ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଖୋଜ ପିଲାଙ୍କୁ ଖୋଜିବା ପାଇଁ ଆସନ୍ତା ୧୮ ତାରିଖରୁ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ କରିବ ପୋଲିସ। ଏହି ଅଭିଯାନ ଜାନୁଆରି ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ପୋଲିସ ଡିଜି ଅଭୟ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମୀକ୍ଷା କରିବା ସହ ତଲାସୀ ଅଭିଯାନକୁ ଜୋରଦାରର କରିବାକୁ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଥାନା ୱାରି ନିଖୋଜ ରିପୋର୍ଟ ପ୍ରସ୍ତୁତ କରାଯାଇ ସ୍ୱତନ୍ତ୍ର ଟିମ୍ ନିଖୋଜ ପିଲାଙ୍କ ପତ୍ତା ଖୋଜିବ।

ସେହିପରି ସାଇବର ଅପରାଧ ମାମଲାର ତଦନ୍ତ ପ୍ରକ୍ରିୟାକୁ ଅଧିକ ଶାଣିତ କରିବା ପାଇଁ ପୋଲିସର ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି।

ଏନ୍‌ସିଆରବି ଦ୍ୱାରା ନିୟମିତ ବ୍ୟବଧାନରେ ଅନ୍‌ଲାଇନ୍‌ରେ ଦିଆଯାଉଥିବା ସାଇବର ଟ୍ରେନିଂ ନେବାକୁ ଡିଜି ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରେନିଂ ପାଇଁ ପୋଲିସ୍ ଅଧିକାରୀମାନେ ପଞ୍ଜୀକରଣ କରାଇ ସାଇବର ଅପରାଧ ତଦନ୍ତର ଜ୍ଞାନ କୌଶଳ ଶିକ୍ଷା ଗ୍ରହଣ କରିବେ ବୋଲି ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସେହିପରି ରାଜ୍ୟରେ ଏବେ ବିଭିନ୍ନ ଥାନାରେ ଅନୁସୂଚିତ ଜାତି(ଏସ୍‌ସି), ଅନୁସୂଚିତ ଜନଜାତି(ଏସ୍‌ଟି) ସଂକ୍ରନ୍ତୀୟ ଅନେକ ମାମଲା ପଡ଼ି ରହିଛି । ଜିଲ୍ଲା ସ୍ତରରେ ଏସ୍‌ସି, ଏସ୍‌ଟି କେସ ତଦନ୍ତ ଫଏସଲା କରିବା ପାଇଁ ପୋଲିସ ଏବଂ ଜିଲ୍ଲା ପ୍ରଶାସନିକ ମୁଖ୍ୟଙ୍କ ସ୍ତରରେ ହେବାକୁ ଥିବା ଯୁଗ୍ମ ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଡ୍ରାଇଭ୍ କରାଯିବ। ଏଥିପାଇଁ ଆସନ୍ତା ୧୧ ତାରିଖରୁ ୧୭ ତାରିଖ ୭ ଦିନ ପାଇଁ ଅଭିଯାନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

ସେହିପରି କ୍ରାଇମ୍ କ୍ରିମିନାଲ୍ ନେଟୱାର୍କିଂ ସିଷ୍ଟମ (ସିସିଟିଏନ୍‌ଏସ୍‌) ମାଧ୍ୟମରେ ଅପରାଧ ସମୀକ୍ଷା କରିବା, ଥାନାର କାର୍ଯ୍ୟଧାରାକୁ ଦେଖି ଥାନା ସ୍ତରରେ ବର୍ଗୀକରଣ କରିବା ସହ ଭଲ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀମାନଙ୍କ ମନୋବଳ ବୃଦ୍ଧି ଲାଗି ଡିଜିପି ପ୍ରୋତ୍ସାହନ ପୁରସ୍କାର ଓ ମେଡାଲ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି।

କରୋନା କଟକଣା ମଧ୍ୟରେ ପୋଲିସ କର୍ମଚାରୀମାନେ ସେମାନଙ୍କ ବୃତ୍ତିଗତ ଅଭିଯୋଗ ବରିଷ୍ଠ ଅଫିସରଙ୍କୁ ସାକ୍ଷାତ କରି ଜଣାଇବାରେ ସୁବିଧା ହେଉଛି। ଏଥିଲାଗି ପୋଲିସ କର୍ମଚାରୀମାନଙ୍କର ଅଭିଯୋଗ ଅନଲାଇନ୍‌ରେ ଶୁଣାଣି କରି ତାର ସମାଧାନ କରିବା ପାଇଁ ଡିଜି ପୋଲିସ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଥାନାରେ ସିସିଟିଭିର ସଠିକ୍ କାର୍ଯ୍ୟକାରୀ କରିବା, ୪୦ ବର୍ଷ ବୟସରରୁ ଅଧିକ ପୋଲିସ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା, କର୍ମଚାରୀମାନଙ୍କ ପୋଷାକ ସାମଗ୍ରୀ ପ୍ରଦାନ କରିବା ପରିବର୍ତ୍ତେ ପୋଷାକ ଭତ୍ତା ପ୍ରଦାନ କରିବା ପ୍ରସଙ୍ଗ ଆଲୋଚନା କରାଯାଇଥିଲା। ଏହି ସମୀକ୍ଷା ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର ଏସ୍‌ପି, ପୋଲିସ କମିସନର, ପୋଲିସ ମୁଖ୍ୟାଳୟ ଏଡିଜି, ରେଳବାଇ ଏଡିଜି, ଗୁଇନ୍ଦା ନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଏଡିଜି ପ୍ରମୁଖ ଉପସ୍ଥିତ ରହିଥିଲେ।

Comment