ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଂସଦ କ୍ୟାଣ୍ଟିନରେ ଖାଦ୍ୟ ଉପରେ ଦିଆଯାଉଥିବା ସବସିଡିକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରାଯାଇଛି। ଫଳରେ କ୍ୟାଣ୍ଟିନରେ ଖାଇବାକୁ ହେଲେ ଏବେ ବଜାର ଦର ଅନୁସାରେ ସାଂସଦମାନଙ୍କୁ ଟଙ୍କା ଦେବାକୁ ପଡ଼ିବ। ଏନେଇ ଲୋକସଭା ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି। ଏହାଦ୍ୱାରା ସରକାରଙ୍କୁ ବାର୍ଷିକ ୮ କୋଟି ଟଙ୍କା ଫାଇଦା ହେବ ବୋଲି ସେ କହିଛନ୍ତି।

ଏହାଛଡ଼ା ସଂସଦ କ୍ୟାଣ୍ଟିନକୁ ଏବେ ଆଇଟିଡିସି (ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ) ଚଲାଇବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଏହି ଦାୟିତ୍ୱ ଉତ୍ତର ରେଳବାଇ ପାଖରେ ଥିଲା। ପୂର୍ବରୁ ସାଂସଦମାନଙ୍କୁ ସବସିଡିରେ ୩୫ ଟଙ୍କାରେ ଖାଇବାକୁ ମିଳୁଥିଲା।

ତେବେ ସଂସଦ ବଜେଟ ଅଧିବେଶନକୁ ଆଉ କିଛି ଦିନ ବାକି ଥିଲା ବେଳେ ଓମ ବିର୍ଲା ଏହି ସୂଚନା ଦେଇଛନ୍ତି। ଜାନୁଆରି ୨୯ ତାରିଖରୁ ସଂସଦରେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଫେବ୍ରୁଆରି ୧୫ ଯାଏଁ ଚାଲିବ। ଏହାପରେ ପୁଣି ମାର୍ଚ୍ଚ ୮ରୁ ଏପ୍ରିଲ ୮ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ବସିବ।

ଏହି ଅଧିବେଶନରେ ରାଜ୍ୟସଭା କାର୍ଯ୍ୟ ପୂର୍ବାହ୍‌ଣ ୯ଟାରୁ ଆରମ୍ଭ ହୋଇ ଅପରାହ୍‌ଣ ୩ଟା ଯାଏଁ ଚାଲିବ। ସେହିପରି ଲୋକସଭା କାର୍ଯ୍ୟ ଅପରାହ୍‌ଣ ୪ଟାରୁ ରାତି ୯ଟା ଯାଏଁ ଚାଲିବ। ସଂସଦ ପରିସରରେ ଜାନୁଆରି ୨୭/୨୮ ତାରିଖରେ ଆରଟି-ପିସିଆର ଯାଞ୍ଚ କରାଯିବ। ସମସ୍ତ ସାଂସଦ ଏଥିରେ ସାମିଲ ହେବେ।

Comment