ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତି ଆରମ୍ଭ ହୋଇଛି। ଅର୍ଥ ବିଭାଗ ଏହି କାମରେ ଲାଗିଥିବା ବେଳେ କରୋନା ଯୋଗୁଁ ଅର୍ଥନୀତି ଯେଉଁଭଳି କ୍ଷତିଗ୍ରସ୍ତ ହୋଇଛି ତାହାକୁ ସୁଧାରିବା ପାଇଁ ଉଦ୍ୟମ କରାଯିବ। ମହାମାରୀ ପରେ ପ୍ରଥମ ଥର ପାଇଁ ଏହି ବଜେଟ ପ୍ରସ୍ତୁତ ହେଉଛି।

ଖବର ଅନୁସାରେ ଆସନ୍ତା ବଜେଟରେ ମୁଖ୍ୟତଃ ତିନୋଟି କଥା ଉପରେ ଗୁରୁତ୍ୱ ଆରୋପ କରାଯିବ। ପ୍ରଥମ, ଜୀବିକା ସୁଯୋଗ ସୃଷ୍ଟି। ଦ୍ଵିତୀୟ, ସ୍ୱାସ୍ଥ୍ୟ ସେବା ଓ ତୃତୀୟ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ। ବିଭିନ୍ନ ବିଭାଗ ଓ ଅଂଶୀଦାରମାନଙ୍କ ସହିତ ପରାମର୍ଶ ପର୍ବ ଆରମ୍ଭ ହୋଇଥିବା ବେଳେ ଆସନ୍ତା ମାସ ଦ୍ଵିତୀୟ ସପ୍ତାହରେ ବଜେଟ ଉପସ୍ଥାପିତ ହେବ।

ଅର୍ଥ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଯେହେତୁ କରୋନା ପରେ ବଜେଟ ପ୍ରସ୍ତୁତ ହେଉଛି ଆମକୁ ଅଧିକ ଲୋକ ଓ ଗୋଷ୍ଠୀଙ୍କ ସହ ପରାମର୍ଶ କରିବା ପାଇଁ ହେବ। ପୂର୍ବତନ ଅର୍ଥ ମନ୍ତ୍ରୀ, ଅର୍ଥନୀତିଜ୍ଞ, ଶିଳ୍ପ ସଂସ୍ଥା ପ୍ରତିନିଧି ଓ ନୀତି ପ୍ରଣୟନକାରୀଙ୍କ ସହ ପରାମର୍ଶ ଚାଲିଥିବା କଥା ଉକ୍ତ ଅଧିକାରୀ କହିଛନ୍ତି।

ଅର୍ଥ ବିଭାଗର ୱେବସାଇଟରେ ଜନସାଧାରଣ ମଧ୍ୟ ସେମାନଙ୍କ ପରାମର୍ଶ ରଖି ପାରିବେ। ସୂଚନା ଅନୁସାରେ, ଅର୍ଥନୀତିକୁ ପୁନରୁଦ୍ଧାର କରିବା ପାଇଁ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ବ୍ୟାପକ ପୁଞ୍ଜି ବିନିଯୋଗ ହେବ। ସେହିଭଳି ବିଭିନ୍ନ ପ୍ରକାର ନିଯୁକ୍ତି ସୁଯୋଗ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ।

ଆହୁରି ଜଣାପଡିଛି ଯେ ସରକାରଙ୍କ ୫ଟି ଅଧୀନରେ ଯେଉଁ ସବୁ ପ୍ରକଳ୍ପ ଆରମ୍ଭ କରାଯାଇଛି ତା ପାଇଁ ମଧ୍ୟ ବ୍ୟାପକ ଅର୍ଥ ବ୍ୟବସ୍ଥା କରାଯିବ। ଏଥିରେ ପୁରୀକୁ ବିଶ୍ୱସ୍ତରୀୟ ହେରିଟେଜ ସିଟି କରିବା, ଏକାମ୍ର କ୍ଷେତ୍ରର ବିକାଶ ଓ କଟକ ଏସସିବି ମେଡିକାଲ କଲେଜର ଆଧୁନିକକରଣ ଅନ୍ତର୍ଭୁକ୍ତ।

ବଜେଟରେ ପାନୀୟ ଜଳ ଯୋଗାଣ, ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା, ଉତ୍ତମ ଶିକ୍ଷା ବ୍ୟବସ୍ଥା ଓ ସ୍କିଲ ଡେଭଲପମେଣ୍ଟ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ସେହିଭଳି, ଚାଉଳ ସବସିଡି, ଶ୍ରମିକ କଲ୍ୟାଣ ,ଏସସି/ ଏସ୍‌ଟି, ମହିଳା, ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଅର୍ଥ ବ୍ୟାପକ  ବ୍ୟବସ୍ଥା କରାଯିବ।

Comment