ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୨୯ରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ। ଦୁଇଟି ଭାଗରେ ଏହି ଅଧିବେଶନ ଏପ୍ରିଲ୍ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଗୁରୁବାର ଲୋକସଭା ସଚିବାଳୟ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଫେବ୍ରୁଆରି ୧ ତାରିଖରେ ଦେଶର ଅର୍ଥମନ୍ତ୍ରୀ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ ବୋଲି ମଧ୍ୟ ଖବର ମିଳିଛି।

ଜାନୁଆରି ୨୯ ତାରିଖରୁ ଫେବ୍ରୁଆରି ୧୫ ତାରିଖ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନର ପ୍ରଥମ ଭାଗ ବସିବ। ଏହାପରେ ମାର୍ଚ୍ଚ ୮ରୁ ଏପ୍ରିଲ୍ ୮ ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ବସିବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମ ଦିନ ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ରଖିବେ। ଫେବ୍ରୁଆରି ୧  ତାରିଖ ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ବୋଲି ସମୟ ଧାର୍ଯ୍ୟ ହୋଇଛି।

ଏହାପୂର୍ବରୁ କରୋନା କଟକଣା ଭିତରେ ସଂସଦର ମୌସୁମୀ ଅଧିବେଶନ ବସିଥିଲା। କରୋନା ଗାଇଡଲାଇନକୁ ମାନି ସାଂସଦମାନେ ଏଥିରେ ଯୋଗଦେଇଥିଲେ। ତେବେ ଏହାରି ଭିତରେ କିଛି ସାଂସଦ ସଂକ୍ରମିତ ହେବାରୁ ଏହାକୁ ଯଥେଷ୍ଟ ଆଗରୁ ମୁଲତବୀ କରିଦିଆଯାଇଥିଲା। ଏହାପରେ ସଂକ୍ରମଣ ଭୟ ଦୃଷ୍ଟିରୁ ଶୀତ ଅଧିବେଶନ ବି ବାତିଲ ହୋଇଯାଇଥିଲା।

Comment