ ରାଜନୀତି ନହେଉ। ପରୀ ପରିବାରକୁ ନିଶ୍ଚିତ ନ୍ୟାୟ ମିଳିବା ଦରକାର।” ନୟାଗଡ଼ ପରୀ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସର ଦେଖାଦେଇଥିବା ଭିନ୍ନମତକୁ ନେଇ ଶୁକ୍ରବାର ଏପରି କହିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର।

ପରୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ଦିନକୁ ଦିନ ଜୋର୍‌ ଧରିବାରେ ଲାଗିଛି ରାଜନୀତି। ବିଜେପି ଏହି ପ୍ରସଙ୍ଗକୁ ନେଇ ବେଶ୍ ଭଲ ମାଇଲେଜ ନେଉଥିବା ବେଳେ ପଛରେ ପଡ଼ିଯାଇଛି କଂଗ୍ରେସ। ଏହି ପ୍ରସଙ୍ଗରେ କଂଗ୍ରେସ ନେତାମାନଙ୍କ ଭିନ୍ନମତର ବେଶ୍ ଭଲ ଫାଇଦା ଉଠାଉଛି ବିଜେପି। ଏପରିକି ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍‌ ହୋଇଥିବା ବିଜେପି ଅଭିଯୋଗ ମଧ୍ୟ କରିଥିଲା।ଏହାରି ମଧ୍ୟରେ ଶୁକ୍ରବାର ଦିଲ୍ଲୀଦରବାରରୁ ଓଡ଼ିଶା ଆସିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର। ପ୍ରଥମେ କଂଗ୍ରେସ ବିଧାୟକ ଦଳ ସହ ବୈଠକ କରି ପରୀ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ମଧ୍ୟରେ ଦେଖାଦେଇଥିବା ଭିନ୍ନ ମତକୁ ସେ ସ୍ଵୀକାର କରିଛନ୍ତି। ବୁଝାମଣାର ଅଭାବ ପାଇଁ ବିଧାୟକମାନଙ୍କ ମଧ୍ୟରେ ଏପରି ଅଲଗା ଅଲଗା ମତ ଦେଖାଦେଇଥିବା ସେ କହିଛନ୍ତି। କିନ୍ତୁ ପରୀକୁ ନିଶ୍ଚିତ ନ୍ୟାୟ ମିଳିବା ଦରକାର କହିଛନ୍ତି ଚେଲ୍ଲା କୁମାର। ଅନ୍ୟପଟେ ପରୀର ବାପା-ମାଆଙ୍କୁ ଭେଟିବାକୁ ଶନିବାର କଂଗ୍ରେସର ଏକ ଟିମ୍‌ ସହ ନୟାଗଡ଼ ଯିବେ ଚେଲ୍ଲା କୁମାର।

“ସିବିଆଇ ଆଗରୁ ଅନେକ କେସ୍‌ରେ ଫେଲ ମାରିଛି। ତେଣୁ ଏହି ପ୍ରସଙ୍ଗରେ କିପରି ସିବିଆଇ ଉପରେ ଭରଷା କରାଯାଇପାରିବ। ତେଣୁ ପରୀ ଘଟଣାରେ କଂଗ୍ରେସ ଏସ୍‌ଏଇଟି ତଦନ୍ତ ପାଇଁ ପ୍ରଥମେ ଦାବି କରିଥଲା। ଯାହାପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ। କିନ୍ତୁ ବିଜେଡି, ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ। ଅନେକ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିଛି ବିଜେଡି” କହିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର।ପରୀ ପ୍ରସଙ୍ଗରେ ବିଜେପି ନେଉଛି ମାଇଲେଜ୍

