ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଚଟପଟିଆରେ ଗୋପାଳିଆ, ବୋକା ବନାଏରେ ଗୋପାଳିଆ’’, ଓଡ଼ିଆ ଟେଲି ଧାରାବାହିକ ‘ଗୋପାଳ ରହସ୍ୟ’ର ଏହା ଥିଲା ଶୀର୍ଷକ ଗୀତ, ଆଉ ଏହି ଗୀତ ବହୁତ ପୁରୁଣା ହେଲେ ବି ଆଜି ବି ଦର୍ଶକଙ୍କ ମନେ ରହିଛି। ସବୁଠୁ ଖାସ କଥା ହେଲା ଅଭିନେତା ରବି ମିଶ୍ରଙ୍କୁ ଦେଖିଲେ ଦର୍ଶକଙ୍କ ମନରେ ସେହି ପୁରୁଣା ସ୍ମୃତି ଆହୁରି ସତେଜ ହୋଇଯାଏ। କାରଣ ଏହି ଧାରାବାହିକରେ ରବି ମିଶ୍ରଙ୍କ ବେଶଭୂଷାଠୁ ଆରମ୍ଭ କରି ତାଙ୍କ ଚରିତ୍ର ବେଶ୍‌ ଆକର୍ଷଣୀୟ ଥିଲା। ଲୋକ ଏହି ସିରିଏଲ ଦେଖି ହସି ହସି ବେଦମ ହେଉଥିଲେ। ଧୀର ବିଶ୍ୱାଳଙ୍କ ଏହି ଧାରାବାହିକ ଚିର ସବୁଜ ହୋଇ ରହିଛି। ଏଥିରେ ରବି ମିଶ୍ରଙ୍କ ସହିତ ଅଭିନୟ କରିଥିଲେ ଶାନ୍ତି ପାଢ଼ୀ, ସରୋଜ ଦାସ, ସ୍ନିଗ୍ଧା ମହାନ୍ତି।

ଏବେ ସିନା ‘ଗୋପାଳ ରହସ୍ୟ’ର ଗୋପାଳିଆ ରବି ମିଶ୍ର ନାହାନ୍ତି କିନ୍ତୁ ତାଙ୍କର ନିଖୁଣ ଅଭିନୟ ପାଇଁ ସେ ଗୋପାଳିଆ ଭାବେ ସବୁବେଳେ ମନେ ରହିବେ।

ବୁଧବାର ୬୪ ବର୍ଷ ବୟସରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ରବି ମିଶ୍ରଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ରବି ମିଶ୍ର ସୁଟିଂ କରୁଥିଲା ବେଳେ ସେଟରେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ରବି ତାଙ୍କ ଜୀବନ କାଳ ଭିତରେ ମଞ୍ଚ, ସିନେମା ଓ ଟେଲି ସିରିଏଲରେ ଅଭିନୟ କରିଥିଲେ। ଟେଲି ସିରିଏଲ ‘ଗୋପାଳ ରହସ୍ୟ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ସେ ବେଶ୍‌ ପ୍ରଶଂସା ସାଉଣ୍ଟିଥିଲେ। ଏବେ ସାର୍ଥକ ଟିଭିରେ ପ୍ରସାରିତ ସିରିଏଲ ‘ହେ ପ୍ରଭୁ’ରେ ଅଭିନେତ୍ରୀ ଲପ୍ସା ମିଶ୍ରଙ୍କ ଜେଜେ ଚରିତ୍ରରେ ଅଭିନୟ କରୁଥିଲେ।

ଏହାଛଡ଼ା ରବି ବିଶ୍ର ଫିଲ୍ମ ‘ଭାଇ ହେଲା ଭଗାରୀ’, ‘ସକଳ ତୀର୍ଥ’, ‘ସୌଭାଗ୍ୟବତୀ’, ‘ମା’ ପରି କିଏ ହେବ’, ‘ରାକ୍ଷୀ ଭିଜିକଲା ଆଖି ଲୁହରେ’, ‘ମନ ରହିଗଲା ତୁମରିଠାରେ’, ‘ମୁଖ୍ୟମନ୍ତ୍ରୀ’ ଆଦି ଫିଲ୍ମରେ ସେ ଅଭିନୟ କରିଥିଲେ।

ଏବେ ତାଙ୍କ ବିୟୋଗରେ ଓଲିଉଡ ଓ ଟେଲି ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି। ଓଲିଉଡର ବହୁ କଳାକାର ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି।  ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବି ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

Comment