ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ସୀମାରେ ଟ୍ରାକ୍ଟର ରାଲି କରିଛନ୍ତି ଚାଷୀ ସଙ୍ଗଠନ।

କେନ୍ଦ୍ର ସରକାରଙ୍କ ସହ ଆଗାମୀ ବୈଠକ ହେବା ପୂର୍ବରୁ ଦିଲ୍ଲୀ ସୀମାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଚାଷୀ ସଙ୍ଗଠନ। ଗୁରୁବାର ଦିଲ୍ଲୀ ସୀମାରେ ହଜାର ହଜାର କୃଷକ ଟ୍ରାକ୍ଟର ରାଲି କରିବା ସହିତ ନୂଆ କୃଷି ଆଇନକୁ ରଦ୍ଦ କରିବାକୁ ଦାବି କରିଛନ୍ତି। ଅନ୍ୟପଟେ ସରକାର ଯଦି ଏହି ନୂଆ ଆଇନକୁ ରଦ୍ଦ ନକରନ୍ତି ତେବେ ଜାନୁଆରି ୨୬ରେ ସାଧାରଣତନ୍ତ୍ର ଦିବସ ଅବସରରେ ଚାଷୀମାନେ ସାରା ଦେଶରେ ଟ୍ରାକ୍ଟର ରାଲି କରିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ ୪୩ ଦିନରେ ପହଞ୍ଚିସାରିଲାଣି। ଏହାରି ଭିତରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଓ ଚାଷୀ ସଙ୍ଗଠନ ଭିତରେ ସାତ ଥର ବୈଠକ ମଧ୍ୟ ହୋଇସାରିଲାଣି; କିନ୍ତୁ ଏହାର କୌଣସି ନିଷ୍କର୍ସ ବାହାରି ପାରୁନାହିଁ। କେନ୍ଦ୍ର ସରକାର ଆଇନରେ କିଛି ସଂଶୋଧନ ପାଇଁ ରାଜି ହୋଇଥିଲେ ମଧ୍ୟ ଚାଷୀ ସଙ୍ଗଠନ ଏହାର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଅଡ଼ି ବସିଛନ୍ତି। ଯାହା ଫଳରେ ଏପର୍ଯ୍ୟନ୍ତ ଏହି ବିବାଦର ସମାଧାନ ହୋଇପାରିନି।ଅନ୍ୟପଟେ ଶୀତ କାକର ଭିତରେ ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନେ ଗୁରୁବାର ଟ୍ରାକ୍ଟର ରାଲି ଆରମ୍ଭ କରିଛନ୍ତି। ଭାରତୀୟ କିଷାନ ୟୁନିୟନର ସେକ୍ରେଟାରୀ ହରିନ୍ଦର ସିଂହଙ୍କ କହିବା ମୁତାବକ, ବିଭିନ୍ନ ଆନ୍ଦୋଳନ ଅଞ୍ଚଳରୁ ଟ୍ରାକ୍ଟରମାନେ ଏକାଠି ହେବା ସହିତ ପଞ୍ଜାବ ଓ ହରିୟାଣାରୁ ଚାଷୀମାନେ ମଧ୍ୟ ନୂଆ ଟ୍ରାକ୍ଟର ଧରି ଆସିଛନ୍ତି। ଦିଲ୍ଲୀ କେଏମପି ଏକ୍ସପ୍ରେସ ଉପରେ ପ୍ରାୟ ୮ରୁ ୧୦ ହଜାର ଟ୍ରାକ୍ଟର ରାଲିରେ ଯୋଗଦେଇଛନ୍ତି ବୋଲି ସେ କହିଛନ୍ତି।

ସେହିପରି ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି ଯେ, ଚାଷୀ ଭାଇମାନଙ୍କ ଭିତରେ ନୂଆ କୃଷି ଆଇନକୁ ନେଇ ଅସନ୍ତୋଷ ରହିଛି। ସରକାର ଏହି ଘଟଣାର ତୁରନ୍ତ ସମାଧାନ କରିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି। ଅନ୍ୟପଟେ ଆଉ କିଛି ଚାଷୀ ନେତା ଏହାକୁ ଜାନୁଆରି ୨୬ ତାରିଖରେ ହେବାକୁ ଥିବା ଟ୍ରାକ୍ଟର ରାଲିରେ ଟ୍ରେଲର ବୋଲି କହିଛନ୍ତି। ସରକାର ଯଦି ନୂଆ କୃଷି ଆଇନକୁ ରଦ୍ଦ ନକରନ୍ତି ତେବେ ଏହାଠୁ ଅଧିକ ଟ୍ରାକ୍ଟର ସାରା ଦେଶରେ ରାଲି କରିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି।

Comment