କପିଳାସ ଭୂୟାଁojee exam

ରାଜ୍ୟ କ୍ୟାବିନେଟ ବୈଠକରେ ସରକାରୀ ବିଦ୍ୟାଳୟରେ ପଢିଥିବା ପିଲାଙ୍କୁ ଉଚ୍ଚ ବୈଷୟିକ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ହେବାର ଗୋଟିଏ ଦିନ ନଯାଉଣୁ ବିଜେପି ଓ ବିଜେଡି ମଧ୍ୟରେ କଳି ଆରମ୍ଭ ହୋଇଯାଇଛି। କାରଣ ନିଶ୍ଚିତ ଭାବେ ରାଜନୈତିକ ବୋଲି କହିଲେ ଭୁଲ ହେବ ନାହିଁ।

ତେବେ ସବୁ ଠାରୁ ବଡ ପ୍ରଶ୍ନ ହେଉଛି ହଠାତ ଏଭଳି ନିଷ୍ପତି କାହିଁକି ନିଆଗଲା? ପରବର୍ତ୍ତୀ ନିର୍ବାଚନ ହେବାକୁ ଆହୁରି ତିନି ବର୍ଷ ରହିଛି। ନା ବିଜେପି ଏହାକୁ ଏବେ ଠାରୁ ବିଜେଡିର ନିର୍ବାଚନ ଚାଲ ବୋଲି ବିଚାର କରୁଛି?

ସରକାରଙ୍କ ଯୁକ୍ତି ହେଲା ଯେ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖେଇବା ପାଇଁ ନିଟ ଓ ଜେଇଇ ଭଳି ଯେଉଁ  ସର୍ବଭାରତୀୟ ସ୍ତରରେ ଏକକ ପ୍ରବେଶିକା ପରୀକ୍ଷା କରାଯାଉଛି, ସେଥିରେ ଓଡିଶାର ସରକାରୀ ବିଦ୍ୟାଳୟ ଓ କଲେଜଗୁଡିକରେ ପଢୁଥିବା ପିଲାମାନେ ବିଶେଷ ସଫଳତା ପାଉ ନାହାନ୍ତି ଓ ସେଥିରେ ସେମାନଙ୍କ ସଂଖ୍ୟା ହ୍ରାସ ପାଉଛି। ସରକାରୀ ବିଦ୍ୟାଳୟଗୁଡ଼ିକର ମେଧାବୀ ଛାତ୍ରଛାତ୍ରୀମାନେ ଉପଯୁକ୍ତ କୋଚିଙ୍ଗ ଅଭାବରୁ ସଫଳତା ପାଉ ନାହାନ୍ତି। ସେଥିପାଇଁ ରାଜ୍ୟ ସରକାର ଓଡିଶାର ଡାକ୍ତରୀ ଓ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ସହାୟତା ଦେବାକୁ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ନିଷ୍ପତି ନେଇଛନ୍ତି।

ଏହା ନିଶ୍ଚିତ ରୂପେ ଏକ ଭଲ ନିଷ୍ପତ୍ତି। ସେଥିପାଇଁ ତ ଶିକ୍ଷାବିତ, ଶିକ୍ଷକ ଶିକ୍ଷିତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକ ଓ ଯୁବ ଗୋଷ୍ଠୀଙ୍କ ପକ୍ଷରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ଏକ ସମୟୋପଯୋଗୀ ପଦକ୍ଷେପ ବୋଲି ଅଭିହିତ କରି ଭୂୟଶି ପ୍ରଶଂସା କରାଯାଇଛି। ତେବେ ବିଜେପି ଏଥିରେ କେଁ ପୁରେଇବାର କାରଣ କଣ?

ବିଜେପିର କହିବା କଥା ହେଲା ଯେ କେନ୍ଦ୍ର ସରକାରଙ୍କ ଦ୍ଵାରା ଅନୁମୋଦିତ ଓବିସି ଓ ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କୁ ସେମାନଙ୍କ ହକ ଅନୁଯାୟୀ ସଂରକ୍ଷଣ ନଦେଇ ଏଭଳି ତାମସା ଯଥାର୍ଥ ନୁହେଁ!

କଥାର ମଞ୍ଜି ତା’ହେଲେ କଣ?

