ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଷୀ ସଙ୍ଗଠନ ଓ କେନ୍ଦ୍ର ସରକାର ଭିତରେ ଅଷ୍ଟମ ଥରର ଆଲୋଚନା ମଧ୍ୟ ବିନା କୌଣସି ନିଷ୍କର୍ସରେ ଶେଷ ହୋଇଛି। ସରକାର କୃଷି ଆଇନ ପ୍ରତ୍ୟାହାର କରିବାକୁ ରାଜି ହୋଇନଥିବାବେଳେ ଚାଷୀମାନେ ମଧ୍ୟ ନିଜ ଜିଦରେ ଅଟଳ ଥିବା ଜଣାପଡ଼ିଛି। ଅନ୍ୟପଟେ ଜାନୁଆରି ୧୫ ତାରିଖରେ ପୁଣିଥରେ ଚାଷୀ ସଙ୍ଗଠନ ଓ କେନ୍ଦ୍ର ସରକାରଙ୍କ ଭିତରେ ଆଲୋଚନା ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି।

ନୂଆ କୃଷି ଆଇନକୁ ବିରୋଧ କରି ମାସେରୁ ଅଧିକ ଦିନ ହେଲା ଚାଷୀମାନେ ଦିଲ୍ଲୀ ସୀମାରେ ଅଡ଼ି ବସିଛନ୍ତି। କେନ୍ଦ୍ର ସରକାର ଚାଷୀ ସଙ୍ଗଠନମାନଙ୍କ ସହିତ ଏହା ଭିତରେ ୭ ଥର ଆଲୋଚନା କରିସାରିଥିବାବେଳେ କୌଣସି ସୁଫଳ ମିଳିପାରିନଥିଲା। ଶୁକ୍ରବାର ଚାଷୀ ଓ କେନ୍ଦ୍ର ସରକାର ଭିତରେ ଅଷ୍ଟମ ଥର ପାଇଁ ବୈଠକ ବସିଥିଲା; ହେଲେ ପୂର୍ବଭଳି ଏହି ବୈଠକ ମଧ୍ୟ ବିନା କୌଣସି ନିଷ୍କର୍ସରେ ଶେଷ ହୋଇଛି।କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, ଚାଷୀମାନଙ୍କ ସହିତ ଆଜିର ଆଲୋଚନା ଭଲ ରହିଛି। ଖୁବଶୀଘ୍ର ଏହି ବିବାଦର ସମାଧାନ ହେବ ବୋଲି ଆଶା କରାଯାଉଛି। ଏଥିସହ ସରକାର ଚାଷୀ ସଙ୍ଗଠନକୁ ଏକ କମିଟି ଗଢ଼ିବାକୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।

ଏହାପୂର୍ବରୁ ଗତକାଲି କୃଷି ଆଇନକୁ ବିରୋଧ କରି ଚାଷୀ ସଙ୍ଗଠନମାନେ ଦିଲ୍ଲୀ ସୀମା ଚାରିପଟେ ଟ୍ରାକ୍ଟର ରାଲି କରିଥିଲେ। ତା’ ସହିତ କେନ୍ଦ୍ର ସରକାର ଯଦି ନୂଆ କୃଷି ଆଇନକୁ ପ୍ରତ୍ୟାହାର ନକରନ୍ତି ତେବେ ଜାନୁଆରି ୨୬ରେ ସାରା ଦେଶରେ ଚାଷୀମାନେ ଭାଇମାନେ ଟ୍ରାକ୍ଟର ରାଲି କରିବେ ବୋଲି ଖୋଲା ଚେତାବନୀ ଦେଇଥିଲେ।

Comment