ଓଡ଼ିଶାଲାଇଭ୍ ବ୍ୟୁରୋ

ଲେଖକ ତଥା ସାମାଜିକ କର୍ମୀ ଘାସିରାମ ପଣ୍ଡାଙ୍କ ପ୍ରବନ୍ଧ ସଂକଳନ ‘ଅସୁମାରୀ ସ୍ୱପ୍ନ’ସୋମବାର ବିଧାନସଭା ପରିସର ବାଚସ୍ପତିଙ୍କ ସଭାକକ୍ଷରେ ଉନ୍ମୋଚିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇ ପୁସ୍ତକ ଉନ୍ମୋଚନ କରିବା ସହ ଲେଖକଙ୍କ ପ୍ରବନ୍ଧଗୁଡିକ ଉଚ୍ଚମାନର ଓ ସମସାମାୟିକ ସମସ୍ୟା ଉପରେ ଆଧାରିତ ବୋଲି କହିଛନ୍ତି।

ଅସୁମାରୀ ସ୍ୱପ୍ନ ଏକ ପ୍ରବନ୍ଧ ସଙ୍କଳନରେ ୩୬ଟି ପ୍ରବନ୍ଧ ପ୍ରକାଶ ପାଇଛି। ପ୍ରବନ୍ଧଗୁଡିକ ପୂର୍ବରୁ ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ ଖବର କାଗଜରେ ପ୍ରକାଶିତ ହୋଇ ସାରିଛି। ଆ’କାର, ସୁବର୍ଣ୍ଣପୁର ଦ୍ୱାରା ପ୍ରକାଶିତ ଏହି ପୁସ୍ତକ ‘ଅସୁମାରୀ ସ୍ୱପ୍ନ’ଲେଖକ ଘାସିରାମ ପଣ୍ଡାଙ୍କ ନିଜସ୍ୱ ଅନୁଭୂତିର ଆଧାରିତ ଅଟେ।

ପ୍ରବନ୍ଧଗୁଡିକ ଭିତରେ ପ୍ରାଥମିକ ବିଦ୍ୟାଳୟ ବନ୍ଦର ପ୍ରଭାବଠାରୁ ଆରମ୍ଭ କରି ଭେଦଭାବ ମୁକ୍ତ ବିଦ୍ୟାଳୟ, ଶିକ୍ଷା ପାଇଁ ବ୍ୟୟ ବୋଝ ନୁହେଁ, ବିଦ୍ୟାଳୟ ବାହାରେ କେତେ ପିଲା, ବିଦ୍ୟାଳୟରେ ଯୌନ ନିର୍ଯାତନା ଓ ଅଧିକାରୀଙ୍କ ଦାୟିତ୍ୱ, ଦେଶାନ୍ତରୀ ଶିଶୁଙ୍କ ଶିକ୍ଷାଧିକାର, ବାଲ୍ୟ ବିବାହ ବଢ଼େଇବ କରୋନା, ବିବାହ ବୟସ, ଶିଶୁ ଓ ସାଇବର ଅପରାଧ, କରୋନା ଓ ପ୍ରଭାବିତ ଶୈଶବ, କେଉଁ ଯଶବାନ ଉଡାଇବ ହେ! ଭଳି କିଛି ପ୍ରସଙ୍ଗ ବେଶ ଉଚ୍ଚ ପ୍ରଶଂସିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ମହିଳା କମିସନର ଅଧ୍ୟକ୍ଷା ଡକ୍ଟର ମିନତୀ ବେହେରା, ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଏକ୍ସନ୍ଏଡର ସହାୟକ ନିର୍ଦ୍ଦେଶକ ଦେବବ୍ରତ ପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଓଡ଼ିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

Comment