ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୪୮ ଦିନରେ ଚାଷୀ ଆନ୍ଦୋଳନ
  • କେନ୍ଦ୍ର ସରକାରଙ୍କ ଉପରେ ବର୍ଷଲେ ସୁପ୍ରିମକୋର୍ଟ
  • ଆନ୍ଦୋଳନ ପ୍ରତ୍ୟାହାର କରିପାରନ୍ତି ଚାଷୀ

କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ଚାଷୀ କରୁଥିବା ଆନ୍ଦୋଳନ ୪୮ଦିନରେ ପହଞ୍ଚିଲାଣି। ସରକାର ଦାବି ପୂରଣ କରୁନଥିବାରୁ ଖରା, ବର୍ଷା, ଶୀତ କାକରରେ ରାଜରାସ୍ତାରେ ବସି ରହିଛନ୍ତି ହଜାର ହଜାର ଚାଷୀ। ତେବେ ଆଜି କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମକୋର୍ଟଙ୍କ ଭତ୍ସନା ପରେ ଚାଷୀମାନେ ଆନ୍ଦୋଳନରୁ ହଟିପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି; ସୁପ୍ରିମକୋର୍ଟ ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖି ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଚାଷୀମାନେ ଆନ୍ଦୋଳନରୁ ଓହରି ନିଜ ନିଜ ଘରକୁ ଫେରିପାରନ୍ତି ବୋଲି କୁହାଯାଉଛି।

ଦୀର୍ଘଦିନରୁ ଆନ୍ଦୋଳନ ଚାଲିଛି। ବୟସ୍କ ଲୋକ ଥଣ୍ଡା କାକରରେ ପଡ଼ି ଆନ୍ଦୋଳନ କରୁଛନ୍ତି। ଏଥିପାଇଁ କୌଣସି ରକ୍ତପାତ ହେଲେ ବା କାହାର ମୃତ୍ୟୁ ହେଲେ କୋର୍ଟ ଏହାକୁ ଗ୍ରହଣ କରିବା ନାହିଁ ବୋଲି କହିଛନ୍ତି ଆଜି ଶୁଣାଣିରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡେ।

ଏହାସହିତ ଆଇନକୁ ସ୍ଥଗିତ ରଖି ଏକ ବିଶେଷଜ୍ଞ କମିଟି ଗଠନ ପାଇଁ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ନେଇ ସରକାର ନିଷ୍ପତ୍ତି ନନେବା ପର୍ଯ୍ୟନ୍ତ ଆଇନକୁ ସ୍ଥଗିତ ରଖାଯାଉ। କେନ୍ଦ୍ର ସରକାର କିଛି ନିଷ୍ପତ୍ତି ନନେଲେ କୋର୍ଟ ଏନେଇ ନିର୍ଦ୍ଦେଶ ପାସ୍‌ କରିବେ ବୋଲି କୁହାଯାଇଛି।

ସେହିପରି କେନ୍ଦ୍ର ସରକାର କମିଟି ଗଠନ କରିବା ପରେ ଚାଷୀମାନେ ଏହି କମିଟି ନିକଟରେ ଅଭିଯୋଗ କରିବେ। କମିଟି ରିପୋର୍ଟ ଦେଲେ କୋର୍ଟ ନିଷ୍ପତ୍ତି ଶୁଣାଇବେ ବୋଲି କହିଛନ୍ତି ମୁଖ୍ୟ ବିଚାରପତି।

