ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୨୬ ଅର୍ଥାତ୍ ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ହୋଇପାରିବ କି ନାହିଁ ସେ ନେଇ ଦିଲ୍ଲୀ ପୋଲିସ ନିଷ୍ପତ୍ତି ଗ୍ରହଣ କରିବେ। ସୋମବାର ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସ ଉପରେ ଦାୟିତ୍ଵ ଛାଡ଼ିଛନ୍ତି। ଏଥିସହ ମଙ୍ଗଳବାର ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ଆଲୋଚନା ହେବା ପରେ ବୁଧବାର ଏହି ମାମଲାର ଶୁଣାଣି କରାଯିବାକୁ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।

କେନ୍ଦ୍ର କୃଷି ଆଇନ ବିରୋଧରେ ଜାନୁଆରି ୨୬ ତାରିଖରେ ଚାଷୀମାନେ ଦିଲ୍ଲୀର ରାମଲୀଳା ମଇଦାନରେ ବିଶାଳ ଟ୍ରାକ୍ଟର ରାଲି କରିବେ ବୋଲି ଚେତାବନୀ ଦେଇଥିଲେ। ତେବେ ରାଲି ପାଇଁ ସାଧାରଣତନ୍ତ୍ର ଦିବସ ପାଳନରେ ସମସ୍ୟା ଦେଖାଯାଇପାରେ ବୋଲି କହି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସୋମବାର ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଦିଲ୍ଲୀକୁ କିଏ ପ୍ରବେଶ କରିପାରିବ ଆଉ କିଏ ନୁହେଁ, ସେନେଇ ଦିଲ୍ଲୀ ପୋଲିସ ନିଷ୍ପତ୍ତି ନେଇପାରିବେ। ତେଣୁ ଚାଷୀମାନେ ରାଲି କରିପାରିବେ କି ନାହିଁ, ସେନେଇ ପୋଲିସ ନିଷ୍ପତ୍ତି ନେବ।   ଚାଷୀ ଆନ୍ଦୋଳନରେ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନର ଲିଙ୍କ୍‌ ଥିବା ନେଇ କେନ୍ଦ୍ରସରକାର ଗତ ଶୁଣାଣି କହିଥିଲେ। ଏହାପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏନେଇ ତଥ୍ୟ ଓ ପ୍ରମାଣ ଦେବାକୁ କହିଥିଲେ। ସରକାର ମଧ୍ୟ ଏହାର ପ୍ରମାଣ ଦେବାକୁ ଆଇବି ରିପୋର୍ଟ ସହିତ ସତ୍ୟପାଠ ଦାଖଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଆସନ୍ତା ଶୁଣାଣିରେ ସରକାରଙ୍କ ପକ୍ଷରୁ ଏନେଇ ସତ୍ୟପାଠ ଦାଖଲ କରାଯିବାର ସମ୍ଭାବନା ରହିଛି।

ଏଥିସହ ସୁପ୍ରିମକୋର୍ଟଙ୍କ ଦ୍ୱାରା ଚାଷୀମାନଙ୍କ ସହ ଆଲୋଚନା ପାଇଁ ଗଠିତ କମିଟିରୁ ଜଣେ ସଦସ୍ୟ ଇସ୍ତଫା ଦେଇଥିବାରୁ ଏହି ପ୍ରସଙ୍ଗ ଉପରେ ବି ଶୁଣାଣି ସମୟରେ ଆଲୋଚନା କରାଯାଇପାରେ। ଗୋଟିଏ ଚାଷୀ ସଂଗଠନ ଗତ ଶନିବାର ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରି ଦାବି କରିଛି ଯେ, ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରେ ଥିବା ତିନି ଜଣ ସଦସ୍ୟ ନୂଆ କୃଷି ଆଇନର ସମର୍ଥକ ଅଟନ୍ତି। ତେଣୁ ସେମାନେ ଆନ୍ଦୋଳନରତ ଚାଷୀମାନଙ୍କୁ ନ୍ୟାୟ ଦେଇପାରିବେ ନାହିଁ। ଏହି କାରଣରୁ ଉକ୍ତ କମିଟିର ପୁନର୍ଗଠନ କରାଯାଉ।ସେପଟେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ଦେଶର ଅନେକ ବିଶେଷଜ୍ଞ ଏବଂ ଚାଷୀ ନୂଆ କୃଷି ଆଇନକୁ ସମର୍ଥନ କରନ୍ତି। ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ନୂଆ ଆଇନ କାର୍ଯ୍ୟକାରୀ କରାଯାଇପାରିବନି। ଏଣୁ ଆନ୍ଦୋଳନରତ ଚାଷୀମାନେ ନୂଆ ଆଇନର ପ୍ରତ୍ୟେକ ନିୟମର ସମୀକ୍ଷା କରିବା ସହିତ କେଉଁ ନିୟମକୁ ନେଇ ସେମାନଙ୍କର ଆପତ୍ତି ରହିଛି ତାହା ପ୍ରକାଶ କରନ୍ତୁ। ନୂଆ ଆଇନକୁ ପ୍ରତ୍ୟାହାର କରିବା ବଦଳରେ ସେମାନେ ଅନ୍ୟ କିଛି ଦାବି କଲେ ସରକାର ତାହା ଉପରେ ବିଚାର କରିବେ। ଚଳିତ ମାସ ୧୯ ତାରିଖରେ ସରକାର ଓ ଚାଷୀ ସଂଗଠନଗୁଡିକ ଭିତରେ ଆଉ ଏକ ପର୍ଯ୍ୟାୟ ଆଲୋଚନା ହେବାର ଥିଲାବେଳେ ସେଥିରେ ଚାଷୀମାନେ ଏପରି ପ୍ରସ୍ତାବ ଦେବାକୁ ସେ ଆହ୍ୱାନ କରିଛନ୍ତି।

Comment