ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ (ଓ୍ଵାନ୍ ନେସନ, ଓ୍ଵାନ୍ ଇଲେକ୍ସନ୍) ବାବଦରେ ଆଲୋଚନାର ଅଭାବ ରହିଛି। ଏହି ବ୍ୟବସ୍ଥା ଲାଗୁ ହେଲେ କ’ଣ ସୁବିଧା ହୋଇପାରିବ ତାହା ଲୋକେ ବୁଝିପାରୁନାହାନ୍ତି। ତେଣୁ ଏକ ଦେଶ, ଏକ ନିର୍ବାଚନ ବିଷୟରେ ଲୋକମାନଙ୍କୁ ସଚେତନତାର ଆବଶ୍ୟକତା ରହିଛି। ବୁଧବାର ଓଡ଼ିଶା ବିଜେପି ପକ୍ଷରୁ ଓ୍ଵାନ୍ ନେସନ, ଓ୍ଵାନ୍ ଇଲେକ୍ସନ୍‌ ସଚେତନତା କାର୍ଯ୍ୟକ୍ରମରେ ଏହା କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଦେଶରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ପ୍ରଚଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ମସିହାରୁ ଏକ ଅଭିଯାନ ଆରମ୍ଭ କରିଥିଲେ। ଗତ ନଭେମ୍ଵର ୨୬ ତାରିଖରେ ଗୁଜୁରାଟର କେଓ୍ଵାଡ଼ିଆଠାରେ ନିର୍ବାଚନ ଅଧିକାରୀମାନଙ୍କୁ ସମ୍ଵୋଧନ କରି ମୋଦୀ କହିଥିଲେ ଯେ, ଏକ ରାଷ୍ଟ୍ର ଏକ ନିର୍ବାଚନ କେବଳ ଆଲୋଚନାର ବିଷୟ ନୁହେଁ, ଏଥିରେ ଆମ ଦେଶର ଆବଶ୍ୟକତା ରହିଛି। ତେଣୁ ଏ ବିବାଦର ସମାଧାନ ପାଇଁ ଦେଶରେ ଆଲୋଚନା ହେବା ଦରକାର। ଲୋକଙ୍କୁ ସଚେତନ କରିବା ଆବଶ୍ୟକ।

ମୋଦୀଙ୍କର ଏହି ପ୍ରସ୍ତାବ ପରେ ଏବେ ଦେଶର ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରିବାପାଇଁ ବିଜେପି ପଦକ୍ଷେପ ଗ୍ରହଣ କରିଛି। ବୁଧବାର ଓଡ଼ିଶା ବିଜେପି ପକ୍ଷରୁ ଏହି ବିଷୟ ଉପରେ ଏକ ଆଲୋଚନାଚକ୍ର ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ଗତ ସାଧାରଣ ନିର୍ବାଚନରେ ଦେଶବ୍ୟାପୀ ୧୨ଲକ୍ଷ ଇଭିଏମର ଆବଶ୍ୟକତା ପଡ଼ିଥିଲା। ଏହି ଇଭିଏମର ମୂଲ୍ୟ ଥିଲା ୪ ହଜାର ୫୦୦ କୋଟି ଟଙ୍କା। ଯଦି ଗୋଟିଏ ଥରରେ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ହେବ, ତେବେ ନିର୍ବାଚନ ବାବଦରେ ଅପଚୟ ହେଉଥିବା ଦେଶର ଅନେକ ଅର୍ଥ ସଞ୍ଚୟ ହୋଇପାରିବ।

ତେବେ ଏକ ରାଷ୍ଟ୍ର, ଏକ ନିର୍ବାଚନ ବ୍ୟବସ୍ଥା ଦେଶ ପାଇଁ ନୂଆ ନୁହେଁ। ପୂର୍ବରୁ ମଧ୍ୟ ଦେଶରେ ଏହି ବ୍ୟବସ୍ଥାରେ ନିର୍ବାଚନ ହେଉଥିବା ଅପରାଜିତା କହିଛନ୍ତି। ୧୯୫୨ ଠାରୁ ୧୯୬୭ ପର୍ଯ୍ୟନ୍ତ ଦେଶରେ ଗୋଟିଏ ନିର୍ବାଚନ ହେଉଥିଲା। କିନ୍ତୁ ୧୯୬୮-୬୯ରେ କେତେକ ରାଜ୍ୟ ବିଧାନସଭା ଭାଙ୍ଗି ଯାଇଥିଲା। ଏହାପରେ ୧୯୭୦ ମସିହା ଡିସେମ୍ଵର ମାସରେ ସଂସଦ ଭଙ୍ଗ ହୋଇଥିଲା। ଏହାରି ପରଠାରୁ ଦେଶରେ ବିଧାନସଭା ଏବଂ ଲୋକସଭା ପାଇଁ ଦୁଇଟି ଅଲଗା ଅଲଗା ନିର୍ବାଚନ ହେଲା। ସମ୍ଵିଧାନର ଧାରା ୩୫୬କୁ ଆଧାର ସେତେବେଳର ସରକାର ବିଧାନସଭା ଏବଂ ଲୋକସଭା ନିର୍ବାଚନକୁ ଅଲଗା ଅଲଗା କରିଦେଇଥିବା ଅପରାଜିତା ଅଭିଯୋଗ କରିଛନ୍ତି।

ଏଥିସହ ୧୯୮୩ରେ ନିର୍ବାଚନ ଆୟୋଗର ପ୍ରଥମ ବାର୍ଷିକ ରିପୋର୍ଟରେ ସାରା ଦେଶରେ ଗୋଟିଏ ନିର୍ବାଚନ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଏହି ପ୍ରସ୍ତାବକୁ ସରକାର ଗ୍ରହଣ କରିନଥିବା ଅପରାଜିତା କହିଛନ୍ତି। ତେଣୁ ଜନ ସାଧାରଣ ଏବେ ଏକ ରାଷ୍ଟ୍ର, ଏକ ନିର୍ବାଚନ ପ୍ରଚଳନ ଉପରେ ଭାବିବାର ସମୟ ଆସିଛି ବୋଲି ଅପରାଜିତା ପରାମର୍ଶ ଦେଇଛନ୍ତି।

Comment