ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ଘଟିବା ସହିତ ମୃତ୍ୟୁସଂଖ୍ୟା ବି କମିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଆଜି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଶୂନ ରହିଛି। ଗତ ୬ ମାସ ଭିତରେ ଏଭଳି ପ୍ରଥମ ଘଟଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକର୍ମୀ ଦିନରାତି ପରିଶ୍ରମ କରୁଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଛି ବିଭାଗ।

ଅନ୍ୟପଟେ ଗତ ୩ ଦିନ ଧରି ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ସଂଖ୍ୟା ୨ଶହ ତଳେ ଥିବାବେଳେ ଆଜି ଏହା ପୁଣି ୨ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୩୩ ଜଣ ଥିବାବେଳେ ୯୮ ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୯୨୧ରେ ପହଞ୍ଚିଛି।

ସେହିପରି ଗତ ତିନି ଦିନରେ ମୃତ୍ୟସଂଖ୍ୟା ବି ହ୍ରାସ ଘଟିଛି। ଜାନୁଆରି ୨ରେ ୪ ଜଣ ଆକ୍ରାନ୍ତ ମୃତ୍ୟୁ ଘଟିଥିଲା ବେଳେ ଜାନୁଆରି ୩ରେ ୩ ଜଣ ଓ ଜାନୁଆରି ୪ରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା।

ଜୁନ୍‌ ମାସରରୁ ରାଜ୍ୟରେ ବଢ଼ିଥିଲା ମୃତ୍ୟୁ

ମାର୍ଚ୍ଚ ମାସରେ ଓଡ଼ିଶାରେ କରୋନା ପ୍ରବେଶ କରିଥିଲାବେଳେ ଏପ୍ରିଲ ୭ ତାରିଖରେ ରାଜ୍ୟରେ ପ୍ରଥମ କରୋନାଜନିତ ମୃତ୍ୟୁ ଘଟିଥିଲା। ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି କରୋନାରେ ଆଖି ବୁଜିଥିଲେ। ତା’ ପରେ ଧୀରେ ଧୀରେ ମୃତ୍ୟୁସଂଖ୍ୟା ବି ବଢ଼ିବା ଆରମ୍ଭ କରିଥିଲା। ଜୁନ୍‌ ମାସରୁ ନଭେମ୍ବର ମାସ ମଧ୍ୟରେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦୈନିକ ୧୦ରୁ ୨୦ ଭିତରେ ରହୁଥିଲା। ଏହାକୁ ନେଇ ପୂରା ରାଜ୍ୟରେ ଭୟ ଦେଖାଯାଇଥିଲା। କାରଣ ନଭେମ୍ବର ମାସ ଆଡ଼କୁ କରୋନା ସଂକ୍ରମିତ ସଂଖ୍ୟା ତଳକୁ ଖସି ଥିଲା। ହେଲେ ମୃତ୍ୟୁସଂଖ୍ୟାରେ କିଛି ଫରକ ଦେଖାଯାଇନଥିଲା।

Comment