ଓଡ଼ିଶାଲାଇଭ୍‌ ବ୍ୟରୋ

ରାଜ୍ୟରେ ଟିକାକରଣ ପ୍ରଥମ ଦିନରେ ସନ୍ଧ୍ୟା ୭ଟା ସୁଦ୍ଧା ୧୩ ହଜାର ୭୪୫ ଜଣଙ୍କୁ କରୋନା ଟିକା ଦିଆଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କରୋନାର ହଟସ୍ପଟ ପାଲଟିଥିବା ଗଞ୍ଜାମରେ ସର୍ବାଧିକ ଲୋକଙ୍କୁ କରୋନା ଟିକା ଦିଆଯାଇଥିବା ଜଣାପଡ଼ିଛି। ଜିଲ୍ଲାରେ ହୋଇଥିବା ମୋଟ ୧୧ଟି ଟିକା କେନ୍ଦ୍ରରେ ପାଖାପାଖି ୮୦୦ରୁ ଲୋକଙ୍କୁ ଟିକା ଦିଆଯାଇଛି।

ସେହିପରି ପୁରୀ ଜିଲ୍ଲାରେ ମୋଟ ୭୧୧, ସୁନ୍ଦରଗଡ଼ରେ ୬୦୦ରୁ ଅଧିକ, କେନ୍ଦ୍ରାପଡ଼ାରେ ୬୦୦, ଭଦ୍ରକରେ ୩୨୮ ଜଣ ଟିକା ନେଇଛନ୍ତି। ସୁବର୍ଣ୍ଣପୁରରେ ସର୍ବନିମ୍ନ ଅର୍ଥାତ ୧୦୧ ଜଣ ଟିକା ନେଇଛନ୍ତି। ଆଜି ରାଜ୍ୟରେ ୧୬ ହଜାର ୩୯୮ ଜଣଙ୍କୁ ଟିକାକରଣ କରାଯିବାର ଲକ୍ଷ୍ୟ ଥିଲା।

ଅନ୍ୟପଟେ ଆସନ୍ତାକାଲି ଅର୍ଥାତ ରବିବାର ରାଜ୍ୟରେ ଟିକାକରଣ ବନ୍ଦ ରହିବ। ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ପୁଣି ଟିକାକରଣ ଆରମ୍ଭ ହେବ। ଆଗାମୀ ୧୦ ଦିନ ଭିତରେ ୩ ଲକ୍ଷ ୩୮ ହଜାର ଲୋକଙ୍କୁ ଟିକା ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

ଶନିବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ମେଗା ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ବିଭିନ୍ନ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ। ଏପଟେ ଓଡ଼ିଶାରେ ବିଭିନ୍ନ ହସ୍ପିଟାଲରୁ ଭିଡିଓ କନଫରେନ୍ସିଂ ଜରିଆରେ ଫିଡବ୍ୟାକ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟିକା ନେଇଥିବା ବ୍ୟକ୍ତିଙ୍କ ସହିତ ଆଲୋଚନା କରିବା ସହିତ କୋଭିଡ ଯୋଦ୍ଧା ପ୍ରଶଂସା କରିଥିଲେ ନବୀନ। ରାଜ୍ୟରେ ମୋଟ ୧୬୧ ଟି ଟିକା କେନ୍ଦ୍ରରେ ଟିକାକରଣ ଚାଲିଥିଲା।

Comment