ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଆସନ୍ତା ୧୬ ତାରିଖରୁ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱରରେ ଟିକାକରଣ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବାକୁ ବିଏମସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଥିବା ୪୩ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୨୪ ହଜାର ହସ୍ପିଟାଲ କର୍ମଚାରୀଙ୍କୁ ଟିକା ଦିଆଯିବ। ଏହାପରେ ବିଏମସି କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କୁ ଟିକା ପ୍ରଦାନ କରାଯିବ।

ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍-୪ ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଆଇଏମଏସ୍ ଓ ସମ୍ ହସ୍ପିଟାଲ, କିମ୍ସ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ଆଦି ୫ଟି ସ୍ଥାନରେ ଟିକାକରଣର ଶୁଭାରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ କେବଳ ହସ୍ପିଟାଲ କର୍ମଚାରୀମାନଙ୍କୁ ଟିକା ଦିଆଯିବ। ଏଥିରେ ହସ୍ପିଟାଲର ଡାକ୍ତରଙ୍କଠାରୁ ଆରମ୍ଭ କରି ସୁରକ୍ଷାକର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ ହେବେ। ଗୋଟିଏ ବ୍ୟାଚରେ ୧୦୦ ଜଣଙ୍କୁ ଟିକା ଦିଆଯିବ। ଟିକା ଦେଉଥିବା ସ୍ୱାସ୍ଥ୍ୟ କର୍ମୀଜଣକ ୧୦୦ ଜଣଙ୍କୁ ଟିକା ଦେବେ।

କୋଭିଡ୍-୧୯ ଓ୍ୱେବସାଇଟରେ କେଉଁମାନେ ଟିକା ନେବେ ସେ ବିଷୟରେ ତଥ୍ୟ ଅପଲୋଡ ହୋଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୪ ହଜାର ହସ୍ପିଟାଲ କର୍ମଚାରୀଙ୍କ ତାଲିକା ହୋଇସାରିଛି। ତେବେ କାହାରିକୁ ଟିକା ନେବାକୁ ବାଧ୍ୟ କରାଯିବନାହିଁ। ତାଲିକାଭୁକ୍ତ ହୋଇଥିବା କର୍ମଚାରୀମାନେ ନିଜ ଇଚ୍ଛା ମୁତାବକ ଟିକା ନେଇପାରିବେ। କିଏ ଟିକା ନେଲେ ତାର ସବିଶେଷ ତଥ୍ୟ କୋଭିଡ-୧୯ ଓ୍ୱେବସାଇଟରେ ରହିବ।

ହସ୍ପିଟାଲ କର୍ମଚାରୀଙ୍କୁ ଟିକା ଦିଆଯିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ବିଏମସି କର୍ମଚାରୀ, ପରିମଳ କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କୁ ଟିକା ଦିଆଯିବ। ସେହିପରି ତୃତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ସମ୍ବେଦନଶୀଳ ଲୋକଙ୍କୁ ଟିକା ମିଳିବ। ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ କେଉଁମାନେ ଟିକା ନେବେ ସେନେଇ ଏବେ ତାଲିକା ପ୍ରସ୍ତୁତ ହେଉଛି। ଖୁବଶୀଘ୍ର ଏହି ତାଲିକା କୋଭିଡ୍-୧୯ ଓ୍ୱେବସାଇଟରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।

Comment