ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ୬ ମାସ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛି ଉଦ୍ଧବ ସରକାର। ଲକଡାଉନ୍ କିମ୍ବା ନାଇଟ୍ କର୍ଫ୍ୟୁ ଲାଗୁ କରିବା ବଦଳରେ ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ।

କରୋନା ସଂକ୍ରମଣରେ ମହାରାଷ୍ଟ୍ର ହେଉଛି ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ। ସେଠାରୁ ଏବେ ବି ପ୍ରତିଦିନ ହଜାର ହଜାର ନୂଆ ପଜିଟିଭ୍ କେସ୍ ସାମ୍ନାକୁ ଆସୁଛି। ଯେଉଁ କାରଣରୁ ସେଠାରେ ପୁଣିଥରେ ଲକଡାଉନ୍ ଓ ନାଇଟ୍ କର୍ଫ୍ୟୁ ଲଗାଇବାକୁ ବିଶେଷଜ୍ଞମାନେ କହିସାରିଲେଣି। ହେଲେ ଲକଡାଉନ୍ ବଦଳରେ ସେଠାରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

ଏହାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ୬ ମାସ ପର୍ଯ୍ୟନ୍ତ ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଏହି ନିୟମକୁ ଖିଲାପ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କରି ସେମାନେ ନିଜେ ହିଁ ନିଜ ଜୀବନ ବିପଦରେ ପକାଉଛନ୍ତି ବୋଲି ଉଦ୍ଧବ କହିଛନ୍ତି।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ସଂକ୍ରମଣ ସୀମା ଖସିଥିଲେ ବି ଏବେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇନାହିଁ। ଶନିବାର ସେଠାରୁ ଆଉ ୩,୯୪୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮,୯୨,୭୦୭କୁ ବୃଦ୍ଧି ପାଇଛି। ତା’ ସହ ମହାରାଷ୍ଟ୍ରରେ କରୋନା ମୃତ୍ୟୁ ମଧ୍ୟ ୪୮ ହଜାର ଟପିଛି।

Comment