ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଓ କଟକରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଜାନୁଆରି ମାସରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଏନେଇ ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ଏଥିରେ କୁହାଯାଇଛି ଯେ, ଜାନୁଆରି ମାସରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଭୁବନେଶ୍ୱର ଓ କଟକର ସମସ୍ତ ସରକାରୀ ଅଫିସ ଖୋଲାରହିବ। କେବଳ ଏସଆରସି ଏବଂ ଓସଡମା, ପୋଲିସ, ଅଗ୍ନିଶମ, ମ୍ୟୁନିସିପାଲ ସେବା, ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଫିସ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବ। କେଉଁ କର୍ମଚାରୀ ଅଫିସ ଆସିବେ ଏବଂ କେଉଁ କର୍ମଚାରୀ ଅଫିସ ଆସିବେନି ସେନେଇ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ନିଷ୍ପତ୍ତି ନେବେ। ଯେଉଁ କର୍ମଚାରୀମାନେ ଓ୍ୱର୍କ ଫ୍ରମ୍ ହୋମ୍ କରୁଛନ୍ତି ସେମାନଙ୍କୁ ଜରୁରୀ ସ୍ଥିତିରେ ଅଫିସ ଆସିବାକୁ ପଡ଼ିବ।

ଶନିବାର ଦିନ ରାଜ୍ୟର ସରକାରୀ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିବ। ତା’ ସହିତ ଯେଉଁ ଦିନ ଅଫିସ୍ ଖୋଲାରହିବ ସେଦିନ ଅଫିସ ଭିତରେ ସମସ୍ତ ପ୍ରକାର କୋଭିଡ୍ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ। ଯଦି କୌଣସି କର୍ମଚାରୀ କରୋନା ସଂସ୍ପର୍ଶରେ ଆସନ୍ତି ତେବେ ତୁରନ୍ତ ରାଜ୍ୟ ସରକାରଙ୍କ ନିୟମ ମୁତାବକ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Comment