ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଭୁବନେଶ୍ୱରରେ ମିଳିବ ଜୈବିକ ଖତ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ‘ମୋ ଖତ’ ବିକ୍ରୟ କେନ୍ଦ୍ର ଉଦଘାଟିତ ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶୁକ୍ରବାର ଏହି କେନ୍ଦ୍ରକୁ ଉଦଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବର୍ତ୍ତମାନ ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର(ଏମସିସି)ଗୁଡ଼ିକରୁ ବାହାରୁଥିବା ଜୈବିକ ଖତକୁ ଏହି କେନ୍ଦ୍ର ମାଧ୍ୟମରେ ବିକ୍ରି କରାଯିବ। ଏହାଦ୍ୱାରା ବିଏମସିରେ ଡମ୍ପିଂୟାର୍ଡ ସମସ୍ୟା ଦୂର ହୋଇପାରିବ। ଏହାପରେ ଏହି କାର୍ଯ୍ୟକ୍ରମକୁ ଅନ୍ୟ ସହରଗୁଡ଼ିକରେ ଆରମ୍ଭ କରାଯିବ।

ବିଏମସିରେ କାର୍ଯ୍ୟକ୍ଷମ ଥିବା ୮ଟି ଏମସିସିରୁ ଏହି ଜୈବିକ ସାର ବାହାରୁଛି। ଭୁବନେଶ୍ୱରବାସୀଙ୍କ ଘରୁ ବାହାରୁଥିବା ଓଦା ବର୍ଜ୍ୟବସ୍ତୁରୁ ଏହାକୁ ପ୍ରସ୍ତୁତ କରାଯାଉଛି। ଭୁବନେଶ୍ୱରକୁ ଏକ ସ୍ୱଚ୍ଛ ସହର ଭାବେ ପ୍ରତିଷ୍ଠା କରିବା ପାଇଁ ନାଗରିକମାନଙ୍କ ଏହି ସହଯୋଗକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଛନ୍ତି।ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ‘ମୋ ଖତ’ ଜୈବିକ ସାର ୫ କିଲୋଗ୍ରାମ ପ୍ୟାକେଟକୁ ୧୨୫ ଟଙ୍କାରେ ବିକ୍ରି କରାଯିବ। ଏହି ବିକ୍ରୟ କେନ୍ଦ୍ର ସ୍ୱୟଂ ସହାୟକ ଗୋଷ୍ଠୀ ଦାୟିତ୍ୱରେ ରହିବ। ଏଥିରୁ ମିଳୁଥିବା ଅର୍ଥକୁ ଏମସିସି ପାଇଁ ଖର୍ଚ୍ଚ କରାଯିବ। ଏହି ବିକ୍ରୟ କେନ୍ଦ୍ର ଦିନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ। ଅନଲାଇନରେ ବି ଏହି ଖତ ମିଳିବ। ଗ୍ରାହକମାନେ 781-504-2331ରେ ଫୋନ କରି ଖତ ପାଇଁ ଅର୍ଡର ମଧ୍ୟ କରିପାରିବେ। ‘ମୋ ଖତ’ ପରିଚାଳନାରେ ବିଏମସି କର୍ମଚାରୀମାନେ ଆବଶ୍ୟକ ସହଯୋଗ କରିବେ। ସ୍ଥିରୀକୃତ ନିୟମ ଅନୁସାରେ ଏହି ବିକ୍ରୟ କେନ୍ଦ୍ରର ନଥିପତ୍ର ତଦାରଖ କରାଯିବ।

‘ମୋ ଖତ’ ବିକ୍ରୟ କେନ୍ଦ୍ରର ଉଦଘାଟନୀ ଉତ୍ସବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍, ମ୍ୟୁନିସିପାଲ୍ ପ୍ରଶାସନର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comment