ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ନିର୍ବାଚନ ପରେ ରାଜ୍ୟରେ ବଡ଼ ଭାଇ ହୋଇଯାଇଛି ବିଜେପି। ମୁଖ୍ୟମନ୍ତ୍ରୀ ପଦ ମିଳିଥିଲେ ମଧ୍ୟ ନୀତିଶଙ୍କ ଜେଡିୟୁ ପଛରେ ରହିଯାଇଛି। ତେଣୁ ଜେଡ଼ିୟୁର ହାତ ଟାଣ କରିବାକୁ ନୀତିଶ କୁମାର ନୂଆ ଯୋଜନା କରୁଥିବା ଶୁଣିବାକୁ ମିଳୁଛି। ଏଥିପାଇଁ ବିରୋଧୀ ଦଳରୁ ବିଧାୟକମାନଙ୍କୁ ଜେଡ଼ିୟୁକୁ ଆଣିବା ପାଇଁ ଯୋଜନା କରୁଛନ୍ତି ନୀତିଶ। ଅନ୍ୟପଟେ ବିରୋଧୀ ଆରଜେଡି ମଧ୍ୟ ସମାନ ଯୋଜନା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ବିଶେଷ କିଛି ଖବର ଆସି ନ ଥିଲେ ମଧ୍ୟ, ଜେଡିୟୁ ଟାର୍ଗେଟରେ ଏବେ ୮ ସ୍ୱାଧୀନ ବିଧାୟକ, କଂଗ୍ରେସର ୧୯ ବିଧାୟକଙ୍କ ସମେତ କିଛି ଆରଜେଡି ବିଧାୟକ ରହିଥିବା ଶୁଣିବାକୁ ମିଳୁଛି। ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ନେତା ଉପେନ୍ଦ୍ର କୁଶୱାହାଙ୍କୁ ଜେଡିୟୁରେ ସାମିଲ କରିବା ପାଇଁ ଚାହୁଁଛନ୍ତି ନୀତିଶ। ଉପେନ୍ଦ୍ର ଜେଡିୟୁ ଅଧୀନକୁ ଆସିଲେ, ଦଳ ଜଣେ ଟାଣୁଆ ନେତା ପାଇବା ସହ, ହଲଚଲ ହେଉଥିବା ଅନ୍ୟ ଦଳର ବିଧାୟକମାନଙ୍କ ସହ ଭଲରେ ଯୋଗାଯୋଗ କରିହେବ ବୋଲି ନୀତିଶ ଆଶା ରଖିଛନ୍ତି।ଜେଡିୟୁ ମୁଖ୍ୟ ବଶିଷ୍ଠନାରାୟଣ ସିଂହଙ୍କ ସହ ଅନ୍ୟ ଦଳର କିଛି ବିଧାୟକମାନେ ନିୟମିତ ଯୋଗାଯୋଗରେ ଅଛନ୍ତି। ବିଏସପିର ଏକମାତ୍ର ବିଧାୟକ ଜେଡିୟୁ ମୁଖ୍ୟଙ୍କ ସହ କଥା ହୋଇସାରିଛନ୍ତି। କୌଣସି ମୂହୁର୍ତ୍ତରେ ସେ ଜେଡିୟୁରେ ସାମିଲ ହୋଇପାରନ୍ତି। ଏକମାତ୍ର ବିଧାୟକ ହୋଇଥିବାରୁ ଆଣ୍ଟି ଡିଫେକ୍ସନ ନିୟମ ତାଙ୍କ କ୍ଷେତ୍ରରେ ଲାଗୁ ହେବନାହିଁ।

