ଓଡ଼ିଶାଲାଇଭ୍ ବ୍ୟୁରୋ

“ଛାତ୍ରମାନେ ହେଉଛନ୍ତି ଓଡ଼ିଆ ଜାତିର ଭବିଷ୍ୟତ। ସେମାନେ ହିଁ ଓଡ଼ିଶାର ନୂଆ ଯୁଗର ସାରଥୀ। ଛାତ୍ରମାନେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ସୁରକ୍ଷା ଦେବା ସହ ଓଡ଼ିଆ ଅସ୍ମିତାକୁ ଆଗକୁ ନେଇପାରିବେ”, କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ବୁଧବାର ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି, ଜୋନ୍ ସଭାପତି ଓ ରାଜ୍ୟ ଛାତ୍ର କାର୍ଯ୍ୟକାରିଣୀ ନେତୃମଣ୍ଡଳୀ ଉପସ୍ଥିତ ଅଛନ୍ତି। ତୃଣମୂଳ ସ୍ତରରେ କିଭଳି ଛାତ୍ର ସଂଗଠନକୁ ମଜଭୁତ କରାଯିବ ଏବଂ ରାଜ୍ୟ ସରକାରଙ୍କ ସଫଳ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ବୈଠକରେ ଆଲୋଚନା ହେଉଛି।

ଏହି ବୈଠକରେ ଛାତ୍ରମାନଙ୍କୁ ପରାମର୍ଶ ଦେଇ ନବୀନ କହିଛନ୍ତି, “ଛାତ୍ରମାନେ ସବୁବେଳେ ତିନୋଟି କଥା ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ପ୍ରଥମେ ନିଜ ଭିତରେ ଥିବା ଦକ୍ଷତାର ବିକାଶ ପାଇଁ କଠିନ ପରିଶ୍ରମ କରିବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଉଚିତ। ଦ୍ୱିତୀୟରେ ନିଜ ପରିବାର ଓ ବାପା ମା’ଙ୍କ ପ୍ରତି ଥିବା ଦାୟିତ୍ୱକୁ କେବେ ବି ଭୁଲିବା ଉଚିତ ନୁହେଁ। ଏଥିସହ ଆମେ ଯେଉଁ ସମାଜରେ ବଢ଼ିଛେ, ପଢ଼ିଛେ ଓ ନିଜକୁ ଗଢ଼ିଛେ ତାର ବିକାଶ ପାଇଁ ନିଜ ଦକ୍ଷତାର ପୂରା ଉପଯୋଗ କରିବା ଆବଶ୍ୟକ।”ନବୀନ ଆହୁରି କହିଛନ୍ତି ଯେ, ଏବେ ହେଉଛି ସୋସିଆଲ ମିଡିଆ ଓ ଡିଜିଟାଲ ମିଡିଆର ଯୁଗ। ଆମ ଜୀବନରେ ଏହା ଏକ ପ୍ରମୁଖ ଅଙ୍ଗ ପାଲଟିଛି। କିନ୍ତୁ ଏଥିରେ ଅନେକ ସମୟରେ ଭୁଲ୍ ସୂଚନା ମିଳୁଛି, ଯାହାକି ସାମାଜିକ ସଦଭାବର ସବୁଠୁ ବଡ଼ ଶତ୍ରୁ। ତେଣୁ ଏଥିପ୍ରତି ସତର୍କ ରହି ଲୋକଙ୍କ ପାଖରେ ଠିକ୍ ସୂଚନା ପହଞ୍ଚାଇବା ଛାତ୍ରମାନଙ୍କ ଦାୟିତ୍ୱ।

ଓଡ଼ିଆ ବରପୁତ୍ରମାନଙ୍କୁ ମନେ ପକାଇ ସେ କହିଛନ୍ତି ଯେ, ଆମ ପୂର୍ବପୁରୁଷମାନେ ହେଉଛନ୍ତି ଆମର ପରିଚୟ। ସେମାନଙ୍କ ତ୍ୟାଗକୁ ଆମେ ସବୁବେଳେ ମନେ ରଖିବା ଉଚିତ। ତେଣୁ ପୂର୍ବପୁରୁଷମାନଙ୍କୁ ମନେ ପକାଇବା ସହ ଓଡ଼ିଶା ପ୍ରତି ସେମାନଙ୍କ ଅବଦାନ ବିଷୟରେ ପଢ଼ିବା ଓ ଜାଣିବା ଉଚିତ।ଏହି ଅବସରରେ ନବୀନ ବାରିପଦାରେ ଥିବା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ନାମରେ ନାମିତ କରିବା ନେଇ ଘୋଷଣା କରିଛନ୍ତି। ଏଥିସହ ବିଶ୍ୱବିଦ୍ୟାଳୟ ଲାଇବ୍ରେରୀର ଉନ୍ନତୀକରଣ ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ନବୀନ କହିଛନ୍ତି।

Comment