ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାର ଓ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ସୋମବାର ବସିଥିବା ସପ୍ତମ ପର୍ଯ୍ୟାୟ ବୈଠକ ଶେଷ ହୋଇଛି। ଆଜିର ବୈଠକରେ ମଧ୍ୟ ସମାଧାନର କୌଣସି ବାଟ ବାହାରି ପାହରିନାହିଁ। ସରକାର ସବୁ ପ୍ରକାର ଚେଷ୍ଟା କରିବା ପରେ ବି ଚାଷୀ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି। ଫଳରେ ଚାଷୀଙ୍କୁ ମନେଇବା ପାଇଁ ପୁଣି ଥରେ ବୈଠକ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ବୈଠକ ଜାନୁଆରି ୮ରେ କରିବାକୁ ଧାର୍ଯ୍ୟ ହୋଇଛି।

ଅନ୍ୟପଟେ ନୂଆ କୃଷି ଆଇନରେ କ’ଣ କ’ଣ ସବୁ ସଂଶୋଧନ ହେବ ତାହା ନିର୍ଦ୍ଧାରଣ କରିବା ପାଇଁ ଏକ ମିଳିତ କମିଟି ଗଠନ କରିବାକୁ ଚାଷୀଙ୍କୁ ସରକାର ପ୍ରସ୍ତାବ ଦେଇଥିଲେ। ହେଲେ ସରକାରଙ୍କ ଏହି ପ୍ରସ୍ତାବକୁ ମଧ୍ୟ ଚାଷୀମାନେ ପ୍ରତ୍ୟାଖାନ କରିଛନ୍ତି।

ଏହାପୂର୍ବରୁ ଗତ ଡିସେମ୍ବର ୩୦ ତାରିଖରେ ଚାଷୀ ଓ ସରକାରଙ୍କ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ବୈଠକ ବସିଥିଲା। ସେଦିନ ବୈଠକରେ ବି କିଛି ସମାଧାନ ବାହାରି ପାରନଥିଲା।ଏହାରି ମଧ୍ୟରେ କୃଷି ଆଇନ ବିରୋଧ ଆନ୍ଦୋଳନକୁ ଦେଢ଼ ମାସ ବିତିଗଲାଣି। ମାସକ ଭିତରେ ଏକାଧିକ ବାର ଚାଷୀ ଓ ସରକାରଙ୍କ ଆଲୋଚନା ହୋଇ ସାରିଛି। ଏହି ଆଇନରେ କିଛି ସଂଶୋଧନ କରିବାକୁ ସରକାର ରାଜି ହୋଇଥିବାବେଳେ କୃଷକମାନେ ତିନୋଟି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଉ ବୋଲି ଜିଦରେ ଅଟଳ ଅଛନ୍ତି।

Comment