ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆଉ କମିବନି ସିଲାବସ୍
  • ୭୦ ପ୍ରତିଶତ ସିଲାବସରେ ପାଠ ପଢ଼ିବେ ପିଲା
  • ରବିବାର ସମେତ ୧୦୦ ଦିନର ପାଠପଢ଼ା ଉପରେ ଗୁରୁତ୍ୱ
  • ବିଶୋଧନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା

ଜାନୁଆରି ୮ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ୭୦ ପ୍ରତିଶତ ସିଲାବସରେ ପିଲାମାନେ ପାଠ ପଢ଼ିବେ। ଛାତ୍ରଛାତ୍ରୀଙ୍କ ପାଇଁ ଆଉ ପାଠ୍ୟକ୍ରମ ହ୍ରାସ କରାଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ସୂଚନା ଦେଇଛନ୍ତି।

ସ୍କୁଲ ଖୋଲିବା ପରେ ଗୋଟିଏ ସେକ୍ସନରେ ୨୦ରୁ ୨୫ ଜଣ ପିଲା ବସି ପାଠ ପଢ଼ିବେ। ଅଧିକ ପିଲା ଥିଲେ ସେକ୍ସନ ସଂଖ୍ୟା ବୃଦ୍ଧି କରାଯିବ। ୯ ମାସରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ରହିଛି। ଏଭଳି ସ୍ଥିତିରେ ୧୦୦ ଦିନର ପାଠପଢ଼ା ପ୍ରତି ଗୁରୁତ୍ୱ ଦିଆଯାଉଛି। ରବିବାର ଦିନ କ୍ଲାସ୍ ନ ହେଲେ ୧୦୦ ଦିନର ପାଠପଢ଼ା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।Samir Dashସ୍କୁଲ ଖୋଲିବା ଆଗରୁ ଶ୍ରେଣୀଗୃହଗୁଡ଼ିକୁ ବିଶୋଧନ କରାଯାଉଛି। ଏଥିସହ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି। ତେବେ ପିଲାଙ୍କ କୋଭିଡ୍ ଟେଷ୍ଟ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଲେ ଛାତ୍ରଛାତ୍ରୀଙ୍କ କୋଭିଡ୍ ଟେଷ୍ଟ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି। ସେମାନେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ସହ ସମନ୍ୱୟ ରଖି କାମ କରିବେ। ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅଧିକ ଶିକ୍ଷକ ଆବଶ୍ୟକ ଥିଲେ ଡିଇଓ ଶିକ୍ଷକଙ୍କୁ ନିଯୁକ୍ତ କରିବେ। ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ଥିବାରୁ ପିଲାଙ୍କ ସିଲାବସରୁ ୩୦ ପ୍ରତିଶତ ବାଦ୍ ଦିଆଯାଇଛି। ତେଣୁ ସ୍କୁଲ ଖୋଲିବା ପରେ ପିଲାମାନେ ୭୦ ପ୍ରତିଶତ ସିଲାବସରେ ପାଠ ପଢ଼ିବେ ବୋଲି ମନ୍ତ୍ରୀ କହିଛନ୍ତି।ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଜାନୁଆରି ୮ ତାରିଖରୁ ଏପ୍ରିଲ୍ ୨୬ ତାରିଖ ପର୍ଯ୍ୟନ୍ତ କ୍ଲାସ ହେବ। ସେହିପରି ଜାନୁଆରି ୮ରୁ ଏପ୍ରିଲ୍ ୨୮ ତାରିଖ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀର ପିଲାମାନେ କ୍ଲାସରୁମରେ ପାଠ ପଢ଼ିବେ। ଶନିବାର ଓ ରବିବାରକୁ ମିଶାଇ ମୋଟ ୧୦୦ ଦିନ ପାଠପଢ଼ା ହେବ। ପାଠପଢ଼ା ପାଇଁ ମଧ୍ୟ ମାର୍ଗଦର୍ଶିକା ଜାରି କରାଯିବ। ମାର୍ଗଦର୍ଶିକା ଅନୁସାରେ ହିଁ ଉଭୟ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରେ ପାଠପଢ଼ା ଆରମ୍ଭ ହେବ। ଏହାସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଏସଆରସିଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ମଧ୍ୟ ପାଳନ କରାଯିବ।

ଏହାପରେ ଏପ୍ରିଲ ୨୭ ତାରିଖରୁ ମେ ୨ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପିଲାଙ୍କ ପ୍ରାକ୍ଟିକାଲ ପରୀକ୍ଷା ହେବ। ଏହାପରେ ମେ ୩ରୁ ୧୫ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହେବ। ସେହିପରି ଏପ୍ରିଲ ୨୯ରୁ ମେ ୧୪ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପ୍ରାକ୍ଚିକାଲ ଏବଂ ମେ ୧୫ରୁ ଜୁନ୍ ୧୧ ଯାଏଁ ଲିଖିତ ପରୀକ୍ଷା ହେବ।

Comment