ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶର କୃଷକ ସମ୍ମିଳନୀରେ ଯୋଗଦେଲେ ମୋଦୀ।

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଚାଷୀମାନେ ସିଙ୍ଘୁ ସୀମାରେ ନିଜର ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ବିରୋଧୀମାନେ ମଧ୍ୟ ଏହାକୁ ନେଇ କେନ୍ଦ୍ରକୁ ନିଶାଣ ସାଧିବାରେ ବ୍ୟସ୍ତ। ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ମଧ୍ୟପ୍ରଦେଶରେ ଆୟୋଜିତ କୃଷକ ସମ୍ମିଳନୀରେ ଭିଡିଓ କନଫରେନ୍ସି ଜରିଆରେ ଯୋଗଦେବା ସହିତ ନୂଆ କୃଷି ଆଇନର ଲାଭ ବିଷୟରେ ଚାଷୀ ଭାଇମାନଙ୍କୁ ବୁଝାଇଛନ୍ତି।

ବିରୋଧୀମାନେ ନିଜର ରାଜନୈତିକ ଇଚ୍ଛାକୁ ପୂରଣ କରିବାକୁ ଯାଇ ଚାଷୀମାନଙ୍କୁ ଭ୍ରମିତ କରୁଛନ୍ତି ଏବଂ ତାଙ୍କୁ ଉସୁକାଉଛନ୍ତି ବୋଲି ମୋଦୀ କହିବା ସହିତ ସିଧାସଳଖ ବିରୋଧୀମାନଙ୍କୁ ଟାର୍ଗେଟ କରିଛନ୍ତି।ଏମ୍ଏସପିରେ ହେବନି ପରିବର୍ତ୍ତନ

ପ୍ରଧାନମନ୍ତ୍ରୀ ମୋଦୀ ଚାଷୀ ସମ୍ମିଳନୀରେ ଯୋଗଦେଇ କହିଛନ୍ତି ଯେ, ନୂଆ କୃଷି ଆଇନରେ ଏମ୍ଏସପିକୁ ନେଇ ବିଭିନ୍ନ କଥା କୁହାଯାଉଛି। ହେଲେ ଏହି ଆଇନ ଦ୍ୱାରା ଏମ୍ଏସପି ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେବ ନାହିଁ। ଚାଷୀମାନେ ପୂର୍ବଭଳି ନିଜ ଉତ୍ପାଦର ସଠିକ୍ ଦାମ ପାଇବେ।

ପୂର୍ବ ସରକାରରେ ଗହମର ଏମ୍ଏସପି ମାତ୍ର ୧୪୦୦ ଟଙ୍କା ଥିଲା, ହେଲେ ବର୍ତ୍ତମାନର ସରକାରରେ ତାହା ୧୯୭୫କୁ ବୃଦ୍ଧି ପାଇଛି। ସେହିଭଳି ଧାନର ଦାମ ମଧ୍ୟ ୧୩୧୦ ଟଙ୍କାରୁ ବୃଦ୍ଧି ପାଇ ୧୮୭୦ ଟଙ୍କା ଏବଂ ମସୁର ଡାଲିର ଦାମ ୧୯୫୦ ଟଙ୍କାରୁ ୫୧୦୦ ଟଙ୍କାକୁ ବୃଦ୍ଧି ପାଇଛି ବୋଲି ମୋଦୀ କହିଛନ୍ତି।ଜାରି ରହିବ ମଣ୍ଡି ବ୍ୟବସ୍ଥା

ନୂଆ କୃଷି ଆଇନରେ ମଣ୍ଡି ବ୍ୟବସ୍ଥାକୁ ନେଇ ମିଛ ଖବର ଦିଆଯାଉଛି। ଏହି ଆଇନ ଦ୍ୱାରା ମଣ୍ଡି ବ୍ୟବସ୍ଥାର ଉଚ୍ଛେଦ ହେବ ନାହିଁ। ଚାଷୀମାନେ ଚାହିଁଲେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟକୁ ମଣ୍ଡିର ବାହାରେ ବିକ୍ରି କରିପାରିବେ। ଏହାଦ୍ୱାରା ସେମାନେ ହିଁ ଲାଭବାନ ହେବେ ବୋଲି ମୋଦୀ ଚାଷୀମାନଙ୍କୁ ବୁଝାଇଛନ୍ତି।

ଗତ ୭୦ ବର୍ଷ ହେଲା ସରକାର ଚାଷୀ ଭାଇ ଭଉଣୀମାନଙ୍କୁ ମଣ୍ଡିରେ ଫସଲ ବିକ୍ରି କରିବାକୁ କହିଆସିଛି, ହେଲେ ଚାଷୀମାନଙ୍କ ଲାଭକୁ ଆଖି ଆଗରେ ରଖି ନୂଆ ଆଇନରେ ଏହି ବ୍ୟବସ୍ଥା କରାଯାଇଛ ବୋଲି ସେ କହିଛନ୍ତି।ବିରୋଧୀଙ୍କୁ ଟାର୍ଗେଟ

କୃଷି ଆଇନକୁ ନେଇ ଚାଷୀମାନେ ଆଜି ଯେଉଁ ଆନ୍ଦୋଳନରେ ବସିଛନ୍ତି ସେଥିପାଇଁ ବିରୋଧୀ ଦଳମାନଙ୍କୁ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ବିରୋଧୀମାନେ ଜାଣିଶୁଣି କୃଷକଙ୍କ ଭିତରେ ମିଛ ଖବର ପ୍ରଚାର କରୁଛନ୍ତି; ଯେଉଁ କାରଣରୁ ଚାଷୀମାନେ ଆଜି ଏହି ଆଇନକୁ ବିରୋଧ କରୁଛନ୍ତି ବୋଲି ସେ କହିଛନ୍ତି।

ଏହାବାଦ୍ ବର୍ତ୍ତମାନର ସରକାର ସମୟରେ ହିଁ ଚାଷୀମାନେ ଲାଭବାନ ହେବା ସହିତ ସେମାନଙ୍କର ଋଣଛାଡ଼ କରାଯାଇଛି। ୟୁପିଏ ସରକାର ଅମଳରେ କେବଳ ୫୦ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼ କରାଯାଇଥିଲା, ହେଲେ ବର୍ତ୍ତମାନର ସରକାର ଏହାଠାରୁ ଯଥେଷ୍ଟ ଅଧିକ ଋଣ ଛାଡ଼ କରିଛନ୍ତି ବୋଲି ମୋଦୀ କହିଛନ୍ତି।ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ କିଛି ଚାଷୀ ସଙ୍ଗଠନମାନେ ଆପତ୍ତି ଉଠାଇବା ସହ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି। ଏହାକୁ ବିରୋଧ କରି ଚାଷୀ ସଙ୍ଗଠନମାନେ ଦିଲ୍ଲୀର ସିଙ୍ଘୁ ସୀମାକୁ ବନ୍ଦ କରି ରଖିଛନ୍ତି।

କୃଷକ ନେତା ଓ ସରକାରଙ୍କ ପ୍ରତିନିଧିଙ୍କ ଭିତରେ ଏହାରି ଭିତରେ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରିନାହିଁ। ସରକାର ଏଥିରେ ଆବଶ୍ୟକୀୟ ସଂଶୋଧନ ପାଇଁ ରାଜି ହୋଇଥିଲେ ସୁଦ୍ଧା ଚାଷୀ ସଙ୍ଗଠନ ଏହି ଆଇନର ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଦାବି କରୁଛନ୍ତି।

Comment