ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା କରୋନା ଟିକାକରଣ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ରାଜ୍ୟର ୧୬୦ଟି ସ୍ଥାନରେ ଟିକା ଦେବା ଲାଗି ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ଟିକାକରଣ ଯୋଗୁଁ ଆସନ୍ତା ୧୭ରୁ ୧୯ ତାରିଖ ଯାଏଁ ରାଜ୍ୟରେ ହେବାକୁ ଥିବା ପଲ୍ସ ପୋଲିଓ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସାରା ଦେଶରେ ଆସନ୍ତା ୧୬ ତାରିଖରୁ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଜାନୁଆରି ୧୭, ୧୮ ଓ ୧୯ ତାରିଖରେ ହେବାକୁ ଥିବା ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। କରୋନା ଟିକାକରଣ ସରିବା ପରେ ପୋଲିଓ କାର୍ଯ୍ୟକ୍ରମ କେବେ ହେବ ସେନେଇ ସ୍ଥିର କରାଯିବ ବୋଲି ଡାକ୍ତର ପାଣିଗ୍ରାହୀ କରିଛନ୍ତି।ଟିକାକରଣର ଦୁଇ କିମ୍ବା ତିନି ଦିନ ଆଗରୁ ରାଜ୍ୟକୁ ଟିକା ଆସିବାର ସମ୍ଭାବନା ରହିଛି। ରାଜ୍ୟରେ ଟିକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଓ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ମଧ୍ୟରେ ଟୁ-ଓ୍ୱେ କମ୍ୟୁନିକେସନ ରଖାଯିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଦୁଇ ସ୍ଥାନରୁ କରୋନା ଟିକାକରଣ ବାବଦରେ ସିଧାସଳଖ ମତାମତ ନେଇପାରିବେ। ଅନ୍ୟପଟେ ଟିକାକରଣର ପରିଚାଳନା ପାଇଁ ରାଜ୍ୟସ୍ତରରେ ଷ୍ଟେଟ୍ ମନିଟରିଂ ଟିମ୍ ଗଠିତ ହୋଇଛି। ଏହି ଟିମ୍ ଜିଲ୍ଲାସ୍ତରରେ କୋଭିଡ୍ ଟିକାକରଣ ସ୍ଥିତି ତଦାରଖ କରିବେ ବୋଲି ଡାକ୍ତର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Comment