ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଉ ୪ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି। ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ  ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଏହି ରାଙ୍କିଙ୍ଗ୍‌ରେ ଓଡ଼ିଶା ପାଇଁ ପୁଣି ଥରେ ଗୌରବ ଆଣିଛନ୍ତି ସୋଆର ଏହି ୪ ଗବେଷକ।

ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ନାମ ପାଇଥିବା ୪ ଗବେଷକ ହେଲେ ପ୍ରଫେସର ଗୌତମ ରଥ, ଡକ୍ଟର ମନୋଜ କୁମାର ନାୟକ, ଡକ୍ଟର ସତ୍ୟ ରଞ୍ଜନ ମିଶ୍ର ଏବଂ ଡକ୍ଟର ଦେବବ୍ରତ ପ୍ରଧାନ। ସୋଆ ରେଜିଷ୍ଟ୍ରାର୍ ପ୍ରଫେସର ବିଭୁତି ଭୁଷଣ ପ୍ରଧାନ ଓ ଡିନ୍ (ଗବେଷଣା) ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଉପସ୍ଥିତିରେ ସୋଆ କୁଳପତି ପ୍ରଫେସର ଅଶୋକ ମହାପାତ୍ର ଚାରି ଗବେଷକଙ୍କୁ ଶନିବାର ସମ୍ବର୍ଦ୍ଧିତ କରିଛନ୍ତି।

ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୧ ଲକ୍ଷ ବୈଜ୍ଞାନିକମାନଙ୍କୁ ନେଇ ଏହି ତାଲିକା କରାଯାଇଥିଲା। ଥେସିସ୍ ସମ୍ପର୍କିତ ସୂଚନା, ଏଚ୍ ଇଣ୍ଡେକ୍ସ, କୋ-ଅଥରିସିପ୍ ଏବଂ ସମଗ୍ର ସୂଚକକୁ ଆଧାର କରି ଏହି ବିଶ୍ଳେଷଣ କରାଯାଇ ନିକଟରେ ଏହି ଡାଟାବେସ୍ ପ୍ରସ୍ତୁତ କରାଯାଇଛି।ପ୍ରଫେସର ଗୌତମ ରଥ ବର୍ତ୍ତମାନ ସୋଆର ଫ୍ୟାକଲ୍ଟି ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍, ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍‌ରେ ଫାର୍ମାସ୍ୟୁଟିକ୍ସ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡକ୍ଟର ନାୟକ ସୋଆ ଅଧିନସ୍ଥ +୨ ସାଇନ୍ସ କଲେଜ ଇଷ୍ଟିଚ୍ୟୁଟ୍ ଅଫ୍ ହାଇଅର୍ ସେକେଣ୍ଡାରି ଏଜୁକେସନ୍ (ଆଇଏଚ୍ଏସ୍ଇ) ଅଧ୍ୟାପକ ଭାବେ କାର୍ଯ୍ୟରତ। ସେହିପରି ଡକ୍ଟର ମିଶ୍ର ଏବଂ ଡକ୍ଟର ପ୍ରଧାନ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ରେ ଫ୍ୟାକଲ୍ଟି ଭାବେ କାର୍ଯ୍ୟରତ ଅଛନ୍ତି।

ସମ୍ବର୍ଦ୍ଧିତ ହୋଇଥିବା ଏହି ୪ ଗବେଷକଙ୍କ ମଧ୍ୟରୁ ପ୍ରଫେସର ଗୌତମ ରଥ ଔଷଧ ଏବଂ ବାୟୋ ଆକ୍ଟିଭ୍‌ସ ଶରୀରର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚାଇବା ନିମନ୍ତେ ନାନୋ ଟେକ୍ନୋଲୋଜି ଉପରେ ଗବେଷଣା କରୁଥିବା ବେଳେ ବିଭିନ୍ନ ପ୍ରତିଷ୍ଠିତ ଜର୍ନାଲ୍‌ରେ ୧୫୦ଟି ଗବେଷଣା ଥେସିସ୍ ପ୍ରକାଶ କରିଛନ୍ତି। ସେ ୪ଟି ଟେକ୍ସଟ୍ ବୁକ୍ ମଧ୍ୟ ରଚନା କରିଛନ୍ତି। ବର୍ତ୍ତମାନ ସେ ଔଷଧ ଓ ଭ୍ୟାକ୍ସିନ୍ ପ୍ରସ୍ତୁତ ନିମନ୍ତେ ବ୍ୟବହାର କରାଯାଉଥିବା ନନ୍ ଇନଭିସିଭ୍ ଡ୍ରାଏ ପାଉଡର୍ ଇନ୍ହେଲର୍ ନିମନ୍ତେ ଲିପିଡ୍/ପଲିମର୍/ ପଲିସାରାଇଡ୍ସ ମିଶ୍ରିତ ଇମ୍ୟୁନୋମୋଡୋଲେଟର୍ସ ପ୍ରସ୍ତୁତି କ୍ଷେତ୍ରରେ ଗବେଷଣା କରୁଛନ୍ତି।

