ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଷୀ ଆନ୍ଦୋଳନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ମୋଦୀ ସରକାର ଉପରେ ଟାର୍ଗେଟ କରିଛନ୍ତି। ଆଉ କେତେ ଅନ୍ନଦାତାଙ୍କର ମୃତ୍ୟୁ ହେଲେ କେନ୍ଦ୍ର ସରକାର ନୂଆ କୃଷି ଆଇନ୍ ପ୍ରତ୍ୟାହାର କରିବେ ବୋଲି ରାହୁଲ ଟୁଇଟ୍ କରି ପ୍ରଶ୍ନ ପଚାରିଛନ୍ତି। ଯାହାକୁ ନେଇ ଏବେ ରାଜନୀତି କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି।

ରାହୁଲ ଶୁକ୍ରବାର ତାଙ୍କ ଟୁଇଟରେ ଏକ ଖବର କାଗଜର ଫଟୋ ସେଆର୍ କରିଛନ୍ତି। ଏହି ଖବରକାଗଜରେ କୃଷକଙ୍କ ମୃତ୍ୟୁକୁ ନେଇ ଏକ ଖବର ପ୍ରକାଶ ପାଇଛି। ଯେଉଁଥିରେ କୁହାଯାଇଛି ଯେ, ଚାଷୀ ଆନ୍ଦୋଳନ ହେତୁ ଦେଶର ବିଭିନ୍ନ ଅଞ୍ଚଳରେ ଅନେକ ଚାଷୀ ଆଖି ବୁଜିସାରିଲେଣି।

ବିକ୍ଷୋଭ ପ୍ରଦର୍ଶନକୁ ୨୨ ଦିନ ବିତିଯାଇଥିବାବେଳେ ଏହା ଭଇତରେ ୪ ଜଣ ଚାଷୀଙ୍କର ମୃତ୍ୟୁ ହୋଇସାରିଲାଣି ବୋଲି ଏହି ଖବର କାଗଜରେ ଉଲ୍ଲେଖ କରାଯାଇଛି। ତା’ ସହିତ ଦିଲ୍ଲୀକୁ ଆନ୍ଦୋଳନ ପାଇଁ ଯିବା ବାଟରେ ମଧ୍ୟ ଏକାଧିକ ଚାଷୀ ଭାଇ ବିଭିନ୍ନ କାରଣରୁ ଆଖି ବୁଜିଥିବା ନେଇ ଏଥିରେ କୁହାଯାଇଛି। ଯାହାକୁ ନେଇ ରାହୁଲ ମୋଦୀ ସରକାର ଉପରେ ହମଲା କରିଛନ୍ତି।

ଗୁରୁବାର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀ ସଙ୍ଗଠନମାନଙ୍କୁ ୮ ପୃଷ୍ଠା ସମ୍ବଳିତ ପତ୍ର ଲେଖିବା ପରେ ଏହାକୁ ନେଇ ଟୁଇଟରରେ ନିଜର ମତ ରଖିଥିଲେ ପ୍ରଧାନମନ୍ତ୍ରୀ। ଚାଷୀ ଆନ୍ଦୋଳନକୁ ନେଇ ବିରୋଧୀମାନେ ଭ୍ରମାତ୍ମକ କଥା କହୁଛନ୍ତି। ତେଣୁ ଚାଷୀମାନେ ଭ୍ରମିତ ନହେଇ ସଠିକ୍ କଥା ବୁଝିବାକୁ ଚେଷ୍ଟା କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ।କେନ୍ଦ୍ର ସରକାର କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଗତ ମୌସୁମୀ ଅଧିବେଶନରେ ସଂସଦରେ ନୂଆ କୃଷି ବିଲ୍ ପାସ୍ କରିଥିଲେ। ଯାହାକୁ ନେଇ ଚାଷୀ ସଙ୍ଗଠନମାନେ ଆନ୍ଦୋଳନ ଚଳାଇଛନ୍ତି। ଏହି ଆଇନକୁ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

ଅନ୍ୟପଟେ କିନ୍ତୁ କେନ୍ଦ୍ର ସରକାର ଏହି ଆଇନରେ କେବଳ ସଂଶୋଧନ କରିବାକୁ ରାଜି ଅଛନ୍ତି। ଏନେଇ ଚାଷୀ ସଙ୍ଗଠନ ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ ମଧ୍ୟରେ ଏକାଧିକ ବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରିନି। ଏଭଳି ସ୍ଥିତିରେ କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ଚାଷୀମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିସାରିଛନ୍ତି।

Comment