ଯେବେଠାରୁ ପରୀର ମୃତ୍ୟୁ ଘଟଣା ଗଣମାଧ୍ୟର ଶିରୋନାମା ପାଲଟିଲା ସେବେଠୁ ବିଜେପି ଏହାକୁ ନେଇ ମୁଖ୍ୟ ପ୍ରସଙ୍ଗ କରିଛି। ପ୍ରଥମେ ବିଧାନସଭା ଭିତରେ ହୋ ହଲ୍ଲା କରିବା ସହ ବିଜେପି ରାଜରାସ୍ତାରେ ମଧ୍ୟ ବିକ୍ଷୋଭ କରିଛି। ଦଳର ନେତାମାନେ ନୟାଗଡ଼ ଯାଇ ‘ପରୀ’ର ବାପା ମା’କୁ ମଧ୍ୟ ଭେଟିଛନ୍ତି। ପରୀ ଘଟଣା ପାଇଁ ପ୍ରଥମ କରି ସିବିଆଇ ତଦନ୍ତ ମଧ୍ୟ ଦାବି କରିଥଲା ବିଜେପି।ପରୀ ପ୍ରସଙ୍ଗରେ କଂଗ୍ରେସ ବିଧାୟକଙ୍କ ଭିନ୍ନମତ

କଂଗ୍ରେସର ନେତାମାନେ ପରୀ ମୃତ୍ୟୁ ପ୍ରସଙ୍ଗରେ ଭିନ୍ନ ଭିନ୍ନ କଥା କହି ପରସ୍ପରକୁ ଦୋଷ ଠେଲିଥିଲେ। କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏସ୍ଆଇଟି ତଦନ୍ତକୁ ଐତିହାସିକ ବୋଲି କହିଥିବାବେଳେ ତାଙ୍କରି ଦଳର ଅନ୍ୟ ବିଧାୟକ କିନ୍ତୁ ଏହାକୁ ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି। ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ସୁର ରାଉତରାୟ ତାଙ୍କ ନେତାଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନଥିବା ଗଣମାଧ୍ୟମ ଆଗରେ କହିଥିଲେ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ କହିବା ମୁତାବକ, କଂଗ୍ରେସ ଏହି ପ୍ରସଙ୍ଗକୁ ପ୍ରଥମେ ବିଧାନସଭାରେ ଉଠାଇଥିଲା। ହେଲେ ସରକାର ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାପରେ କଂଗ୍ରେସ ଶାନ୍ତ ହୋଇଯାଇଥିଲା। କଂଗ୍ରେସ ବିଧାୟକ ଦଳର ନେତା ତାଙ୍କୁ ଯାହା କହିଲେ ସେମାନେ ସେଇଆ କଲେ ବୋଲି ସେ କହିଥିଲେ। ଏଥିସହ ବିଧାୟକ ଦଳ ନେତାଙ୍କ ନିଷ୍ପତ୍ତିରେ ସେ ସନ୍ତୁଷ୍ଟ ନଥିବା ନେଇ ମଧ୍ୟ ଗଣମାଧ୍ୟମ ଆଗରେ କହିଥିଲେ।କଂଗ୍ରେସକୁ ଟାର୍ଗେଟ କରିଥିଲେ ସମ୍ଵିତ ପାତ୍ର

ବିଜେପି ମୁଖପାତ୍ର ସମ୍ବିତ ପାତ୍ର ପରୀ ଘଟଣାକୁ ନେଇ ଦିଲ୍ଲୀରେ ଓଡ଼ିଶା ଭବନ ଘେରାଉ କରିଥିଲେ। ପରୀକୁ ନ୍ୟାୟ ମିଳିବା ନେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର୍‌)ଙ୍କୁ ଦାବିପତ୍ର ମଧ୍ୟ ଦେଇଥିଲେ ସମ୍ଵିତ। ବିଜେପି ଏହି ଘଟଣାକୁ କେନ୍ଦ୍ର କରି ହୋ ହଲ୍ଲା କରୁଥିବାବେଳେ କଂଗ୍ରେସର ବିଧାୟକ କାଇଁ ଚୁପ୍ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ଅନ୍ୟପଟେ ରାହୁଲ ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲୁନଥିବା କହିଥିଲେ ସମ୍ଵିତ। ହାଥରସ ଘଟଣା ବେଳେ ରାହୁଲ ଯେଉଁ ଆଭିମୁଖ୍ୟ ଦେଖାଇଥିଲେ ତାହା ପରୀ ବେଳକୁ କୁଆଡ଼େ ଗଲା ବୋଲି କଂଗ୍ରେସକୁ ପ୍ରଶ୍ନ କରିଥିଲେ ସମ୍ଵିତ ପାତ୍ର।

LEAVE A REPLY

Please enter your comment!
Please enter your name here