ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆବର୍ଷ ଆରମ୍ଭରୁ ଦେଶରେ ବାର୍ଡ ଫ୍ଲୁ ସଙ୍କଟ ଦେଖାଗଲାଣି। ୫ଟି ରାଜ୍ୟରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଏବେ ଅନ୍ୟ ସବୁ ରାଜ୍ୟରେ ଏନେଇ ଆଲର୍ଟ ଜାରି କରାଯାଇଛି। ରାଜ୍ୟମାନଙ୍କୁ ସତର୍କ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଫଳରେ କରୋନା ପରେ ଏବେ ବାର୍ଡ ଫ୍ଲୁ ସଙ୍କଟ ଦେଶବାସୀଙ୍କୁ ଭୟଭୀତ କରିଛି।

ହିମାଚଳ ପ୍ରଦେଶରେ ବିଦେଶାଗତ ପକ୍ଷୀଙ୍କ ମୃତ୍ୟୁ

ଗତ ୭ ଦିନ ଭିତରେ ହିମାଚଳ ପ୍ରଦେଶର ପଙ୍ଗ ଡ୍ୟାମ ନିକଟରୁ ପ୍ରାୟ ୧୮୦୦ ବିଦେଶାଗତ ପକ୍ଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ପକ୍ଷୀଙ୍କ ନମୁନା ପରୀକ୍ଷଣ ପରେ ସେମାନଙ୍କଠାରେ ବାର୍ଡ ଫ୍ଲୁ ଭାଇରସ ଥିବା ଜଣାଯାଇଛି। ଫଳରେ ଏବେ ରାଜ୍ୟ ପଶୁପାଳନ ବିଭାଗ ସମସ୍ତଙ୍କୁ ସତର୍କ ରହିବାକୁ କହିଛି। ଏହାସହିତ ଡ୍ୟାମଠାରୁ ୧୦ କିଲୋମିଟର ଦୂର ଅଞ୍ଚଳ ଭିତରେ ଥିବା ଚିକେନ ଦୋକାନ ସବୁକୁ ବନ୍ଦ କରିଦିଆଯାଇଛି।

ମଧ୍ୟପ୍ରଦେଶରେ ଫ୍ଲୁ ଆତଙ୍କ

ଦେଶରେ ସର୍ବପ୍ରଥମେ ମଧ୍ୟପ୍ରଦେଶରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଯାଇଛି। ମନ୍ଦସୌର, ଇନ୍ଦୋର, ଖରଗୋନରେ ଶହ ଶହ କାଉଙ୍କର ମୃତ୍ୟୁ ଘଟିଛି। ଏହି ମୃତ କାଉଙ୍କ ନମୁନାରୁ ଭାଇରସ ଚିହ୍ନଟ ହୋଇଛି। ଏହି ରିପୋର୍ଟ ଆସିବା ପରେ ସଂପୃକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍‌ ଯାଇ ସ୍ୱତନ୍ତ୍ର ଭାବେ ଯାଞ୍ଚ କରୁଛନ୍ତି।

ରାଜସ୍ଥାନରେ ବାର୍ଡ ଫ୍ଲୁ ପ୍ରବେଶ

ରାଜସ୍ଥାନର ବିଭିନ୍ନ ସ୍ଥାନରେ ଗତମାସ ୨୫ ତାରିଖଠାରୁ କାଉ ଓ ଅନ୍ୟ ପକ୍ଷୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଝଲାଓ୍ୱାର, କୋଟେ, ପାଲି, ବାରନ, ଯୋଧପୁର ଓ ଜୟପୁରରେ ବାର୍ଡ ଫ୍ଲୁ ବ୍ୟାପିଛି। ଏହି ସବୁ ସ୍ଥାନରେ ମୋଟ ୨୫୦ କାଉ ମରିଥିବା ଜଣାପଡ଼ିଛି। ରାଜ୍ୟରେ ଖୁବଶୀଘ୍ର ବାର୍ଡ ଫ୍ଲୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି।

 କେରଳରେ ରାଜ୍ୟ ବିପର୍ଯ୍ୟୟ ଘୋଷଣା

କେରଳରେ ବାର୍ଡ ଫ୍ଲୁ ବ୍ୟାପିବା ପରେ ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ରାଜ୍ୟର ୨ଟି ଜିଲ୍ଲା କୋଟ୍ଟାୟମ ଓ ଆଲପୁଜାରେ କିଛି ପକ୍ଷୀଙ୍କ ମୃତ୍ୟୁ ଘଟିବା ପରେ ବାର୍ଡ ଫ୍ଲୁ ଯୋଗୁଁ ଏଭଳି ଘଟିଥିବା ଜଣାପଡ଼ିଥିଲା। ଏହାପରେ ଜିଲ୍ଲାର ବିଭିନ୍ନ ଫାର୍ମରେ ଥିବା ୪୦ ହଜାର ପକ୍ଷୀଙ୍କୁ ମାରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଝାଡ଼ଖଣ୍ଡରେ ଆଲର୍ଟ

ଝାଡ଼ଖଣ୍ଡରେ ବାର୍ଡ ଫ୍ଲୁ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନଥିଲେ ବି ଝାଡ଼ଖଣ୍ଡ ସରକାର ରାଜ୍ୟରେ ଆଲର୍ଟ ଜାରି କରିଛନ୍ତି। ଅନ୍ୟ ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପୁଥିବା ଦେଖି ସରକାର ଆଗୁଆ ସଚେତନ ହୋଇଛି। ରାଜ୍ୟର କୌଣସି ସ୍ଥାନରେ ବି ଅସ୍ୱାଭାବିକ ଭାବେ କୌଣସି ପକ୍ଷୀଙ୍କ ମୃତ୍ୟୁ ଘଟିଥିଲେ ତୁରନ୍ତୁ ଜଣାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଓଡ଼ିଶାରେ ବି ସରକାର ବାର୍ଡ ଫ୍ଲୁ ପାଇଁ ତତ୍ପରତା ଦେଖାଇଛନ୍ତି। ମଙ୍ଗଳବାର ଚିଲିକାରୁ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। କିନ୍ତୁ ଏହି ସବୁ ପକ୍ଷୀଙ୍କ ରିପୋଟ ପଜିଟିଭ ଆସିଛି।

Comment