ସେହିପରି ଡକ୍ଟର ମନୋଜ କୁମାର ନାୟକ ୧୯୯୫ ମସିହାରେ ଏନ୍ଆଇଟି, ରାଉରକେଲାରୁ ଏମ୍ଏସ୍‌ସି କରିଥିବା ବେଳେ ୨୦୧୫ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଛନ୍ତି। ସେ ନାନୋଫ୍ଲୁଇଡ୍‌ସ କ୍ଷେତ୍ରରେ ଗବେଷଣାରତ। ସେ ୨୨ ବର୍ଷ ଧରି ପଦାର୍ଥ ବିଜ୍ଞାନ ଶିକ୍ଷା ପ୍ରଦାନ କରୁଥିବା ବେଳେ ତାଙ୍କର ୮୩ ଟି ଗବେଷଣା ଥେସିସ୍ ପ୍ରକାଶ ପାଇଛି। ଏନେକ ଗବେଷଣାରତ ସ୍କଲାର୍ ତାଙ୍କ ଅଧିନରେ କାର୍ଯ୍ୟ କରୁଛନ୍ତି।

ଡକ୍ଟର ସତ୍ୟ ରଞ୍ଜନ ମିଶ୍ର ଆଇଟିଇଆର୍ ଗଣିତ ବିଭାଗରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ। ସୋଆରୁ ଏମ୍.ଟେକ୍ ଏବଂ ପିଏଚ୍‌ଡି ହାସଲ କରିଥିବା ବେଳେ ସେ ଅନେକ ପିଏଚ୍‌ଡି ଛାତ୍ରଙ୍କୁ ଗବେଷଣାରେ ସହଯୋଗ କରୁଛନ୍ତି। ୧୨୫ଟି ଗବେଷଣାରତ ଥେସିସ୍ ସେ ପ୍ରସ୍ତୁତ କରିଛନ୍ତି। ସେହିପରି ଡକ୍ଟର ଦେବବ୍ରତ ପ୍ରଧାନ ସୋଆର ବାୟୋ-ଫୁଏଲ୍ସ ଏବଂ ବାୟୋ-ପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଣ୍ଟରରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ। ସେ ବାୟୋଚାର୍ ଆଣ୍ଡ ବାୟୋଫୁଏଲ୍ସ, ୱେଷ୍ଟ ୱାଟର୍ ଟ୍ରିଟମେଣ୍ଟ, ବାୟୋମିନେରାଲ୍ ପ୍ରୋସେସିଙ୍ଗ୍, ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ ଏବଂ ବାୟୋମ୍ୟାଟେରିଆଲ୍ସ କ୍ଷେତ୍ରରେ ଗବେଷଣାରତ।ଦୁଇ ମାସ ପୂର୍ବରୁ ପ୍ରକାଶ ପାଇଥିବା ଏହି ତାଲିକାରେ ସୋଆର ୭ ଜଣ ବିଶିଷ୍ଟ ଗବେଷକ ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର, ପ୍ରଫେସର ଡକ୍ଟର ପ୍ରଦୀପ୍ତ କିଶୋର ଦାସ, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ଆର୍.ଏନ୍.ପି. ଚୌଧୁରୀ, ପ୍ରଫେସର ଜେ.ସି. ମିଶ୍ର ଏବଂ ଡକ୍ଟର ନିହାରବାଳା ଦେବୀ ସ୍ଥାନ ପାଇଥିଲେ। ଏହି ୭ ଜଣ ଗବେଷକଙ୍କ ପରେ ଆଉ ୪ ଜଣଙ୍କ ନାମ ଏହି ତାଲିକାକୁ ଆସିବା ଫଳରେ ସୋଆର ମୋଟ୍ ୧୧ ଜଣ ଗବେଷକ ବିଶ୍ୱର ୨ ପ୍ରତିଶତ  ବୈଜ୍ଞାନିକ ତାଲିକାରେ ସାମିଲ ହୋଇଛନ୍ତି। ନାସନାଲ୍ ଇଷ୍ଟିଚ୍ୟୁଟ୍ ଅଫ୍ ରାଙ୍କିଙ୍ଗ୍ ଫ୍ରେମ୍‌ଓ୍ଵାର୍କ (ଏନ୍ଆଇଆର୍‌ଏଫ୍) ରାଙ୍କିଙ୍ଗ୍ – ୨୦୨୦ରେ ସୋଆ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ୨୦ ତମ ସ୍ଥାନ ହାସଲ କରିଛି।

Comment