ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସ୍କୁଲ ବ୍ୟାଗ୍ ନୀତି ଆସନ୍ତା ୨୦୨୧-୨୨ ଶିକ୍ଷାବର୍ଷରୁ ସମସ୍ତ ରାଜ୍ୟରେ ଲାଗୁ ହେବ।

  • କମିବ ପିଲାଙ୍କ ବ୍ୟାଗ୍ ବୋଝ
  • ପିଲାଙ୍କ ଓଜନଠାରୁ ବ୍ୟାଗର ଓଜନ ୧୦ ପ୍ରତିଶତ କମିବ
  • ପ୍ରତି ୩ ମାସରେ ଗୋଟିଏ ଦିନ ସ୍କୁଲ ବ୍ୟାଗ୍ ଯାଞ୍ଚ୍ ହେବ
  • ପ୍ରି-ପ୍ରାଇମେରୀ ପିଲାଙ୍କୁ ବ୍ୟାଗ୍ ମନା
  • ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ହୋମ୍ଓ୍ୱାର୍କ ରହିବ ନାହିଁ
  • ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ଗୋଟିଏ ନୋଟବୁକ୍
  • ଷଷ୍ଠରୁ ଅଧିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଟାଇମ୍ ଟେବୁଲ ପ୍ରସ୍ତୁତ ହେବ

ଏଣିକି କମିବ ସ୍କୁଲ ପିଲାଙ୍କ ବସ୍ତାନି ବୋଝ। ପିଲାଙ୍କ ଓଜନଠାରୁ ବ୍ୟାଗର ଓଜନ ୧୦ ପ୍ରତିଶତରୁ କମ୍ ରହିବ। ଅର୍ଥାତ୍ ଯଦି ଜଣ ପିଲାଙ୍କ ଓଜନ ୨୦ କିଲୋଗ୍ରାମ ହୋଇଥାଏ ତେବେ ସେ ଦୁଇ କେଜିର ବ୍ୟାଗ୍ ଆଣି ସ୍କୁଲ ଆସିବେ। ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବ୍ୟାଗ୍ ଆଣି ଆସିଲେ ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କ ଅଭିଭାବକଙ୍କୁ ଜଣାଇବେ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସ୍କୁଲ ବ୍ୟାଗ୍ ନୀତି-୨୦୨୦ରେ ଉଲ୍ଲେଖ ରହିଛି। ଏହି ନୂଆ ନୀତିକୁ ୨୦୨୧-୨୨ ଶିକ୍ଷାବର୍ଷରୁ ସମସ୍ତ ରାଜ୍ୟରେ ପାଳନ କରିବା ପାଇଁ ଗଣଶିକ୍ଷା ବିଭାଗ ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ନୂଆ ଶିକ୍ଷା ନୀତି ଅନୁସାରେ, ପ୍ରତି ୩ ମାସରେ ଗୋଟିଏ ଦିନ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗର ଓଜନ ଯାଞ୍ଚ କରାଯିବ। ଏଥିସହ କେଉଁ ଶ୍ରେଣୀର ଏବଂ କେତେ ଓଜନର ପିଲା କେତେ ଓଜନର ବ୍ୟାଗ୍ ନେଇ ସ୍କୁଲ ଆସିବେ ସେନେଇ ପ୍ରତ୍ୟେକ ସ୍କୁଲ ପକ୍ଷରୁ ଏକ ଟେବୁଲ ପ୍ରସ୍ତୁତ କରାଯିବ। ଏ ବାବଦରେ ସ୍କୁଲର ଶିକ୍ଷକ, କର୍ମଚାରୀ, ପିଲାଙ୍କ ଅଭିଭାବକ, ସ୍ଥାନୀୟ ଅଞ୍ଚଳର ଫିଜିସିଆନ୍, କାଉନସେଲରଙ୍କୁ ଅବଗତ କରାଇବେ। ଏଥିସହ ସ୍କୁଲ ବ୍ୟାଗ୍ ଓଜନ ବିଷୟରେ ବିଦ୍ୟାଳୟର ନୋଟିସ୍ ବୋର୍ଡ ସମେତ ସ୍କୁଲ କ୍ୟାମ୍ପସର ପ୍ରମୁଖ ସ୍ଥାନ ଓ ପ୍ରତି ଶ୍ରେଣୀ ଗୃହରେ ଲଗାଇବେ।ପ୍ରତି ୩ ମାସରେ ଗୋଟିଏ ଦିନ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ ଯାଞ୍ଚ କରାଯିବ। ଯଦି କେହି ପିଲା ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବ୍ୟାଗ୍ ଆଣୁଥିବେ ତେବେ ସ୍କୁଲ କର୍ତ୍ତୃପକ୍ଷ ଏନେଇ ଅଭିଭାବକଙ୍କୁ ଅବଗତ କରାଇବେ। ସେହିପରି ପ୍ରି-ପ୍ରାଇମେରୀ ପିଲା ବ୍ୟାଗ୍ ଆଣିବାକୁ ମନା କରାଯାଇଛି। ଅନ୍ୟପଟେ ଷଷ୍ଠରୁ ଅଧିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଟାଇମ୍ ଟେବୁଲ ପ୍ରସ୍ତୁତ କରାଯିବ। ସେମାନେ କେଉଁ ଦିନ କେଉଁ ବହି ନେଇ ଆସିବେ ତାହା ଟାଇମ ଟେବୁଲରେ ଉଲ୍ଲେଖ କରାଯିବ। ତେବେ ଏହି ଟାଇମ ଟେବୁଲ ସହଜ ହେବା ଦରକାର ବୋଲି ସ୍କୁଲ ବ୍ୟାଗ୍ ନୀତିରେ ଉଲ୍ଲେଖ ରହିଛି।

