ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଗୁରୁବାର ଆୟୋଜିତ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ବିଶାଖାପାଟଣା ଜିଲ୍ଲାପାଳ ଭି ବିନୟ ଚାନ୍ଦ।

ଭାରତ ବାୟୋଟେକ ପକ୍ଷରୁ ଆନ୍ଧ୍ରପ୍ରଦେଶକୁ ମୋଟ ୪ ଲକ୍ଷ ୭୭ ହଜାର କୋଭିସିଲ୍ଡ ଓ ୨୦ ହଜାର କୋଭାକ୍ସିନ ଟିକା ମିଳିଛି। ଜାନୁଆରି ୧୬ରୁ ଆରମ୍ଭ ହେବାକୁ ଥିବା କୋଭିଡ -୧୯ ଟିକାକରଣ ପାଇଁ ଜିଲ୍ଲାରେ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ବିଶାଖାପାଟଣା ଜିଲ୍ଲାପାଳ ଭି ବିନୟ ଚାନ୍ଦ ଜିଲ୍ଲାର ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଥମ ପର୍ୟ୍ୟାୟରେ ଏହି ଟିକା ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କୁ ପ୍ରଦାନ କରାଯିବ। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଦୁଇଟି କେନ୍ଦ୍ର ବ୍ୟବସ୍ଥା କରାଯିବ ଏବଂ ଟିକାକରଣ ପାଇଁ ଜିଲ୍ଲାର ମୋଟ ୩୨ଟି କେନ୍ଦ୍ର ପ୍ରତିଷ୍ଠା କରାଯିବ। ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି କେନ୍ଦ୍ରଗୁଡ଼ିକ ଖୋଲା ରହିବ। ଟିକାକରଣ ପାଇଁ ଆବଶ୍ୟକ କର୍ମଚାରୀ ନିଯୁକ୍ତି ଏବଂ କାର୍ଯ୍ୟକ୍ରମ ସଂପୂର୍ଣ୍ଣ କରିବା ପାଇଁ ଏକ କୋଭିଡ କମିଟି ଗଠନ କରାଯାଇଛି।

ଟିକାକରଣ କେନ୍ଦ୍ରଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସାଙ୍ଗକୁ ଇଣ୍ଟରନେଟ ସୁବିଧା ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ସେହିପରି ଏହି ସ୍ଥାନଗୁଡ଼ିକରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଟୀକାକରଣ ସେଣ୍ଟରଗୁଡ଼ିକରେ ସିସିଟିଭି ଲଗାଯାଇଛି।

ଜିଲ୍ଲାପାଳ କହିଛନ୍ତି ଯେ ୧୬ ତାରିଖ ଦିନ ଟିକାକରଣ କିଛି ସମୟ ପାଇଁ ଜାରି ରହିବ ଏବଂ ଜାନୁଆରି ୧୭ ତାରିଖଠାରୁ ଜିଲ୍ଲାର ୨୨୨ଟି କେନ୍ଦ୍ରରେ ଏହି ଟିକାକରଣ କରାଯିବ। ବିଶାଖାପାଟଣା ପାଇଁ ମୋଟ ୪୭୫୦୦ ଟିକା ପହଁଚି ଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

Comment