ସେହିପରି କଂଗ୍ରେସ କିଛି ବିଧାୟକମାନେ ଶିକ୍ଷାମନ୍ତ୍ରୀ ଅଶୋକ ଚୌଧୁରୀଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି। ଅଶୋକ ନିର୍ବାଚନ ପୂର୍ବରୁ ଜେଡିୟୁରେ ଯୋଗଦେଇଥିଲେ। ତା ପୂର୍ବରୁ ସେ ବିହାର କଂଗ୍ରେସର ମୁଖ୍ୟ ଥିଲେ। ଏବେ ବି ତାଙ୍କ ସହ କଂଗ୍ରେସ ବିଧାୟମାନେ ଯୋଗାଯୋଗରେ ଅଛନ୍ତି। ଅତି କମରେ ୧୩ ବିଧାୟକ ଏକାଠି ହେଲେ ହିଁ ଆଣ୍ଟି ଡିଫେକ୍ସନ ନିୟମ ଲାଗୁ ହେବନାହିଁ। ତେଣୁ କଂଗ୍ରେସକୁ ବିଭାଜନ କରି ବିଧାୟକମାନଙ୍କୁ ଜେଡିୟୁ ଅଧୀନକୁ ଆଣିବା ପାଇଁ ଅଶୋକଙ୍କୁ ଦାୟିତ୍ୱ ଦିଆଯାଇଥିବା ରାଜନୀତି ମହଲରେ ଚର୍ଚ୍ଚା ହେଉଛି।

ରାଜନୀତି ସମୀକ୍ଷକଙ୍କ ମତରେ କଂଗ୍ରେସକୁ ଭାଙ୍ଗିବା ଜେଡିୟୁ ପକ୍ଷେ ସହଜ ହେବ। ଉପେନ୍ଦ୍ରନାଥ କୁଶଓ୍ୱାହାଙ୍କୁ ଜେଡିୟୁ ଆଣିଲେ ସଂଖ୍ୟା ଦୃଷ୍ଟିରୁ ବିଶେଷ କିଛି ଲାଭବାନ ହେବନାହିଁ, କିନ୍ତୁ ସେ ରାଜ୍ୟର ୬ ପ୍ରତିଶତ ଭୋଟକୁ ଏପଟସେପଟ କରିବାର କ୍ଷମତା ରଖିଥିବାରୁ ଜେଡିୟୁ ପାଇଁ ୨୦୨୫ ନିର୍ବାଚନରେ ଫାଇଦା ହୋଇପାରେ। ଅଥବା ଯଦି କୌଣସି କାରଣରୁ ସରକାର ଭାଙ୍ଗିଯାଏ, ତେବେ ଜେଡିୟୁର ସ୍ଥିତି ଆଉ ଦୁର୍ବଳ ହେବନାହିଁ ବୋଲି ନୀତିଶ ଚିନ୍ତା କରିଛନ୍ତି। ଜେଡିୟୁରେ ସାମିଲ ହେବା ପାଇଁ କୁଶୱାହା ୨ଟି ସର୍ତ୍ତ ରଖିଛନ୍ତି, ଗୋଟିଏ ତାଙ୍କ ପତ୍ନୀଙ୍କୁ ବିହାର ଏମଏଲସି ସିଟ୍ ଓ ତାଙ୍କୁ ରାଜ୍ୟସଭା ଟିକଟ।ସେପଟେ ଆରଜେଡି ମଧ୍ୟ ବିଧାୟକ ଶିକାର କରିବା ଯୋଜନାରେ ରହିଛି। ଜେଲରେ ରହି ଲାଲୁ ଏସବୁ ପରିଚାଳନା କରୁଥିବା ନେଇ ପୂର୍ବରୁ ମଧ୍ୟ ଅଭିଯୋଗ କରିସାରିଛନ୍ତି ବିଜେପି ନେତା ସୁଶୀଲ ମୋଦି। ଆରଜେଡ଼ି, ଜେଡିୟୁକୁ ଶିକାର କରି ଦୁର୍ବଳ କରିଦେବା ପୂର୍ବରୁ ନୀତିଶ ଆଗୁଆ ଏହି ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ତେବେ କୁଶୱାହାଙ୍କୁ ରାଜ୍ୟସଭା ସିଟ୍ ପ୍ରଦାନ କରିବା ସର୍ତ୍ତରେ ବିଜେପି ରାଜି ହେବ କି ନାହିଁ ତାହା ଦେଖିବାକୁ ବାକି ରହିଲା।

Comment