ଦେଶ ସ୍ଵାଧୀନତା ପାଇବା ପରେ ସମ୍ବିଧାନ ପ୍ରଣେତାମାନେ ବୁଝି ପାରିଲେ ଯେ ଗଣତାନ୍ତ୍ରିକ ମୂଲ୍ୟବୋଧ ଅନୁଯାୟୀ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି ହେବା ଦରକାର। ସେ ସମୟରେ ପ୍ରଚଳିତ ଜାତିବାଦ ତାହାର ଅନ୍ତରାୟ କରୁଥିବାରୁ ସେହି ମନୀଷୀମାନେ ଜାତି ଭେଦରେ ସଂରକ୍ଷଣ କରିବାକୁ ଉଚିତ ମଣିଲେ ଓ ଅନୁସୂଚିତ ଜନଜାତି ଓ ଜାତି ଭାବେ ଦୁଇଟି ଶ୍ରେଣୀରେ ସଂରକ୍ଷଣ କରିବାକୁ ନିଷ୍ପତି ନେଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କି ଯେ ଏହି ସଂରକ୍ଷଣ ବ୍ୟବସ୍ଥା ଅନୁଯାୟୀ କାଳ କ୍ରମେ ଉଚ୍ଚ ଜାତି ଓ ଅନ୍ୟମାନଙ୍କ ମଧ୍ୟରେ ଥିବା ତାରତମ୍ୟ ଦୂର ହୋଇଯାଇ ପାରିବ, ଏବଂ ଏପରି ଏକ ସମୟ ଆସିବ ଯେତେବେଳେ କି ଆଉ କାହାର ସଂରକ୍ଷଣ ଦରକାର ପଡ଼ିବ ନାହିଁ। କିନ୍ତୁ ସମ୍ବିଧାନ ପ୍ରଣୟନ ହେବାର ସାତ ଦଶନ୍ଧି ପୁରୀ ଗଲା ପରେ ବି ସଂରକ୍ଷଣ ଉଠାଇବା ତ ଦୂରର କଥା ନୂଆ ନୂଆ ଶ୍ରେଣୀ ତିଆରି କରି ରାଜନୈତିକ ନେତୃବୃନ୍ଦମାନେ ସଂରକ୍ଷଣକୁ ଅଧିକରୁ ଅଧିକ ଦୀର୍ଘସ୍ଥାୟୀ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଏବେ ଉଚ୍ଚ ବୈଷୟିକ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରୀ ବିଦ୍ୟାଳୟ ଓ କଲେଜଗୁଡ଼ିକର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବା ପଦକ୍ଷେପ ତାହାର ଏକ ନମୁନା ବୋଲି ବିନା ଦ୍ଵିରୁକ୍ତିରେ କୁହାଯାଇ ପାରିବ।

ମୂଳ କଥା ହେଲା ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥାରେ ଥିବା ଦୁର୍ବଳତା। ପାଠ୍ୟ ପୁସ୍ତକ ପ୍ରଣୟନଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନାରେ ସବୁବେଳେ କେଳେଙ୍କାରି ଲାଗି ରହିବା ସତେ ଯେମିତି ଏକ ସାଧାରଣ କଥା ହୋଇଯାଇଛି। ସରକାର ତାହାର କୌଣସି ସମାଧାନ କରିବାକୁ ସମର୍ଥ ହେଉ ନାହାନ୍ତି। ଶିକ୍ଷା ବିଭାଗର ଏହି ଦୁର୍ବଳତା ଲୁଚେଇବାକୁ ଉଚ୍ଚ ବୈଷୟିକ ଶିକ୍ଷା ପାଇଁ ରାଜ୍ୟର ବିଦ୍ୟାଳୟ ଓ କଲେଜଗୁଡିକର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବା ଭଳି ନିଷ୍ପତି ଏକ ଧୂଆଁବାଣ ନୁହେଁ ତ?

ଏ ସମ୍ପର୍କରେ ଆମ ସମସ୍ତ ରାଜ୍ୟବାସୀଙ୍କୁ ଟିକିଏ ଗଭୀର ଭାବେ ଚିନ୍ତା କରିବାର ସମୟ ଆସିଛି। ପ୍ରାୟ ଚାଳିଶି ପଚାଶ ବର୍ଷ ପୂର୍ବେ ରାଜ୍ୟ ସରକାରଙ୍କ ମାଧ୍ୟମିକ ବୋର୍ଡ ଅନ୍ତର୍ଗତ ବିଦ୍ୟାଳୟଗୁଡିକରେ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ପାଠ ପଢେଇବାକୁ ସର୍ବାଧିକ ଗୁରୁତ୍ଵ ଦେଉଥିଲେ। ସେହି ଭଳି ଛାତ୍ରଛାତ୍ରୀମାନେ ଆଜି ଦିନରେ ରାଜ୍ୟ ସରକାରଙ୍କ ସାଧାରଣଠାରୁ ବୈଷୟିକ ବିଭାଗ ପର୍ଯ୍ୟନ୍ତ ପ୍ରାୟ ସବୁ ବିଭାଗର ପରିଚାଳନା କରିବା ଦାୟିତ୍ଵ ତୁଲାଉଛନ୍ତି। ଏହା ଭିତରେ କଣ ଏମିତି ହେଲା ଯେ ଅଭିଭାବକମାନେ ଆଉ ସରକାରୀ ବିଦ୍ୟାଳୟର ଦୁଆର ମାଡିବାକୁ ଚାହୁଁ ନାହାନ୍ତି!

