ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ୍ କାଳରେ ନୂଆ ସଂସଦ ଭବନ ନିର୍ମାଣ କଥାକୁ ନେଇ ମୋଦୀଙ୍କୁ ଟାର୍ଗେଟ କଲେ କମଲ ହାସନ। ଲୋକମାନେ ଭୋକ ଉପାସରେ ଦିନ କାଟୁଥିବାବେଳେ, ହଜାରେ କୋଟି ଟଙ୍କାରେ ନୂଆ ସଂସଦ ଭବନ ନିର୍ମାଣ ହେବା କେତେଦୂର ଠିକ୍ ବୋଲି ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି କମଲ ହାସନ। ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
କମଲ ହାସନ ଟୁଇଟ୍ କରି ଲେଖିଛନ୍ତି ଯେ, ଯେତେବେଳେ ଚୀନରେ ଗ୍ରେଟ୍ ୱାଲ ନିର୍ମାଣ ହେଲା ସେତେବେଳେ ହଜାର ହଜାର ଲୋକ ପ୍ରାଣ ହରାଇଲେ। ସେତେବେଳେ ଶାସକମାନେ କିନ୍ତୁ ଏହା ଦେଶର ସୁରକ୍ଷା କଥା ବୋଲି କହିଥିଲେ। ବର୍ତ୍ତମାନ କୋଭିଡ୍ ହେତୁ ଲୋକମାନେ ଭୋକ ଉପାସରେ ଦିନ କାଟୁଛନ୍ତି। ଏପରି ସ୍ଥିତିରେ ହଜାରେ କୋଟି ଟଙ୍କାରେ ସଂସଦ ନିର୍ମାଣ ହେବା କେତେଦୂର ଠିକ୍ ବୋଲି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି।
ତାମିଲନାଡୁ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ଅଛି। କମଲ ହାସନ ଏଠାରେ ନିଜ ଦଳ ମକ୍କଲ ନିଧି ମୟ୍ୟମ ସହ ମଇଦାନକୁ ଓହ୍ଲାଇବେ। ତେବେ ନିର୍ବାଚନ ପୂର୍ବରୁ କମଲଙ୍କ ଏହି ଟାର୍ଗେଟକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି।
ସୂଚନାଯୋଗ୍ୟ ଯେ, ଡିସେମ୍ବର ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ନୂଆ ସଂସଦ ଭବନ ପାଇଁ ଶିଳାନ୍ୟାସ କରିଥିଲେ। ୯୭୧ କୋଟି ଟଙ୍କାରେ ଦେଶର ନୂଆ ସଂସଦ ଭବନ ନିର୍ମାଣ ହେବ। ଯେଉଁଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ। କୋଭିଡ୍ କାଳରେ କିନ୍ତୁ ଏପରି ନିର୍ମାଣ କାମ କେତେଦୂର ଠିକ ବୋଲି ବିରୋଧୀମାନେ ପ୍ରଶ୍ନ କରିଛନ୍ତି।

















