ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ଏସ୍. ମୁରଲୀଧର। ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ୍ କ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ରାଜଭବନରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।ଏହା ପୂର୍ବରୁ ଏସ୍. ମୁରଲୀଧର ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଭାବେ ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ତେଣୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ତାଙ୍କୁ ନିଯୁକ୍ତି ଦେବାକୁ ସୁପ୍ରିମକୋର୍ଟ କଲେଜିୟମ ୨୦୨୦ ମସିହା ଡିସେମ୍ବର ୧୪ ତାରିଖରେ ସୁପାରିସ୍ କରିଥିଲେ। ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିଥିଲେ। ଏନେଇ ଡିସେମ୍ବର ୩୧ ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

୧୯୮୪ ମସିହାରେ ଜଷ୍ଟିସ୍ ଏସ୍. ମୁରଲୀଧର ଚେନ୍ନାଇରେ ଓକିଲାତି ଜୀବନ ଆରମ୍ଭ କରିଥିଲେ। ୧୯୮୫ରେ ସେ କମ୍ପାନି ସେକ୍ରେଟାରୀ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୮୭ ମସିହାରେ ଦିଲ୍ଲୀ ଚାଲି ଆସିଥିଲେ ଏସ୍. ମୁରଲୀଧର। ଏହାପରେ ସେ ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସୁପ୍ରିମକୋର୍ଟ ଆଇନସେବା କମିଟି ଓକିଲ ଭାବେ ସେ ବେଶ୍ ସକ୍ରିୟ ଥିଲେ। ସେହି ସମୟରେ ଜଷ୍ଟିସ୍ ମୁରଲୀଧର ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ପରିଚାଳନା କରିଥିଲେ। ଭୋପାଳ ଗ୍ୟାସ ଦୁର୍ଘଟଣା ପୀଡ଼ିତ ଓ ନର୍ମଦା ନଦୀବନ୍ଧ ବିସ୍ଥାପିତଙ୍କ ପାଇଁ ମାମଲା ଲଢ଼ି ସେ ବେଶ୍ ଚର୍ଚ୍ଚିତ ହୋଇଥିଲେ। ଅନେକ ଜନସ୍ୱାର୍ଥ ମାମଲା ଓ ମୃତ୍ୟୁଦଣ୍ଡ ମାମଲାରେ ତାଙ୍କୁ ଆମିକସ୍ କ୍ୟୁରି ଭାବେ ସୁପ୍ରିମକୋର୍ଟ ନିଯୁକ୍ତି ଦେଇଥିଲେ।୨୦୦୨ ଡିସେମ୍ବରରୁ ୨୦୦୬ ପର୍ଯ୍ୟନ୍ତ ସେ ଜାତୀୟ ମାନବାଧିକାର ଆୟୋଗ ଏବଂ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓକିଲାତି କରିଥିଲେ। ୨୦୦୬ ମସିହା ମେ ୨୯ ତାରିଖରେ ଜଷ୍ଟିସ୍ ମୁରଲୀଧର ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ସେଠାରେ ୧୪ ବର୍ଷ ଧରି କାର୍ଯ୍ୟ କରିବା ପରେ ୨୦୨୦ ମାର୍ଚ୍ଚ ୬ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା।

ଜଷ୍ଟିସ୍ ଏସ୍. ମୁରଲୀଧର ୧୯୬୧ ମସିହା ଅଗଷ୍ଟ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ। ୧୯୮୧ ମସିହାରେ ମାଡ୍ରାସ ୟୁନିଭର୍ସିଟିରୁ ରସାୟନ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ମାଡ୍ରାସ ୟୁନିଭର୍ସିଟିରୁ ବିଏଲ୍ ପାସ୍ କରିଥିଲେ। ୧୯୯୦ରେ ସେ ନାଗପୁର ୟୁନିଭର୍ସିଟିରୁ ଏଲ୍ଏଲ୍.ଏମ୍ ପାସ୍ କରିଥିଲେ। ଦିଲ୍ଲୀ ୟୁନିଭର୍ସିଟିରୁ ଜଷ୍ଟିସ୍ ଏସ୍. ମୁରଲୀଧର ୨୦୦୩ରେ ‘ଭାରତରେ ଆଇନ ସହାୟତା ଏବଂ ଅପରାଧିକ ନ୍ୟାୟ ବ୍ୟବସ୍ଥା’ରେ ପିଏଚଡି ହାସଲ କରିଥିଲେ।

ଜାନୁଆରି ୪ ତାରିଖରେ ଜଷ୍ଟିସ୍ ଏସ୍. ମୁରଲୀଧର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରମୁଖ ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Comment