ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁଲାଇ ୩ ତାରିଖରେ ଆଇଆଇଟି ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ଆଡଭାନ୍ସଡ୍) ହେବ। ଖଡ଼ଗପୁରସ୍ଥିତ ଆଇଆଇଟି ଏହାକୁ ପରିଚାଳନା କରିବ। ଏନେଇ ଗୁରୁବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେଇଛନ୍ତି।

ଗୁରୁବାର ସନ୍ଧ୍ୟା ୬ଟାରେ ଏକ ଭିଡିଓ ବାର୍ତ୍ତା ଜାରି କରି ମନ୍ତ୍ରୀ କହିଛନ୍ତି ଯେ, ୨୦୨୧ ମସିହା ପାଇଁ ଆସନ୍ତା ଜୁଲାଇ ୩ ତାରିଖରେ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଅନୁଷ୍ଠିତ ହେବ। ତେଣୁ ମୁଁ ଆଶା କରୁଛି ଯେ ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରସ୍ତୁତି ନେଇ ଯଥେଷ୍ଟ ସମୟ ପାଇପାରିବେ।

ଏହାସହ ଶିକ୍ଷାମନ୍ତ୍ରୀ ବିଭିନ୍ନ ଆଇଆଇଟିରେ ନାମଲେଖା ପ୍ରକ୍ରିୟା ଓ ଏହାର ଯୋଗ୍ୟତା ସମ୍ବନ୍ଧିତ ସୂଚନା ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏଥର ୭୫ ପ୍ରତିଶତ ଯୋଗ୍ୟତା ମାନଦଣ୍ଡକୁ ଋଦ୍ଦ କରି ଦିଆଯାଇଛି। ଆଗରୁ ଆଇଆଇଟିରେ ନାମଲେଖିବା ପାଇଁ ଯୁକ୍ତଦୁଇରେ ୭୫ ପ୍ରିତଶତ ମାର୍କ ରଖିଥିବା ବାଧ୍ୟତାମୂଳକ ଥିଲା।

ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଜରିଆରେ ଦେଶର ୨୩ଟି ପ୍ରତିଷ୍ଠିତ ଆଇଆଇଟିରେ ପ୍ରବେଶ ମିଳିଥାଏ। ଜେଇଇ ମେନ୍ ପରୀକ୍ଷାରେ ଭଲ ଫଳାଫଳ କରିଥିବା ଛାତ୍ରଙ୍କୁ ହିଁ ଜେଇଇ ଆଡଭାନ୍ସଡ୍ ଦେବାକୁ ସୁଯୋଗ ମିଳିଥାଏ। ଗତ ବର୍ଷ ଆଇଆଇଟି ଦିଲ୍ଲୀ ଜେଇଇ ଆଡଭାନ୍ସଡ ଆୟୋଜନ କରିଥିଲା। ଚଳିତ ବର୍ଷ ଆଇଆଇଟି ଖଡଗପୁରରୁ ଏହାର ପରିଚାଳନା ଦାୟିତ୍ଵ ଦିଆଯାଇଛି।

Comment