ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୮ ତାରିଖରେ ଦେଶର ପ୍ରଥମ ଚାଳକବିହୀନ ଟ୍ରେନ୍ ଉଦଘାଟନ କରିଛନ୍ତି। ଏହା ସହିତ ନାସନାଲ୍ କମନ୍ ମୋବିଲିଟି କାର୍ଡ(ଏନସିଏମସି) ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଛି। ଡିଜିଟାଲ ଭାରତ ପାଇଁ ଏହା ଆଉ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ତେବେ କ’ଣ ଏହି ଏନସିଏମସି କାର୍ଡ ଏବଂ ଏହାକୁ କିପରି ବ୍ୟବହାର କରାଯିବ ଜାଣନ୍ତୁ।

ଏନସିଏମସି କାର୍ଡ କ’ଣ?

ନାସନାଲ୍ କମନ୍ ମୋବିଲିଟି କାର୍ଡକୁ ‘ଓ୍ୱାନ୍ ନେସନ୍, ଓ୍ୱାନ୍ କାର୍ଡ’ ଆଧାରରେ ବ୍ୟବହାର କରାଯିବ। ଏହା ଏକ କଣ୍ଟାକ୍ଟବିହୀନ ଏଟିଏମ୍ କାର୍ଡ ପରି କାମ କରିବ। ଏନସିଏମସି ସେବା ଗତ ୧୮ ମାସ ମଧ୍ୟରେ ୨୩ଟି ବ୍ୟାଙ୍କରୁ ଜାରି ହୋଇଥିବା ରୁପେ(RuPay) ଡେବିଟ୍ କାର୍ଡ ରଖିଥିବା ଉପଭୋକ୍ତାମାନଙ୍କୁ ମେଟ୍ରୋ ଟ୍ରେନରେ ଯାତ୍ରା କରିବାକୁ ସୁଯୋଗ ଦେବ।ନାସନାଲ କମନ୍ ମୋବିଲିଟି କାର୍ଡ ସେବା ଆରମ୍ଭ ହେବା ପରେ ମେଟ୍ରୋ ଟ୍ରେନରେ ଯାଉଥିବା ଯାତ୍ରୀମାନଙ୍କୁ ଆଉ ସ୍ମାର୍ଟ କାର୍ଡ କିମ୍ବା ଟୋକନ୍ ନେବାକୁ ପଡ଼ିବ ନାହିଁ। ଏହି ରୁପେ ଡେବିଟ୍ କାର୍ଡ ମାଧ୍ୟମରେ ହିଁ ଲୋକମାନେ ଯାତ୍ରା କରିପାରିବେ। ଏହି କାର୍ଡକୁ ସ୍ୱାଇପ୍ କରିବା ମାତ୍ରେ ଯାତ୍ରୀଙ୍କ ଆକାଉଣ୍ଟରୁ ନିର୍ଦ୍ଧାରିତ ଟଙ୍କା କଟିଯିବ। ଏହି କାର୍ଡ ଜରିଆରେ ଉପଭୋକ୍ତାମାନେ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇପାରିବେ। ଫଳରେ ଲୋକଙ୍କୁ ଭିନ୍ନ ଭିନ୍ନ କାମ ପାଇଁ ଅଲଗା ଅଲଗା କାର୍ଡ ରଖିବାକୁ ପଡ଼ିବନାହିଁ।

ଏନସିଏମସି କାର୍ଡର ଫାଇଦା କ’ଣ?

ଏନସିଏମସି କାର୍ଡ ସାହାଯ୍ୟରେ ଯାତ୍ରୀମାନେ ମେଟ୍ରୋ ଟ୍ରେନ୍ ସହିତ ବସ୍ ଭଡ଼ା ମଧ୍ୟ ଦେଇପାରିବେ। ଏହି କାର୍ଡ ସାରା ଦେଶରେ ବୈଧ ହେବ। ଏହି କାର୍ଡ ଜରିଆରେ ଆପଣ ଟୋଲ୍ ପାର୍କିଂ ଶୁଳ୍କ ମଧ୍ୟ ଜମା କରିପାରିବେ। ଉପଭୋକ୍ତାମାନେ ଏହି କାର୍ଡ ସାହାଯ୍ୟରେ ସପିଂ ବ୍ୟତୀତ ଏଟିଏମରୁ ନଗଦ ଟଙ୍କା ମଧ୍ୟ କାଢ଼ିପାରିବେ।ଦିଲ୍ଲୀ ମେଟ୍ରୋରେ ଯାତ୍ରୀମାନେ ଏହି କାର୍ଡକୁ ପ୍ରଥମ କରି ପ୍ରୟୋଗ କରିବେ। ଏହାପୂର୍ବରୁ ୨୦୧୯ରେ ଗୁଜୁରାଟର ଅହମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଡକୁ ଲଞ୍ଚ୍ କରିଥିଲେ।

କେଉଁଠି ବନେଇବେ ଏନସିଏମସି କାର୍ଡ?

ଦେଶର ଅନେକ ଘରୋଇ ଓ ସରକାରୀ ବ୍ୟାଙ୍କ ଏବେ ନାସନାଲ୍ କମନ୍ ମୋବିଲିଟି କାର୍ଡ ଫିଚରବିଶିଷ୍ଟ ଡେବିଟ୍ ଓ କ୍ରେଡିଟ୍ କାର୍ଡ ଜାରି କରୁଛନ୍ତି। ଯଦି ଆପଣ ଏନସିଏମସି କାର୍ଡ ବନେଇବାକୁ ଚାହୁଁଛନ୍ତି ତେବେ ଯେଉଁ ବ୍ୟାଙ୍କରେ ଆପଣ ଆକାଉଣ୍ଟ ଖୋଲିଛନ୍ତି, ସେହି ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ। ବର୍ତ୍ତମାନ ସୁଦ୍ଧା ଦେଶର ୨୫ଟି ବ୍ୟାଙ୍କରେ ଏହି କାର୍ଡ ଉପଲବ୍ଧ ହେଉଛି। ଏନସିଏମସି କାର୍ଡ ନେଉଥିବା ଉପଭୋକ୍ତାଙ୍କୁ କ୍ୟାଶବ୍ୟାକ୍ ମଧ୍ୟ ମିଳୁଛି।

Comment