ଚାଷୀଙ୍କୁ ମନେଇବାରେ ଫେଲ ସରକାର

ଆନ୍ଦୋଳନ ତୀବ୍ର ରୂପ ନେବା ପରେ କେନ୍ଦ୍ର ସରକାର ଚାଷୀଙ୍କୁ ମନେଇବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ବୈଠକ ପରେ ବୈଠକ କରିବା ପରେ ଚାଷୀଙ୍କୁ ମନେଇବାରେ ଫେଲ ହୋଇଛନ୍ତି ସରକାର। ଏମିତିକି ସରକାର ଦେଇଥିବା ସଂଶୋଧନ ପ୍ରସ୍ତାବକୁ ବି ଚାଷୀମାନେ ଅଗ୍ରାହ୍ୟ କରିସାରିଛନ୍ତି। ସଂଶୋଧନ ଫଳରେ ଆଇନରେ ଥିବା ଜଟଳିତା ଦୂର ହୋଇପାରିବ ନାହିଁ ବୋଲି ଚାଷୀନେତାମାନେ ରୋକ ଠୋକ କହି ଥିଲେ। ଏହାପରେ ବି ସରକାର ବହୁବାର ଚାଷୀଙ୍କ ସହିତ ବୈଠକ କରିଛନ୍ତି। କିନ୍ତୁ ବୈଠକରେ ସମାଧାନର ବାଟ ଏଯାଏଁ ବାହାରିନି।

୧୫ରେ ଆଗାମୀ ବୈଠକ

ବର୍ତ୍ତମାନ ସୁଦ୍ଧା ସରକାର ଓ ଚାଷୀଙ୍କ ଭିତରେ ୮ ଥର ବୈଠକ ସରିଲାଣି। କିନ୍ତୁ ସବୁ ବୈଠକର ଫଳ ସେହି ସମାନ। ସରକାରଙ୍କ କିଛି ବି କଥା ବା ପ୍ରତିଶ୍ରୁତି ଚାଷଙ୍କ ମନକୁ ବୁଝାଇପାରୁନି। ତେବେ ପୁଣି ଥରେ ଜାନୁଆରି ୧୫ ତାରିଖରେ ଚାଷୀ ଓ ସରକାରଙ୍କ ବୈଠକ ରହିଛି। ଏହି ବୈଠକରେ ନିଶ୍ଚୟ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଆକଳନ କରାଯାଉଛି।

ବିକଳ୍ପ ଖୋଜୁଛନ୍ତି କେନ୍ଦ୍ର ସରକାର

ଅନ୍ୟପଟେ ଆଲୋଚନା ମାଧ୍ୟମରେ ଚାଷୀ ଆନ୍ଦୋଳନକୁ କେନ୍ଦ୍ର ସରକାର ବନ୍ଦ କରିପାରିନାହାନ୍ତି। ସରକାରଙ୍କ ପ୍ରତିନିଧି ପରେ ଖୋଦ୍ ଗୃହମନ୍ତ୍ରୀଙ୍କ ସହ ବି ଚାଷୀମାନଙ୍କ ଆଲୋଚନା ବିଫଳ ହୋଇଛି। ତେଣୁ ଏବେ ଏହାକୁ ଅନ୍ୟ ଉପାୟରେ ରୋକିବାକୁ କେନ୍ଦ୍ର ସରକାର ବିକଳ୍ପ ଖୋଜିବା ଆରମ୍ଭ କରିଛନ୍ତି। ଏଥିପାଇଁ ଏହି ବିଲକୁ ସମର୍ଥନ କରୁଥିବା ଚାଷୀଙ୍କୁ ଖୋଜିବା ଆରମ୍ଭ କରାଯାଇଛି। ଯଦି ସରକାର ଏହି ବିଲକୁ ସମର୍ଥନ କରୁଥିବା ଏକାଧିକ ଚାଷୀଙ୍କୁ ଏକଜୁଟ୍ କରିବାରେ ସମର୍ଥ ହେବେ, ତେବେ ଚାଷୀ ଆନ୍ଦୋଳନକୁ ରୋକିବା ସହଜ ହେବ ବୋଲି କୁହାଯାଉଛି।  ଏପରି ସ୍ଥଳେ ଆଜି କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ନିର୍ଦ୍ଦେଶ ଅନୁସାରେ କମିଟି ଗଠନ ହୋଇ କୋର୍ଟଙ୍କୁ ରିପୋର୍ଟ ନଦେବା ଯାଏଁ କୃଷି ଆଇନ କାର୍ଯ୍ୟକାର ହେବ ନାହିଁ। ତେଣୁ ଚାଷୀମାନେ ଆନ୍ଦୋଳନରୁ ଓହରିପାରନ୍ତି।

Comment