ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ ଟିକାକରଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେଠାରେ କୋଭିଡ୍ ଟିକା ସମସ୍ତଙ୍କୁ ମାଗଣାରେ ଯୋଗାଇ ଦିଆଯିବ ବୋଲି ମମତା ଏକ ଚିଠି ଲେଖି ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ମମତାଙ୍କ ଏହି ଘୋଷଣାକୁ ଏକ ବଡ଼ ଘୋଷଣା ବୋଲି କୁହାଯାଉଛି।

ମମତା ଏହି ଅବସରରେ କୋଭିଡ୍ ଯୋଦ୍ଧାମାନଙ୍କୁ ସଂଗ୍ରାମୀ ଭାବେ ବର୍ଣ୍ଣନା କରିବା ସହିତ ତାଙ୍କ  ପରିବାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏଥିସହ ପଶ୍ଚିମବଙ୍ଗ ସରକାର ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ପରେ ସାଧାରଣ ଲୋକଙ୍କୁ ମାଗଣାରେ ଟିକାକରଣ କରାଇବେ ବୋଲି ମମତା କହିଛନ୍ତି।ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ସମସ୍ତେ ଜାଣିଛେ କୋଭିଡ୍ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ତେଣୁ ପଶ୍ଚିମବଙ୍ଗରେ ଏହା ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ ଦିଆଯିବ। ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାଗଣାରେ ଏହି ଟିକାକରଣ କରିବେ ବୋଲି ମମତା ଶନିବାର ଘୋଷଣା କରିଛନ୍ତି।

ଏହାପୂର୍ବରୁ ମାଗଣା ଟିକାକରଣକୁ ନେଇ ବିହାର ରାଜନୀତି ମଧ୍ୟ ସରଗରମ ହୋଇଥିଲା। ବିଧାନସଭା ନିର୍ବାଚନରେ ଏହା ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା। ଏହାପରେ ଅନ୍ୟ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ମାଗଣା ଟିକାକରଣ କରିବା ନେଇ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ଯେ, ଜାନୁଆରି ୧୬ରୁ ଦେଶରେ କୋଭିଡ୍ ଟିକାକରଣ ହେବ ବୋଲି ଗତକାଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଯାହା ଫଳରେ ଦୀର୍ଘ ୯ ମାସ ଧରି କରୋନା କଟକଣା ଭିତରେ ଦିନ କାଟୁଥିବା ସାଧାରଣ ଜନତା ଆଶ୍ୱସ୍ତି ଅନୁଭବ କରୁଛି। ତେବେ ପ୍ରଥମେ ଏହା ସ୍ୱାସ୍ଥ୍ୟକର୍ମୀ ଓ ପରେ ଆଗଧାଡ଼ିର କରୋନା ଯୋଦ୍ଧା ଏବଂ ବୟସ୍କ ବ୍ୟକ୍ତିମାନଙ୍କୁ ଦିଆଯିବ।

Comment