ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ର କୁନି ଝିଅ ପରୀର ମୃତ୍ୟୁକୁ ନେଇ କିଛି ଗଣମାଧ୍ୟମରେ ଭ୍ରମାତ୍ମକ ଖବର ପ୍ରକାଶ ପାଇବା ପରେ ଏନେଇ ନିଜର ସ୍ପଷ୍ଟୀକରଣ ରଖିଛି ଓଡ଼ିଶା ପୋଲିସ। ଏହି ଘଟଣାକୁ ନେଇ କେହି ବି ମିଛ ଖବର ସୃଷ୍ଟି  ନକରିବାକୁ ଓଡ଼ିଶା ପୋଲିସ ତରଫରୁ ଅନୁରୋଧ କରାଯାଇଛି।

ପୋଲିସ ପକ୍ଷରୁ କୁହାଯାଇଛି ଯେ, ଏସ୍ଆଇଟି ଗାଁ’ର ଲୋକଙ୍କ ସହ ପଚାରାଉଚୁରା କରିବା ସହ ନିଜର ତଦନ୍ତ କରିଛି। ହେଲେ ଏହାକୁ ନେଇ ଗଣମାଧ୍ୟମରେ ବିଭିନ୍ନ କଥା ଦେଖିବାକୁ ମିଳୁଛି। ଏହାଦ୍ୱାରା ତଦନ୍ତ ପ୍ରକ୍ରିୟାରେ କାମ କରୁଥିବା ଅଫିସରମାନେ ନିରୁତ୍ସାହିତ ହୋଇପାରନ୍ତି।ଏଥିସହ ହାଇକୋର୍ଟର ଜର୍ଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ତଦନ୍ତ ପ୍ରକ୍ରିୟା ହେଇଛି। ତେଣୁ ଗଣମାଧ୍ୟମ ଏହାକୁ ନେଇ କୌଣସି ମିଛ ଖବର ପରିବେଷଣ ନକରିବାକୁ ପୋଲିସ ପକ୍ଷରୁ କୁହାଯାଇଛି। ଶେଷରେ ପରୀକୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି ଓଡ଼ିଶା ପୋଲିସ ନିଜର ପ୍ରେସ ଇସ୍ତାହାରରେ କହିଛି।

ନୟାଗଡ଼ର ପରୀ ମୃତ୍ୟୁ ଘଟଣାକୁ ନେଇ ଏବେ ରାଜ୍ୟ ଚାରିଆଡ଼େ ଚର୍ଚ୍ଚା। ଏସ୍ଆଇଟି ମଧ୍ୟ ବନ୍ଦ ଲଫାପା ଭିତରେ ପ୍ରାଥମିକ ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ କରିସାରିଛି। କୁହାଯାଉଛି ଯେ, ପରୀକୁ ପ୍ରଥମେ ଦୁଷ୍କର୍ମ କରିବା ସହ ତାକୁ ହତ୍ୟା କରାଯାଇଛି। ହେଲେ ଏହା କେତେ ଠିକ୍ ଏବଂ କେତେ ଭୁଲ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି।

Comment