ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କଲର୍ ଟ୍ୟୁନ୍ରେ କଣ୍ଠ ଦେଇଥିବା ଚର୍ଚ୍ଚିତ ହୋଇଥିବା ଜସଲିନ ଭଲ୍ଲାଙ୍କୁ ଜାଣନ୍ତୁ।
‘‘କରୋନା ଭାଇରସ ୟା କୋଭିଡ ୧୯ ସେ ଆଜ ପୂରା ଦେଶ ଲଢ ରହା ହୈ। ପର ୟାଦ ରହେ ହମେ ବିମାରି ସେ ଲଢ଼ନା ହୈ, ବିମାର ସେ ନେହିଁ’’, କରୋନା ଭାଇରସ ଆସିବା ଦିନରୁ ସମସ୍ତଙ୍କ ଫୋନରେ ଏହି ଗୋଟିଏ କଲର ଟ୍ୟୁନ୍ ଶୁଣିବାକୁ ମିଳୁଛି। ଏଥିରେ ଜଣେ ମହିଳା ଅତି ମଧୁର କଣ୍ଠରେ ଲୋକଙ୍କୁ କରୋନା ସଚେତନତା ବାର୍ତ୍ତା ଦେଉଛନ୍ତି ଏବଂ ଏହି କଲରଟ୍ୟୁନ୍ ସହିତ ଏବେ ଛୋଟରୁ ବଡ଼ ସମସ୍ତେ ପରିଚିତ ହୋଇଗଲେଣି। କିନ୍ତୁ ଆପଣ ଜାଣନ୍ତି କି ଏହି କଲର ଟ୍ୟୁନ୍ରେ କଣ୍ଠ ଦେଇଥିବା ମହିଳା ଜଣକ କିଏ?
ଏହି ମହିଳା ହେଉଛନ୍ତି ଦିଲ୍ଲୀରେ ଜନ୍ମିତ ଜଣେ ଜଣାଶୁଣା ଭଏସ ଓଭର ଆର୍ଟିଷ୍ଟ ଜସଲିନ୍ ଭଲ୍ଲା। ସେ ଟିଭି ଓ ରେଡିଓ ଆଦିରେ ବିଭିନ୍ନ କାର୍ଯ୍ୟକ୍ରମ ଓ ବିଜ୍ଞାପନରେ ନିଜର କଣ୍ଠଦାନ କରନ୍ତି। ଜସଲିନ୍ ସାମ୍ବାଦିକତାରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଆରମ୍ଭରେ ସେ ଏକ ଟିଭି ଚାନେଲରେ କ୍ରୀଡ଼ା ସାମ୍ବାଦିକ ଭାବେ କାମ କରୁଥିଲେ। ଏବେ ସେ ସାମ୍ବାଦିକତା ଛାଡ଼ି କେବଳ ଭଏସ ଓଭର ଦେଉଛନ୍ତି।
‘‘କୋଭିଡ ଆରମ୍ଭ ହେବା ସମୟରେ ମତେ ଗୋଟିଏ ଷ୍ଟୁଡିଓରୁ ଫୋନ ଆସିଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଲାଗି ଏକ ଭଏସ୍ ଓଭର ଦେବାକୁ କୁହାଯାଇଥିଲା। ୩୦ ସେକେଣ୍ଡରେ ଏହି ଭଏସ୍ ଓଭର ଦେବାକୁ କୁହାଯାଇଥିଲା। ସେତେବେଳେ କିନ୍ତୁ ମୁଁ ଜାଣି ନଥିଲି ଯେ ଏହି ଭଏସ ଓଭର ଏତେ ଦୂର ଯାଏଁ ଯିବ। ସମସ୍ତଙ୍କ ଫୋନରେ କଲର ଟ୍ୟୁନ୍ ହେବ’’, କହିଛନ୍ତି ଜସଲୀନ ଭଲ୍ଲା।
ହିନ୍ଦୀ ବ୍ୟତୀତ ଜସଲିନ୍ ଅନ୍ୟ ଭାରତୀୟ ଭାଷାରେ ମଧ୍ୟ ଏହି ବାର୍ତ୍ତା ରେକର୍ଡ କରିଛନ୍ତି। ଏହାପୂର୍ବରୁ ହରିଲିକ୍ସ, ସ୍ଲାଇସ ଆଦି ବିଜ୍ଞାପନରେ ତାଙ୍କ ସ୍ୱର ଦେଇଛନ୍ତି।