ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ସରକାରୀ ସ୍କୁଲରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଂଜିନିୟରିଂରେ ସଂରକ୍ଷଣ କେମିତି କରାଯିବ ସେନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ହାଇପାୱାର କମିଟି ଗଠନ କରାଯାଇଛି। ଏହି କମିଟିର ଅଧ୍ୟକ୍ଷ ଭାବେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରୁଣ କୁମାର ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି।

ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଇଁ କେତେ ସ୍ଥାନ ସଂରକ୍ଷିତ ହେବ ଓ ଏଥିପାଇଁ କଣ ବ୍ୟବସ୍ଥା ଗ୍ରହଣ କରିଯିବ ସେସବୁ କଥା କମିଟି ସରକାରଙ୍କୁ ସୁପାରିସ୍ କରିବେ।ଗତ ୨୮ ତାରିଖରେ କ୍ୟାବିନେଟ ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଜଷ୍ଟିସ ଅରୁଣ କୁମାର ମିଶ୍ରଙ୍କ ବ୍ୟତୀତ ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ଅଶୋକ ଦାସ, ସ୍ୱାସ୍ଥ୍ୟ ଶିକ୍ଷା ବିଭାଗ ନିର୍ଦ୍ଦେଶକ ସିବିକେ ମହାନ୍ତି,ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ବିଏସ ପୁନିଆ ଓ ବୈଷୟିକ ଶିକ୍ଷା ବିଭାଗ ନିର୍ଦେଶକ ଜି ରଘୁ ଏହାର ସଦସ୍ୟ ରହିବେ। ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଏକେ ନାୟକ ଆବାହକ ଭାବେ କାର୍ଯ୍ୟ କରିବେ। ଏହି କମିଟି ତିନି ମାସ ମଧ୍ୟରେ ତାଙ୍କ ରିପୋର୍ଟ ଦେବେ, ଯାହା ଫଳରେ କି ଆସନ୍ତା ଶିକ୍ଷା ବର୍ଷରୁ ଏହି ସୁପାରିସ୍ ଲାଗୁ ହୋଇପାରିବ।

ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ପିଲାଙ୍କ ପାଇଁ ଇଂଜିନିୟରିଂ ଓ ମେଡିକାଲରେ ସ୍ଥାନ ସଂରକ୍ଷଣ କରିବାକୁ ନବୀନ ପଟ୍ଟନାୟକ ଗତ ମାସରେ  ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାର ଉଦ୍ଦେଶ୍ୟ ହେଉଛି ବୈଷୟିକ ଶିକ୍ଷା କ୍ଷେତ୍ରରେ ସମାନତା ଆଣିବା,ସମସ୍ତେ ଯେମିତି ଏହି ଶିକ୍ଷା ଲାଭ କରି ପାରିବେ ତାହା ଦେଖିବା ଓ ସର୍ବୋପରି ଏମବିବିଏସ ଓ ବିଟେକ  ଶିକ୍ଷାର ଗୁଣବତ୍ତା ବୃଦ୍ଧି କରିବା।

ରାଜ୍ୟର ଜଣେ ଅଧିକାରୀ କହିଛନ୍ତି ଯେ ସଂରକ୍ଷଣର ବିଭିନ୍ନ ଦିଗ ପ୍ରତି କମିଟି ଦୃଷ୍ଟି ଦେବେ। କେତେ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ,ସଂରକ୍ଷଣ କିଏ ପାଇବେ ଓ କିଏ ପାଇବେନି ଓ କ୍ରିମି ଲେୟାରଙ୍କ କଥା କଣ ହେବ ଏ ସବୁ ବିଷୟର ତର୍ଜମା କମିଟି କରିବେ ବୋଲି ସ୍ଥିର ହୋଇଛି। ତା’ଛଡ଼ା କମିଟି ସରକାରଙ୍କ ଏହି ନୂଆ ସଂରକ୍ଷଣ ବ୍ୟବସ୍ଥାର ଆଇନଗତ ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦେବେ।ଅନ୍ୟ କେଉଁ ରାଜ୍ୟରେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି କି ନାହିଁ ସେ କଥା ମଧ୍ୟ କମିଟ ଅନୁଧ୍ୟାନ କରିବାକୁ କୁହାଯାଇଛି।

Comment