ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ସୀତାର ବାଦନର ମୁର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଥିଲା।

ମଙ୍ଗଳବାର ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ବିଖ୍ୟାତ ଗାୟକ ଏବଂ ଓଡ଼ିଶୀ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରାମହରି ଦାସ ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାବର ନିଖୁଣ ତଥା ସୁନ୍ଦର ପରିବେଷଣ। ପ୍ରଥମେ ରାଗ ମୁଖାରୀ ଓ ତାଳ ଏକତାଳୀରେ ରାଗାଙ୍ଗ ପ୍ରବନ୍ଧ ‘ସରସ ଯେତିକି, ବନ୍ଧୁ ବିରସ ତେତିକି’ ପରିବେଷଣ ଶ୍ରୋତାଙ୍କ ମନକୁ ଛୁଇଁଥିଲା।

ପରେ  ପରେ ପ୍ରବନ୍ଧ ‘ଦେଖ କୁଞ୍ଜ କେଡ଼େ ଶୋଭା’  ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ପ୍ରାଚୁର୍ଯ୍ୟକୁ ଦର୍ଶାଉଥିଲା। ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ରାଗ ଶଙ୍କରାଭରଣ ଓ ତାଳ ଏକତାଳିରେ ରାଗାଙ୍ଗ ପ୍ରବନ୍ଧ ‘ଅପୂର୍ବ ଦେଖିଲି’, ‘ଆଜରେ ସଜନୀ’ ଗାନ କରାଯାଇଥିଲା।

ଶେଷରେ କବି ବିଶ୍ୱନାଥ ଖୁଣ୍ଟିଆଙ୍କ ରଚନାରେ ଛାନ୍ଦ ‘ଆହା ଧନୁର୍ଦ୍ଧର’ ବୀର ପରିବେଷିତ ହୋଇଥିଲା । ସୁନ୍ଦର ଓ ନିଖୁଣ ରାଗ ବିସ୍ତାର, ଆଳଙ୍କାରିକ ସର୍ଜନା ସାବଲୀଳ ଓ ଭାବୋଦ୍ଦୀପକ ପରିବେଷଣ ଦ୍ୱାରା ଗୁରୁ ରାମହରି ଦାସ ଓ ସାଥୀ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ମର୍ଦ୍ଦଳରେ ସହଯୋଗିତା କରିଥିଲେ ଗୁରୁ ନିରଞ୍ଜନ ପାତ୍ର, ହାରମୋନିୟମ୍ର ଅଜୟ କୁମାର ଦାଶ ଏବଂ ତାନପୁରା ଓ କଣ୍ଠରେ ସହଯୋଗ କରିଥିଲେ ମାତୃ ପ୍ରସାଦ ଦାସ ଓ କୁମାରୀ ସୃଷ୍ଟି ସ୍ୱରୂପା ମିଶ୍ର।

ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ସୀତାର ବାଦନ ଯାହାକୁ ପରିବେଷଣ କରିଥିଲେ ବିଖ୍ୟାତ ସୀତାର ବାଦକ ପଣ୍ଡିତ ପୁରବାୟାନ ଚାଟାର୍ଜୀ। ପ୍ରଥମେ ସେ ରାଗ ପୁରୀଆ କଲ୍ୟାଣ ସହିତ ବିଭିନ୍ନ ତାଳ ଓ ରାଗ ସମନ୍ୱୟରେ ସୀତାର ବାଦନ ପରିବେଷଣ କରି ଶ୍ରୋତାମାନଙ୍କୁ ବିମୋହିତ କରିଥିଲେ। ତାଙ୍କୁ ସହଯୋଗ କରିଥିଲେ ତବଲାରେ ଓଜସ ଆଢିଆ।

ଅତିଥିମାନେ ଥିଲେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ। କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଡକ୍ଟର ସଙ୍ଗୀତା ଗୋସାଇଁ  ଏବଂ ଅନୁଜା ତାରିଣୀ ମିଶ୍ର । ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ, ଉପ ସଚିବ, ସହକାରୀ ନିର୍ଦ୍ଦେଶକ, ପର୍ଯ୍ୟଟନ ଅଧିକାରୀ ଓ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକାରୀ ବୃନ୍ଧ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Comment