ଓଡ଼ିଶାଲାଇଭ୍ ବ୍ୟୁରୋ

ଆରପାରିରେ ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର।

‘ମୟୂରୀ ଗୋ ତୁମ ଆକାଶେ ମୁଁ’ ହେଉ ଅବା ‘ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ’.. ଏସବୁ ଗୀତକୁ ଶୁଣିବା ମାତ୍ରେ ଯାହାଙ୍କ ନାଁ ପ୍ରଥମେ ସାମ୍ନାକୁ ଆସେ, ସେ ହେଉଛନ୍ତି ଦିଗ୍ଗଜ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର। ଶାନ୍ତନୁଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଗୀତ ସବୁକୁ ଆଜି ବି ଶ୍ରୋତାମାନେ ଗୁଣୁଗୁଣେଇ ଥାଆନ୍ତି। ଏହି ସବୁ ଲୋକପ୍ରିୟ ଗୀତ ପାଇଁ ଶାନ୍ତନୁଙ୍କୁ ଦରଦି ଗୀତର ବାଦଶାହ ବୋଲି କୁହାଯାଏ।

୧୯୩୬ ମସିହା ଜାନୁଆରି ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ ଶାନ୍ତନୁ। ସେ ଆଇଆଇଟି ଖଡ଼ଗପୁରରୁ ଆପ୍ଲାଏଡ୍ ଜିଓଲୋଜି ଆଣ୍ଡ୍ ଜିଓଫିଜିକ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ଓଡ଼ିଶା ସରକାରଙ୍କ ମାଇନିଂ ଏବଂ ଜିଓଲୋଜି ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।

ଗୁରୁ ବାଞ୍ଛାନିଧି ପଣ୍ଡାଙ୍କଠାରୁ ଶାନ୍ତନୁ ସଙ୍ଗୀତ ଶିକ୍ଷା କରିଥିଲେ। ୧୯୬୩ ମସିହାରେ ‘ସୂର୍ଯ୍ୟମୁଖୀ’ ଫିଲ୍ମରୁ ସେ ସଙ୍ଗୀତକାର ଜୀବନ ଆରମ୍ଭ କରିଥିଲେ। ୫୦ଟି ଓଡ଼ିଆ ଚଳଚ୍ଚିତ୍ରରେ ୧୯୦୦ରୁ ଅଧିକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।ପ୍ରଥମ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଶାନ୍ତନୁ ଓଡ଼ିଆ, ହିନ୍ଦୀ, ବଙ୍ଗାଳି, ଆସାମି ଓ ତେଲୁଗୁ ପରି ୫ଟି ଭାଷାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସେ ଓଡ଼ିଆ ସିନେମା ‘ଅରୁନ୍ଧତୀ’, ‘ଡୋରା’, ‘ଚିଲିକା ତୀରେ’, ‘ପ୍ରିୟତମା’ ଭଳି ଅନେକ ସୁପରହିଟ୍ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ତାଙ୍କ ନିର୍ଦ୍ଦେଶନାରେ ପ୍ରଥମ ଥର ପାଇଁ ମହମ୍ମଦ ରଫି, ଲତା ମଙ୍ଗେସକର, ମନ୍ନା ଦେଙ୍କ ପରି ଗାୟକ ଓଡ଼ିଆ ଫିଲ୍ମରେ କଣ୍ଠଦାନ କରିଥିଲେ। ଶାନ୍ତନୁଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରେ ‘ଏଇ ଚୁନା ଚୁନା ତାରା ଫୁଲେ ଆଜି’, ‘ଆଗୋ ଚନ୍ଦ୍ରିକା’, ‘ଏଇ ଜୀବନଟା ଏକ ନାଟକ’, ‘ନୂପୁର ବଜାଏ କିଏ’ ଆଦି ଅନ୍ୟତମ।

ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଶାନ୍ତନୁ ମହାପାତ୍ର ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି। ‘ଚିଲିକା ତୀରେ’, ‘ପ୍ରିୟତମା’, ‘ଅଗ୍ନି ପରୀକ୍ଷା’, ‘ମେଘମୁକ୍ତି’, ‘ଶୀତ ରାତି’, ‘ଜୀବନ ସଂଗ୍ରାମ’ ଫିଲ୍ମ ପାଇଁ ଶାନ୍ତନୁଙ୍କୁ ଜାତୀୟ ପୁରସ୍କାର ମିଳିଛି। ସେହିପରି ବଙ୍ଗଳା ଫିଲ୍ମ ‘ମହାପୃଥିବୀ’ ଓ ହିନ୍ଦୀ ଫିଲ୍ମ ‘ଶୋଧ’ ପାଇଁ ମଧ୍ୟ ସେ ଜାତୀୟ ପୁରସ୍କାର ପାଇଛନ୍ତି। ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଛି।ଅନେକ ଲୋକପ୍ରିୟ ଗୀତ ଭେଟି ଦେଇଥିବା ଶାନ୍ତନୁଙ୍କୁ ଓଡ଼ିଆ ସିନେ ସଙ୍ଗୀତ ଜଗତର ଟ୍ରେଣ୍ଡ ସେଟର୍ ବୋଲି କୁହାଯାଏ। ସେ ପ୍ରଥମ ଥର ପାଇଁ ଓଡ଼ିଶାରେ ଗୀତିଗାଥାର ନିର୍ଦ୍ଦେଶନା ଦେଇଥିଲେ, ଯାହାକୁ ‘କୋଣାର୍କ ଗାଥା’ରେ ଅକ୍ଷୟ ମହାନ୍ତି ଗାଇଥିଲେ। ଏଥିସହ ପ୍ରଥମ ଥର ପାଇଁ ସେ ଓଡ଼ିଆ ଫିଲ୍ମରେ ବୈଷ୍ଣବୀୟ ଭଜନ ଆରମ୍ଭ କରିଥିଲେ। ଫିଲ୍ମ ‘ସୂର୍ଯ୍ୟମୁଖୀ’ରେ ପ୍ରଣବ ପଟ୍ଟନାୟକ ଏଭଳି ଏକ ଭଜନ ଗାଇଥିଲେ।

ଶାନ୍ତନୁ କେବଳ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ତାହା ନୁହେଁ, ଲୋକସଙ୍ଗୀତ କ୍ଷେତ୍ରରେ ମଧ୍ୟ ତାଙ୍କର ବିଶେଷ ଅବଦାନ ରହିଥିଲା। ସେ ପ୍ରଥମ ଥର ପାଇଁ ଝୁମର ଗୀତ ରେକର୍ଡ କରିଥିଲେ। ମୟୂରଭଞ୍ଜର ଝୁମର ଓ ଆଦିବାସୀ ଗାୟକୀକୁ ବିଶୁଦ୍ଧ ଶାସ୍ତ୍ରୀୟ ରାଗ ସହିତ ମିଶ୍ରଣ କରି ପାରିବାର ଅପୂର୍ବ ଦକ୍ଷତା ଶାନ୍ତନୁଙ୍କ ପାଖରେ ରହିଥିଲା।

୮୫ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶାନ୍ତନୁ ମହାପାତ୍ର ବୁଧବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନିମୋନିଆରେ ପୀଡ଼ିତ ହୋଇ ଗତ କିଛି ଦିନ ହେବ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶାନ୍ତନୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ଶାନ୍ତନୁଙ୍କ ମୃତ୍ୟୁ ପରେ ଓଡ଼ିଆ ସିନେ ଜଗତରେ ଏକ ଅୁପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି।

Comment