ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରୀ ୮ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ଏହାର ଦୁଇ ଦିନ ପରେ ଅର୍ଥାତ୍ ଜାନୁଆରି ୧୦ ତାରିଖରୁ ଦଶମ ଶ୍ରେଣୀ ପିଲାଙ୍କ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। କରୋନାକୁ ଦୃଷ୍ଟିରେ ରଖି ଅନଲାଇନରେ ଫର୍ମ ପୂରଣ କରାଯିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜାନୁଆରି ୧୦ରୁ ଫେବ୍ରୁଆରି ୨ ତାରିଖ ଯାଏଁ ଫର୍ମ ପୂରଣ ହେବ। ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀମାନେ ସେମାନେ ପଢ଼ୁଥିବା ସ୍କୁଲରେ ଫର୍ମ ପୂରଣ ଦେୟ ପୈଠ କରିବେ। ଅନ୍ୟପଟେ କରେସପଣ୍ଡେନ୍ସ କୋର୍ସର ରେଗୁଲାର ଓ ଏକ୍ସରେଗୁଲାର ପିଲାମାନେ ଆଞ୍ଚଳିକ କାର୍ଯ୍ୟାଳୟର ଉପସମ୍ପାଦକଙ୍କ ମାଧ୍ୟମରେ ଦେୟ ପୈଠ କରିବା ସହ ଫର୍ମ ପୂରଣ କରିପାରିବେ।

ଫର୍ମ ପୂରଣ ପ୍ରକ୍ରିୟା ଜାନୁଆରି ୧୦ ତାରିଖ ସକାଳ ୧୦ଟାରୁ ଆରମ୍ଭ ହେବ। ବିନା ଜରିମାନା ସହ ଫିସ୍ ଦାଖଲର ଶେଷ ତାରିଖ ଜାନୁଆରି ୨୭ ତାରିଖ ରାତି ୧୧ଟା ୪୫ ଯାଏଁ ଧାର୍ଯ୍ୟ ହୋଇଥିବା ବେଳେ ଫର୍ମ ଦାଖଲର ଶେଷ ତାରିଖ ଜାନୁଆରି ୨୮ ତାରିଖ ମଧ୍ୟରାତ୍ର ଯାଏଁ ରଖାଯାଇଛି।ଅନ୍ୟପଟେ ଜରିମାନା ସହ ଛାତ୍ରଛାତ୍ରୀମାନେ ଜାନୁଆରି ୨୮ରୁ ଫେବ୍ରୁଆରି ୧ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଫିସ୍ ଦାଖଲ କରିପାରିବେ। ଏଥିସହ ଫେବ୍ରୁଆରି ୨ ତାରିଖ ମଧ୍ୟରାତ୍ର ଭିତରେ ଫର୍ମ ଦାଖଲ କରିପାରିବେ।

ଫର୍ମ ପୂରଣ ପାଇଁ ଅନଲାଇନ ଲିଙ୍କ୍ ଏବଂ ସବିଶେଷ ନିର୍ଦ୍ଦେଶାବଳୀ www.bseodisha.ac.in ଓ୍ୱେବସାଇଟ୍ ମାଧ୍ୟମରେ ଉପରୋକ୍ତ ସମୟ ମଧ୍ୟରେ ଅନବରତ ଉପଲବ୍ଧ ହେବ।

ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଜାନୁଆରି ୮ ତାରିଖରୁ ଏପ୍ରିଲ୍ ୨୬ ତାରିଖ ପର୍ଯ୍ୟନ୍ତ କ୍ଲାସ ହେବ। ଏପ୍ରିଲ ୨୭ ତାରିଖରୁ ମେ ୨ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ହେବ। ଏହାପରେ ମେ ୩ରୁ ୧୫ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କରାଯିବ।

Comment