ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିସିସି ସଭାପତି ନିରଞ୍ଜନ ପଟ୍ଟାନାୟକଙ୍କ ଗାଡ଼ି ଉପରକୁ ରବିବାର ଆକ୍ରମଣ ହୋଇଥିଲା। କେନ୍ଦୁଝରରେ କିଛି ଅସାମାଜିକ ବ୍ୟକ୍ତି ତାଙ୍କ ଗାଡ଼ି ଭଙ୍ଗାରୁଜା କରିବା ସହିତ ଡ୍ରାଇଭରକୁ ମାଡ଼ ମାରିଥିଲେ।। ଆଉ ଏହି ଘଟଣା ପଛରେ ବିଜେପିର ହାତ ଥିବା ଦାବି କରିଛନ୍ତି ନିରଞ୍ଜନ ପଟ୍ଟନାୟକ। ଏକ ଟୁଇଟ କରି ସେ ବିଜେପି ଉପରେ ବର୍ଷିଛନ୍ତି।

‘‘ଆକ୍ରମଣକାରୀ ବିଜେପି ଯୁବମୋର୍ଚ୍ଚାର ସଦସ୍ୟ ଜାଣି ମୁଁ ଆଶ୍ଚର୍ଯ୍ୟ। ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ରଖି ସେମାନେ ଆକ୍ରମଣ କରିଛନ୍ତି। ବିଜେପିର ପଲିସି ଉପରେ ମୁଁ ପ୍ରଶ୍ନ ଉଠାଇଥିବାରୁ ଏହି ଆକ୍ରମଣ ହୋଇଛି’’, କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

ଏହାସହିତ ବିଜେପି କାହିଁକି ଏଭଳି ଭୀରୁ ଭଳି କାମ କରୁଛି ବୋଲି ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ପ୍ରଶ୍ନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ।

ଅନ୍ୟପଟେ ନିରଞ୍ଜନଙ୍କ ଉପରକୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଯଦି ସନ୍ଧ୍ୟା ସୁଦ୍ଧା ଗିରଫ କରି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏନେଇ ଡିଜିପିଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ଡିସିପିଙ୍କୁ ଏକ ସ୍ମାରକ ପତ୍ର ଦେଇଛି କଂଗ୍ରେସ।

ରବିବାର ସନ୍ଧ୍ୟାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପିଏସ୍‌ଓ ଗାଡ଼ିରେ ଯାଉଥିଲା ବେଳେ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା। ଗାଳି ଗୁଲଜ କରିବା ସହିତ ନିରଞ୍ଜନଙ୍କ ପିଏସଓଙ୍କୁ ମାଡ଼ ମାରିଥିଲେ। ଆକ୍ରମଣ ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି। ତାଙ୍କୁ କେନ୍ଦୁଝର ଟାଉନ ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି।

Comment