ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ରାଜ୍ୟରେ ନିର୍ବାଚିତ ଲୋକ ପ୍ରତିନିଧି ଏବଂ ସରକାରୀ କର୍ମଚାରୀ ସେମାନଙ୍କର ସମ୍ପତ୍ତି ତାଲିକା ଦେବେ। ସରପଞ୍ଚଠୁ ନେଇ ମୁଖ୍ୟମନ୍ତ୍ରୀ, କିରାଣୀଠୁ ନେଇ ସଚିବ ସମସ୍ତେ ନିଜ ନିଜର ବାର୍ଷିକ ସମ୍ପତ୍ତି ତାଲିକା ଦେବା ବାଧ୍ୟତାମୂଳକ। ସେହିପରି ରାଜ୍ୟର ସମସ୍ତ ବରପୁତ୍ରମାନଙ୍କ ଜନ୍ମସ୍ଥାନକୁ ଆଦର୍ଶ ଗ୍ରାମର ରୂପ ଦିଆଯିବ। ସୋମବାର ରାଜ୍ୟ କ୍ୟାବିନେଟରେ ଏଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।

କ୍ୟବିନେଟର ଏହି ନିଷ୍ପତ୍ତିରେ କୁହାଯାଇଛି ଯେ, ଲୋକ ପ୍ରତିନିଧି ଏବଂ ସରକାରୀ କର୍ମଚାରୀମାନଙ୍କର ଏହି ସମ୍ପତ୍ତି ତାଲିକାଗୁଡ଼ିକୁ ରାଜ୍ୟର ସାଧାରଣ ଲୋକଙ୍କ ସୂଚନା ପାଇଁ ପବ୍ଲିକ ଡୋମେନରେ ରଖାଯିବ। ଏହି ତାଲିକାର ଏକ ନକଲ ପ୍ରତିବର୍ଷ ଲୋକାୟୁକ୍ତଙ୍କ ପାଖକୁ ପଠାଯିବ।

ସେହିପରି ରାଜ୍ୟର ବରପୁତ୍ରମାନଙ୍କୁ ସମ୍ମାନ ଜଣାଇ ଆଜି କ୍ୟାବିନେଟରେ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ବରପୁତ୍ରମାନଙ୍କ ଜନ୍ମସ୍ଥାନକୁ ଆଦର୍ଶ ଗ୍ରାମରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିସହ ପିଲାଙ୍କ ପାଠ୍ୟକ୍ରମରେ ବରପୁତ୍ରମାନଙ୍କ କାର୍ଯ୍ୟ ଓ ଜୀବନୀ ଆଧାରିତ ବିଷୟଗୁଡ଼ିକୁ ସାମିଲ କରାଯିବ।

ଅନ୍ୟପଟେ ସପ୍ତମ, ଅଷ୍ଟମ ଏବଂ ଦଶମ ଶ୍ରେଣୀ ପାଇଁ ସ୍ଵତନ୍ତ୍ର ପ୍ରକ୍ରିୟାରେ ବିଷୟ ଚୟନ କରିବାର ବ୍ୟବସ୍ଥା ରଖାଯିବ। ମେଧାବି ଛାତ୍ରଛାତ୍ରୀଙ୍କୁ ସ୍ଵତନ୍ତ୍ର ସମ୍ମାନ ସହ ବାର୍ଷିକ ବୃତ୍ତି ପ୍ରଦାନ କରାଯିବ। ଏଥିପାଇଁ ଶିକ୍ଷାବିତ୍ ଏବଂ ମାନ୍ୟଗଣ ବ୍ୟକ୍ତିଙ୍କୁ ନେଇ ଏକ କମିଟି ନିର୍ମାଣ କରିବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି ସରକାର।

Comment