ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ନିଜକୁ ଗୁଳି କରି ପ୍ରାଣ ହରାଇଲେ ଶିଖ ଧର୍ମଗୁର ସନ୍ଥ ବାବା ରାମ ସିଂହ।
କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ଦିନକୁ ଦିନ ସାଂଘାତିକ ହେଉଛି। ଆନ୍ଦୋଳନ ସ୍ଥଳରେ ଶିଖ୍ ଧର୍ମ ଗୁରୁ ସନ୍ଥ ବାବା ରାମ ସିଂହଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଚମକାଇ ଦେଇଛି। ଏହି ଘଟଣା ଏବେ ସରକାରଙ୍କ ଉପରେ ଚାପ ଆହୁରି ବଢ଼ାଇଛି। ତେବେ ବାବା ରାମ ସିଂହ କିଏ ଓ ସେ କାହିଁକି ଚାଷୀ ଆନ୍ଦୋଳନ ସମର୍ଥନରେ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେଲେ?
୬୫ ବର୍ଷୀୟ ସନ୍ଥ ବାବା ରାମ ସିଂହ ହରିଆଣାସ୍ଥିତ କରନାଲ ଅନ୍ତର୍ଗତ ସିଙ୍ଗଡ଼ା ଗ୍ରାମର ନିବାସୀ ଥିଲେ। ପଞ୍ଜାବ ଓ ହରିଆଣାରେ ତାଙ୍କର ବେଶ ନାଁ ଥିଲା। ଏଥସହିତ ବାବା ରାମ ସିଂଙ୍କର ଲକ୍ଷ ଲକ୍ଷ ଅନୁଗାମୀ ମଧ୍ୟ ଅଛନ୍ତି। ତାଙ୍କ ଗାଁ ନାଁ ସିଙ୍ଗଡ଼ା ହୋଇଥିବାରୁ ଲୋକେ ତାଙ୍କୁ ସିଙ୍ଗଡ଼ା ବାବା ବୋଲି ମଧ୍ୟ କହୁଥିଲେ। ପଞ୍ଜାବ, ହରିଆଣା ବ୍ୟତୀତ ସାରାଦେଶରେ ନିଜର ପ୍ରବଚନ ପାଇଁ ପ୍ରସିଦ୍ଧ ଥିଲେ ବାବା ରାମ ସିଂହ।
କୃଷି ଆନ୍ଦୋଳନ ହେବା ଦିନରୁ ଲଗାତର ବାବା ରାମ ସିଂହ ଆନ୍ଦୋଳନର ଟିକିନିକ୍ ଖବର ରଖୁଥିଲେ। ସେ ବିଭିନ୍ନ ଚାଷୀ ସଙ୍ଗଠନକୁ ୫ ଲକ୍ଷ ଟଙ୍କା ଦାନ ମଧ୍ୟ କରିଥିଲେ। ଏହାସହିତ ଶୀତ ରାତିରେ ରାଜରାସ୍ତା ଉପରେ ଚାଷୀ ବସିଥିବାରୁ ସେ ଚାଷୀଙ୍କ ମଧ୍ୟରେ କମ୍ବଳ ବଣ୍ଟନ କରିଥିଲେ। କିନ୍ତୁ ସରକାର ଚାଷୀଙ୍କ ଦାବି ପୂରଣ କରି ନଥିବାରୁ ବାବା ଦୁଃଖିତ ଥିଲେ ବୋଲି ତାଙ୍କର କେତେକ ଶିଷ୍ୟ କହିଛନ୍ତି। ଏହାସହିତ ବାବାଙ୍କ ଆତ୍ମହତ୍ୟା ନୁହେଁ ବରଂ କୃଷକଙ୍କ ପାଇଁ ସେ ଆତ୍ମ ବଳିଦାନ ଦେଇଛନ୍ତି ବୋଲି ତାଙ୍କ ଶିଷ୍ୟମାନେ କହିଛନ୍ତି।
ଆତ୍ମହତ୍ୟା ପୂର୍ବରୁ ବାବା ରାମ ସିଂହ ଡାଏରୀରେ ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଲେଖିଯାଇଥିଲେ।
‘‘ଅନ୍ୟାୟ ବିରୋଧରେ ଏହା ଏକ ସ୍ୱର। ଚାଷୀମାନେ ଦୀର୍ଘଦିନରୁ ନିଜର ଅଧିକାର ପାଇଁ ଆନ୍ଦୋଳନ କରୁଛନ୍ତି। ରାସ୍ତା ଉପରେ ବସିଛନ୍ତି। ସରକାର ସେମାନଙ୍କ କଥା ଶୁଣୁ ନାହାନ୍ତି। ଏହି ଦୃଶ୍ୟ ଦେଖି ମତେ ବହୁତ ବାଧିଲା। ଏହା ଅନ୍ୟାୟ, ତେଣୁ ଅନ୍ୟାୟ ସହିବା ଓ ଦେଖିବା ଦୁଇଟା ଯାକ ପାପ’’, ପଞ୍ଜାବୀ ଭାଷାରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବାବା ରାମ ସିଂହ।
ବାବା ରାମସିଂହ ବୁଧବାର ଦିଲ୍ଲୀ ହରିଆଣା ସିଂଘୁ ସୀମାରେ ଚାଷୀଙ୍କୁ ଭେଟିବାକୁ ଯାଇଥିଲେ। ଆନ୍ଦୋଳନସ୍ଥଳରେ ହିଁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପାନିପତସ୍ଥିତ ପାର୍କ ହସ୍ପିଟାଲକୁ ସାଙ୍ଗେ ସାଙ୍ଗେ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବାବା ଯେଉଁ ବନ୍ଧୁକରେ ନିଜକୁ ଗୁଳି କରିଥିଲେ ତା’ ସମ୍ପକରେ ଜଣାପଡ଼ିନି।
ବାବାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଥିଲେ। ଅକାଳୀ ଦଳ ମୁଖିଆ ଶୁଖବୀର ସିଂ ବାଦଲଙ୍କଠାରୁ ଆରମ୍ଭ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଘଟଣାରେ ଦୁଃଖ ପ୍ରକାଶ କରିଥିଲେ।
ଶୁକ୍ରବାର ଦିନ ବାବା ରାମ ସିଂହଙ୍କର ଅନ୍ତିମ ସଂସ୍କାର କରାଯିବ। ଏହାପୂର୍ବରୁ ଆଜି ତାଙ୍କ ଅନୁଗାମୀ ସିଙ୍ଗଡ଼ା ଗାଁରେ ଶେଷ ଦର୍ଶନ କରୁଛନ୍ତି। ଶୁକବ୍ରାର ବାବାଙ୍କ ଅନ୍ତିମ ସଂସ୍କାର କରାଯିବା ପରେ ଡିସେମ୍ବର ତାଙ୍କ ଉଦ୍ଦେଶ୍ୟରେ ଅରଦାସ ରଖାଯିବ।