ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ଖୋଲିବା ନେଇ ଶନିବାର ବସୁଛି ଛତିଶାନିଯୋଗ ବୈଠକ। ଆଜି ଦିନ ୧୨ଟାରେ ନିଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ବସିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ମନ୍ଦିର ଖୋଲିବା ନେଇ ଆଲୋଚନା ହେବ।

ଶ୍ରୀମନ୍ଦିର କେବେ ଖୋଲିବ, ଯଦି ମନ୍ଦିର ଖୋଲାଯାଏ ତେବେ ଜନଗହଳିକୁ କିପରି ନିୟନ୍ତ୍ରଣ କରାଯାଇପାରିବ ଏନେଇ ଛତିଶାନିଯୋଗ ବୈଠକରେ ବିଶେଷ ଭାବେ ଆଲୋଚନା କରାଯିବ। ଏଥିସହ ପହିଲି ଭୋଗ ନୀତି, ଦେବାଭିଷେକ ଓ ମକର ସଂକ୍ରାନ୍ତି ପାଇଁ ନୀତି ନିର୍ଘଣ୍ଟ ବାବଦରେ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଆଜିର ଏହି ବୈଠକରେ ଛତିଶାନିଯୋଗର କର୍ମକର୍ତ୍ତା, ପୁରୀ ଜିଲ୍ଲାପାଳ ଓ ଏସପି ମଧ୍ୟ ଉପସ୍ଥିତ ରହିବେ।

କରୋନା କଟକଣା ପାଇଁ ଦୀର୍ଘ ୮ ମାସ ହେଲା ଶ୍ରୀମନ୍ଦିର ବନ୍ଦ ରହିଛି। ସାଧାରଣ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାରୁ ବଞ୍ଚିତ ଅଛନ୍ତି। ଭକ୍ତମାନେ କେବଳ ବଡ଼ଦାଣ୍ଡରୁ ଶ୍ରୀମନ୍ଦିର ଦର୍ଶନ କରି ଫେରୁଛନ୍ତି।

ଗତ ମାସରେ ନାଗାର୍ଜୁନ ବେଶ ପୂର୍ବରୁ ବସିଥିବା ଶେଷ ପରିଚାଳନା କମିଟି ବୈଠକରେ ଡିସେମ୍ବର ମାସ ତୃତୀୟ ସପ୍ତାହରେ ଶ୍ରୀମନ୍ଦିର ଖୋଲିପାରେ ବୋଲି ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ସୂଚନା ଦେଇଥିଲେ। ତେଣୁ ଏବେ ପୁରୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କେଉଁ ସବୁ କଟକଣା ସହିତ ମନ୍ଦିର ଖୋଲାଯିବ ସେନେଇ ଶ୍ରୀମନ୍ଦିର ସେବାୟତ ଓ ପ୍ରଶାସନ ମଧ୍ୟରେ ବିଚାରବିମର୍ଶ ଚାଲିଛି।

Comment