ପୂର୍ବରୁ ସରକାରୀ ବିଦ୍ୟାଳୟଗୁଡିକ ରାଜ୍ୟର ପ୍ରମୁଖ ଶିକ୍ଷା ଅନୁଷ୍ଠାନ ଥିଲା। ଆଇସିଏସଇ ବା ସିବିଏସଇ ଦ୍ଵାରା ପରିଚାଳିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡିକର ସେଭଳି ଦବଦବା ନଥିଲା। ଏବେ ଅବସ୍ଥା ଓଲଟି ଯାଇଛି। ଆର୍ଥିକ ଦୁର୍ବଳ ଶ୍ରେଣୀ, ନଚେତ ଗ୍ରାମାଞ୍ଚଳରେ ଯେଉଁଠାରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନାହିଁ, କେବଳ ସେଠାରେ ହିଁ ପିଲାମାନଙ୍କୁ ସରକାରୀ ବିଦ୍ୟାଳରେ ପାଠ ପଢିବାକୁ ପଡୁଛି। ଏହି ଅବସ୍ଥାରେ କିଭଳି ପରିବର୍ତ୍ତନ ହେବ? ଶିକ୍ଷାକୁ ବ୍ୟବସାୟିକ ପଞ୍ଝାରୁ କିଭଳି ମୁକ୍ତ କରି ସାର୍ବଜନୀନ କରାଯାଇ ପାରିବ ସେ ବିଷୟରେ ଚିନ୍ତା କରିବା ସମୟ ନିଶ୍ଚୟ ଏବେ ଆସିଛି।

ଯଦି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ କମିଟି ଗଠନ କରିବା ଦରକାର, ତାହା କରାଯାଉ। ଖ୍ୟାତି ସମପର୍ଣ୍ଣ ଶିକ୍ଷାବିତ ମାନଙ୍କୁ ସେହି କମିତିରେ ରଖିବା କଥା ଯଦି ସରକାରଙ୍କ ମନକୁ ଆସିଛି, ତେବେ ତାହା ମଧ୍ୟ କରାଯାଉ। ଖାଲି ସେତିକି ନୁହେଁ, ସମାଜର ସବୁ ସ୍ତରରୁ ପ୍ରତିନିଧିତ୍ଵ କଳା ଭଳି ବ୍ୟକ୍ତିବିଶେଷମାନଙ୍କୁ ମଧ୍ୟ ସେହି କମିତିରେ ସଦସ୍ୟ ଭାବେ ଗ୍ରହଣ କରି ମାନସ ମନ୍ଥନ କରାଯାଉ। ସେଥିରୁ ନିଶ୍ଚୟ ନିଷ୍କର୍ଷ ମିଳିବ ହିଁ ମିଳିବ।

ସମସ୍ତେ ମାନେ ରଖିବା ଦରକାର ଯେ ଓଡିଆ ଭାଷାକୁ ଗୁରୁତ୍ଵ ନଦେବା ଦ୍ଵାରା ହିଁ ଆମ ଶିକ୍ଷା ବ୍ୟବସ୍ଥାର ଏହି ଅଧୋଗତି ହୋଇଛି। ତେଣୁ ଓଡିଆ ଭାଷାକୁ ଏକକ ଗୁରୁତ୍ଵ ଦେବା ସହ ହିନ୍ଦୀ ଓ ଇଂରାଜୀ ଭାଷାକୁ ବଦଲୁଥିବା ସମୟ ଅନୁଯାୟୀ ଗୁରୁତ୍ଵ ଦେଇ ଆମ ଶିକ୍ଷା ବ୍ୟବସ୍ଥାକୁ ଆମୂଳଚୂଳ ସଂସ୍କାର କଲେ ହିଁ  ଯାହା କିଛି ଲାଭ ମିଳି ପାରିବ।

ସରକାର ମନେ ରଖିବା ଦରକାର ଯେ ଶିକ୍ଷା ବ୍ୟବସ୍ଥାକୁ ମୂଳରୁ ନାସଜାଡି ସଂରକ୍ଷଣ ଭଳି କେବଳ କିଛି ଆଖି ଝଲସା ପଦକ୍ଷେପ ନେଲେ ସେଥିରୁ କିଛି  ଲାଭ ମିଳିବାର ଆଦୌ କୌଣସି ଆଶା ନାହିଁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

Comment