ସେହିପରି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ କେବଳ ଗୋଟିଏ ନୋଟବୁକ୍ ବ୍ୟବହାର କରିବେ। ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ନୋଟବୁକ୍ ରହିବ। ସେଥମଧ୍ୟରୁ ଗୋଟିଏ ନୋଟବୁକ୍ ସେମାନେ ବ୍ୟାଗରେ ଆଣିବେ ଏବଂ ଅନ୍ୟଟି ସ୍କୁଲରେ ରହିବ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଖୋଲା କାଗଜର ଗୋଟିଏ ଫାଇଲକୁ କ୍ଲାସଓ୍ୱର୍କ ଓ ହୋମଓ୍ୱର୍କ ପାଇଁ ବ୍ୟବହାର କରିବେ। ଏହାଛଡ଼ା ଟେକ୍ସଟ ବୁକ୍ ସେୟାରିଂ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ଏହାଦ୍ୱାରା ପାଖାପାଖି ବସୁଥିବା ପିଲାମାନେ ପରସ୍ପର ଭିତରେ ବହି ଅଦଳବଦଳ କରିପାରିବେ।ଆସନ୍ତା ବର୍ଷରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ହୋମ୍ଓ୍ୱର୍କ ଦିଆଯିବ ନାହିଁ। ତେବେ ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଦୁଇ ଘଣ୍ଟାର ହୋମ୍ଓ୍ୱର୍କ ଦିଆଯିବ। ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସପ୍ତାହକୁ ୫ରୁ ୬ ଘଣ୍ଟାର ହୋମ୍ଓ୍ୱାର୍କ ଦିଆଯିବ। ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ଦୁଇ ଘଣ୍ଟାର ହୋମ୍ଓ୍ୱାର୍କ ଦିଆଯିବ। ଛାତ୍ରଛାତ୍ରୀମାନେ କିପରି ହୋମ୍ଓ୍ୱାର୍କ କରିବେ ସେଥିପ୍ରତି ସ୍କୁଲ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବେ। ଶିକ୍ଷକ-ଅଭିଭାବକ ବୈଠକରେ ଏନେଇ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ସଚେତନ କରାଇବେ।

ଅନ୍ୟପଟେ ଛାତ୍ରଛାତ୍ରୀମାନେ ଟ୍ରଲି ବ୍ୟାଗ୍ ଆଣି ସ୍କୁଲ ଆସିବାକୁ ବାରଣ କରାଯାଇଛି। କୌଣସି ବହି ଆଣିବାକୁ କହିବା ବେଳେ ତାହାର ଓଜନ ପ୍ରତି ଶିକ୍ଷକମାନେ ଧ୍ୟାନ ଦେବା ଜରୁରୀ ବୋଲି ଏହି ନୀତିରେ ଉଲ୍ଲେଖ ରହିଛି। ପ୍ରତି ବର୍ଗମିଟର ଅନୁସାରେ ପ୍ରତ୍ୟେକ ବହିର ଓଜନ କେତେ ରହିଛି ସେନେଇ ପ୍ରକାଶକ ସଂସ୍ଥା ବହି ଉପରେ ଛାପିବେ ବୋଲି କୁହାଯାଇଛି।

ସ୍କୁଲ ବ୍ୟାଗ୍ ଓଜନ ଧାର୍ଯ୍ୟ କରିବାରୁ ଏନସିଇଆରଟି, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସମିତି, ସିବିଏସ୍ଇ ସଦସ୍ୟମାନଙ୍କୁ ନେଇ ଗଠିତ ବିଶେଷଜ୍ଞ କମିଟି ଉପରୋକ୍ତ ପ୍ରସ୍ତାବ ଦେଇଛି। ଜାତୀୟ ଶିକ୍ଷା ନୀତି-୨୦୨୦ରେ ଧନ୍ଦାମୂଳକ ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିବାରୁ କମିଟି ଏଭଳି ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।

Comment